ଡଟ୍‌ ଫେଷ୍ଟ୍‌, ସାତ ନୃତ୍ୟର ମହାସଙ୍ଗମ

ଭୁବନେଶ୍ବର: ଡଟ୍‌ ଫେଷ୍ଟ୍‌ର ପଞ୍ଚମ ସନ୍ଧ୍ୟାରେ ମଞ୍ଚରେ ପ୍ରଦର୍ଶିତ ହୋଇଥିଲା ସାତୋଟି ନୃତ୍ୟର ମହାସଙ୍ଗମ। ଏହା ବୟାନ କରୁଥିଲା ଭାରତର ବିବିଧତାରେ ଏକତାକୁ। ସବୁ ଧର୍ମ, ନୃତ୍ୟ ଓ ସଂସ୍କୃତିର ଅନ୍ବେଷଣ ଶାନ୍ତି ହୋଇଥିଲା ବେଳେ ଏହି ନୃତ୍ୟ ମାନବ ଜାତି ଯେ ଏକ, ବାର୍ତ୍ତା ବଣ୍ଟୁଥିଲା। ମଣିପୁରୀ, କଥକ, ମୋହିନୀଆଟ୍ଟମ, କୁଚିପୁଡ଼ି, ଓଡ଼ିଶୀ ଶାସ୍ତ୍ରୀୟ ନୃତ୍ୟ ସହ ତାଳବାଦ୍ୟ ଓ କନ୍‌ଟେମ୍ପରାରି ନୃତ୍ୟ ଦର୍ଶକଙ୍କୁ ସମ୍ପୂର୍ଣ୍ଣ ଭାରତୀୟ ସଂସ୍କୃତିର ଭିନ୍ନ ଭିନ୍ନ ସ୍ବାଦ ଚଖାଇଥିଲା। ‘ସପ୍ତବର୍ଣ୍ଣା’ ନୃତ୍ୟ ଦର୍ଶକଙ୍କୁ ୧ ଘଣ୍ଟା ୪୫ ମିନିଟ୍‌ ଧରି ବାନ୍ଧି ରଖିଥିଲା। ବିଭିନ୍ନ ପର୍ଯ୍ୟାୟରେ ପରିବେଷିତ ଏହି ନୃତ୍ୟରେ ୮୦ଜଣ ନୃତ୍ୟଶିଳ୍ପୀ ନୃତ୍ୟ ପ୍ରଦର୍ଶନ କରିଥିଲେ। ‌ଶୈବପୀଠ ଭୁବନେଶ୍ବରକୁ ଉତ୍ସର୍ଗ ପ୍ରଥମେ ନଟରାଜ ଶିବଙ୍କ ବନ୍ଦନାରୁ ଆରମ୍ଭ ହୋଇଥିଲା ନୃତ୍ୟ କାର୍ଯ୍ୟକ୍ରମ। ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ପରିକଳ୍ପିତ ଏହି ନୃତ୍ୟରେ ୭ ଜଣ ନୃତ୍ୟଗୁରୁ ନୃତ୍ୟ ସଂଯୋଜନା କରିଥିଲେ। ମଣିପୁରୀ ନୃତ୍ୟକୁ ବିମ୍ବାବତୀ ଦେବୀ, କଥକ ନୃତ୍ୟକୁ ଅସୀମ ପଟ୍ଟାଚାର୍ଯୀ, ମୋହିନୀଆଟ୍ଟମ ନୃତ୍ୟକୁ ମୋମ୍‌ ଗାଙ୍ଗୁଲି, କୁଚିପୁଡ଼ି ନୃତ୍ୟକୁ ବୈଜୟନ୍ତୀ କାଶୀ, କନ୍‌ଟେମ୍ପରାରି ନୃତ୍ୟକୁ ଜନାର୍ଦ୍ଦନ ରାଜ୍‌ ଅର୍ଶ ଓ ଓଡ଼ିଶୀ ନୃତ୍ୟକୁ ଅରୁଣା ମହାନ୍ତି ସଂଯୋଜନା କରିଥିବା ବେଳେ ତାଳବାଦ୍ୟକୁ ଗୁରୁ ଧନେଶ୍ବର ସ୍ବାଇଁ ଓ ଗୁରୁ ରାମହରି ଦାସ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରୁ ଶିଶୁ କଣ୍ଠଶିଳ୍ପୀ ଅନନ୍ୟା ଶ୍ରୀତମ ନନ୍ଦଙ୍କ କଣ୍ଠର ଯାଦୁ ଶ୍ରୋତାଙ୍କୁ ରୋମାଞ୍ଚିତ କରିଥିଲା।

