ଡଟ୍‌ ଫେଷ୍ଟ… ନିଝୁମ୍‌ ରାତିର ସହରରେ…

ଭୁବନେଶ୍ୱର: କ୍ରିଷ୍ଣା ବେଉରା, ପ୍ରିନ୍‌ସ ଡ୍ୟାନସ୍‌ ଗ୍ରୁପ୍‌, ସତ୍ୟଜିତ୍‌ ଓ ପ୍ରିୟାଙ୍କୁ ନେଇ ସଜେଇ ହୋଇଥିଲା ଆଜିର ଡଟ୍‌ ଫେଷ୍ଟର ଦ୍ବାଦଶ ଶୀତୁଆ ସନ୍ଧ୍ୟା। ପ୍ରିୟା ଓ ସତ୍ୟଜିତ୍‌ଙ୍କଠାରୁ ଆରମ୍ଭ ହୋଇଥିବା ସଙ୍ଗୀତ ସନ୍ଧ୍ୟା କ୍ରିଷ୍ଣାଙ୍କ ପାଖରେ ପହଞ୍ଚିବା ବେଳକୁ ଜମି ଆସିଥିଲା। ମଝିରେ ମଝିରେ ପ୍ରିନ୍‌ସ ଡ୍ୟାନ୍‌ସ ଗ୍ରୁପ୍‌ର ନୃତ୍ୟ ସୃଷ୍ଟି କରିଥିଲା ଏକ ମନୋଜ୍ଞ ପରିବେଶ। କ୍ରିଷ୍ଣା ବେଉରାଙ୍କ ପ୍ରଥମ ପର୍ଯ୍ୟାୟ ‘ଖ୍ବାଜା ‌ମେରେ ଖ୍ବାଜା…ରୁ ଆରମ୍ଭ ହୋଇ ମେ ଯାହାଁ ରହୁଁ…, ଇସ୍କ କି ସାଜିସେଁ…, ପ୍ରିନ୍‌ସ ଡ୍ୟାନ୍‌ସ ଗ୍ରୁପ୍‌ ସହ ମୌଲା ମେରେ ମୌଲା…, ଓଡ଼ିଆ ଗୀତ ‘ନିଝୁମ୍‌ ରାତିର ସହରରେ ହୃଦୟର ଶୂନ୍ୟପଥରେ… ଯାଇ ଶେଷ ହୋଇଥିଲା। ପ୍ରତ୍ୟେକଟି ଗୀତ ଆରମ୍ଭ ହେଉ ହେଉ ଦର୍ଶକ ଝୁମୁଥିଲେ। ସତ୍ୟଜିତ୍‌ ବି ପଛରେ ନଥିଲେ। ଚର୍ଚ୍ଚିତ ଗୀତ ‘ଯେବେ ପ୍ରେମ ହୁଏ’ରୁ ସେ ଆରମ୍ଭ କରିଥିଲେ ଗୀତ। ଏହା ପରେ ପରେ କନିଆଁ ରେଡ୍ଡି ବର ବି ରେଡ୍ଡି ଓଡ଼ିଆ ଗୀତ ସହ ‘ମେ କି କରା…’ ଓ ପଞ୍ଜାବୀ ଗୀତ ‘ବୋଲୋ ତା ରା ରା ରା, ନା ନା ନାରେ…’ ପ୍ରଭୃତି ଗୀତରେ ଦର୍ଶକ ବି‌ଭୋର୍‌ ହୋଇଥିଲେ। ଶେଷ ପର୍ଯ୍ୟାୟରେ ‘ଠିଆ ପାଲା’ ଦର୍ଶକଙ୍କୁ ନଚାଇଥିଲା। ପ୍ରିୟାଙ୍କ ‘ପେହେଲି ନଜର ମେ କେସା ଯାଦୁ କରଦିଆ, ମେ ରଙ୍ଗ ସରବତୋଁକା…’କୁ ମଧ୍ୟ ଦର୍ଶକ ପସନ୍ଦ କରିଥିଲେ।