ଜମି ନଥିଲା ଭିଡ଼
ଅନ୍ୟ ଦିନ ଅପେକ୍ଷା ଆଜି ପ୍ରଦର୍ଶନୀ ପଡ଼ିଆରେ ଦର୍ଶକଙ୍କ ସେତେ ଭିଡ଼ ଜମି ନଥିଲା। ବଲିଉଡ୍‌/ ହଲିଉଡ୍‌ ନାଇଟ୍‌ରେ ଡଟ୍‌ ଫେଷ୍ଟ୍‌ରେ ଟିକେଟ୍‌ କିଣି ଲୋକ କଳାକାରଙ୍କୁ ଶୁଣିବାକୁ ଓ ଦେଖିବାକୁ ଆସୁଥିବା ବେଳେ ଆଜି ପ୍ରବେଶ ଶୁଳ୍କ ନଥିଲେ ମଧ୍ୟ ଦର୍ଶକଙ୍କ ଦେଖା ନଥିଲା। ଗ୍ୟାଲେରିରେ ଦର୍ଶକଙ୍କ ଉପସ୍ଥିତି ବହୁତ କମ୍‌ ଥିଲା। ଅଳ୍ପ କିଛି ଦର୍ଶକଙ୍କୁ ଦେଖିବାକୁ ମିଳିଥିଲା, ସେଥିମଧ୍ୟରୁ ଅଧିକାଂଶ ଥିଲେ ବୟସ୍କ ବା ମଧ୍ୟ ବୟସ୍କ। ସଂଯୋଗବଶତଃ ଆଜି ସଂଧ୍ୟାର କାର୍ଯ୍ୟକ୍ରମ ‘ସପ୍ତବର୍ଣ୍ଣା’ ମଧ୍ୟ ଯୁବପିଢ଼ିଙ୍କ ମଧ୍ୟରେ ଲୁଚି ଯାଉଥିବା ଶାସ୍ତ୍ରୀୟ ନୃତ୍ୟ ପ୍ରତି ରୁଚି ଉପରେ ଆଧାରିତ ଥିଲା। ଭାରତୀୟ ସଂସ୍କୃତିର ବିଭିନ୍ନତାର ସ୍ବାଦକୁ କଳାକାରମାନେ ଉଜ୍ଜୀବିତ କରିବାକୁ ଚେଷ୍ଟା କରିଥିଲେ। ଅନ୍ୟପକ୍ଷେ ଫେଷ୍ଟ୍‌ର ଅନ୍ୟ ପାର୍ଶ୍ବରେ ଚାଲିଥିବା ଖାଦ୍ୟେ ମେଳାରେ ଲୋକଙ୍କ ଖଚାଖଚ୍‌ ଭିଡ଼ ଦେଖିବାକୁ ମିଳିଥିଲା। ଆମିଷ ବାର ଥିବାରୁ ଆଜି ସବୁ ଆମିଷ ଷ୍ଟଲ୍‌ରେ ଭିଡ଼ ଦେଖିବାକୁ ମିଳିଥିଲା।

ପାର୍କିଂ ଦର ବାଧୁଛି
ଡଟ୍‌ ଫେଷ୍ଟ୍‌କୁ ଶୃଙ୍ଖଳିତ କରିବା ପାଇଁ ସବୁ ଦିଗରୁ ପ୍ରୟାସ କରାଯାଇଛି। ଗାଡ଼ି ପାର୍କିଂ ପାଇଁ କ୍ୟାପିଟାଲ୍‌ ହାଇସ୍କୁଲ ପଡ଼ିଆରେ ବ୍ୟବସ୍ଥା କରାଯାଇଛି। ଦୁଇ ଚକିଆ ପାର୍କିଂ ପାଇଁ ୨୫ ଟଙ୍କା ଥିବା ବେଳେ ୪ ଚକିଆ ପାଇଁ ୫୦ ଟଙ୍କା ରହୁଛି। ସହରର ଏତେ ବଡ଼ ମେଳାକୁ ନିକଟରୁ ସମସ୍ତେ ଦେଖିବାକୁ ଚାହୁଁଥିବା ବେଳେ ପ୍ରତିଦିନ ୨୫ ଟଙ୍କା ଲେଖାଏଁ ପାର୍କିଂ ଚାର୍ଜ ଦେବାକୁ ଅନେକ ନାପସନ୍ଦ କରିଛନ୍ତି। ଫଳରେ ଲୋକମାନେ ପାର୍କିଂ ସ୍ଥଳରେ ପାର୍କିଂ ନ କରି ବୁଦ୍ଧ ମନ୍ଦିର ପାର୍ଶ୍ବ ଭେଣ୍ଡିଂ ଜୋନ୍‌ ଓ କ୍ୟାପିଟାଲ୍‌ ହାଇସ୍କୁଲ ନିକଟ ଗଳି ରାସ୍ତାରେ ବାଇକ୍‌ ରଖି ଡଟ୍‌ ଫେଷ୍ଟ୍‌କୁ ଯାଉଥିବା ଦେଖିବାକୁ ମିଳିଛି। ଫଳରେ ବିଭିନ୍ନ ସ୍ଥାନରେ ଟ୍ରାଫିକ୍‌ ଜାମ୍‌ ସମସ୍ୟା ମଧ୍ୟ ସୃଷ୍ଟି ହେଉଛି।

 

ସମ୍ବନ୍ଧିତ ଖବର