ସମ୍ବଲପୁରୀ ବିଟ୍‌ରେ ହରିୟାନୀ ଗୀତ
ଲୋକପ୍ରିୟ ଗୀତକୁ ଦର୍ଶ‌କେ ମନ ଭରି ଉପଭୋଗ କରୁଥିଲେ। ଗାୟକ ଅଧା ଗାଉଥିବା ବେଳେ ଦର୍ଶକ ଅଧା ଗାଉଥିଲେ। ଗାୟକ ସହ ମଜ୍ଜି ଯାଇଥିଲେ। ହେଲେ ସମ୍ବଲପୁରୀ ବିଟ୍‌ରେ ହରିୟାନୀ ଗୀତ ହେବ, କେହି ଭାବି ନଥିଲେ। ଲୋକପ୍ରିୟ ହରିୟାନି ଗୀତ ‘ତେରି ଆଖାଁ କା ୟୋ କାଜଲ୍‌…’କୁ ସତ୍ୟଜିତ୍‌ ସମ୍ବଲପୁରୀ ବିଟ୍‌ରେ ଗାଇଥିଲେ। ୧୦ ହଜାରରୁ ଊର୍ଦ୍ଧ୍ବ ଦର୍ଶକଙ୍କ ମଧ୍ୟରୁ ୬୦ ପ୍ରତିଶତ ପ୍ରତ୍ୟେକ ଗୀତରେ ନାଚୁଥିବା ବେଳେ ଏହି ନିଆରା କମ୍ପୋଜିସନ୍‌ରେ ଶତ ପ୍ରତିଶତ ଦର୍ଶକ ସିଟ୍‌ରୁ ଛିଡ଼ା ହୋଇଥିବା ଦେଖାଯାଇଥିଲା।

ଗ୍ୟାଲେରିରେ ଆଶାକର୍ମୀ, ଶିଶୁ
ଆଜି ଦର୍ଶକ ଗ୍ୟାଲେରିରେ ଆଶାକର୍ମୀ ଓ କେତେକ ଶିଶୁଯତ୍ନ ଅନୁଷ୍ଠାନରୁ ଶିଶୁମାନେ ବସିଥିବା ଦେଖା ଯାଇଥିଲା। ଆଜିର ଏହି ମନୋରଞ୍ଜନ ଆଶାକର୍ମୀଙ୍କ ପାଇଁ ଏକ ଅଭୁଲା ଦିନ ହୋଇ ମନେ ରହିବ ନିଶ୍ଚୟ। ଭୁବନେଶ୍ବର ସ୍ପୋର୍ଟସ୍‌ ହଷ୍ଟେଲରୁ ମଧ୍ୟ ୫୦ଜଣ ଅନ୍ତେବାସୀ ଏଠାରେ ମନୋରଞ୍ଜନର ସୁଯୋଗ ପାଇଥିଲେ। ବିଏମ୍‌ସି, ବିଡିଏ ଓ ଓଡ଼ିଶା ଟୁରିଜିମ୍‌ ପକ୍ଷରୁ ଏମାନଙ୍କୁ ସାମିଲ କରାଯିବା ପାଇଁ ସ୍ବତନ୍ତ୍ର ଭାବେ ଯୋଜନା ହୋଇଥିଲା।

ଗାୟକଙ୍କ ମିମିକ୍ରି
ଦର୍ଶ‌କେ ଗୀତ ନାଚକୁ ଯେ ପସନ୍ଦ କରୁଥିଲେ, ତାହା ସିଟ୍‌ରୁ ଉଠି ନାଚରୁ ସ୍ପଷ୍ଟ ବୁଝା ପଡ଼ୁଥିଲା। କିନ୍ତୁ ଗାୟକ କ୍ରିଷ୍ଣାଙ୍କର ମିମିକ୍ରି ଦର୍ଶକଙ୍କୁ ଅଧିକ ଆନନ୍ଦ ଦେଇଥିଲା। ଶାହରୁଖ ଖାନ୍‌, ଅମିତାଭ୍‌ ବଚ୍ଚନ, ଆସ୍ରାନି ପ୍ରମୁଖ ସିନେ କଳାକାରଙ୍କ କଣ୍ଠରେ ସେ ଦର୍ଶକଙ୍କୁ ତାଳି ମାରିବା ପାଇଁ ଅନୁରୋଧ କରିଥିଲେ। ଦର୍ଶକ ତାଳି ତ ମାରିଥିଲେ, ହେଲେ ଗାୟକଙ୍କ କଣ୍ଠରେ ଏହି ମିମିକ୍ରି ବେଶ୍‌ ପସନ୍ଦ ଆସିଥିବାରୁ ‘ୱାନ୍‌ସ୍‌ ମୋର୍‌ ୱାନ୍‌ସ୍‌ ମୋର୍‌’ ହଲ୍ଲା ପକାଇଥିଲେ।

ଦର୍ଶକ ଗ୍ୟାଲେରିରେ ଗାୟକ
ମଞ୍ଚ ଉପରେ ଗାୟକ ମନ ପସନ୍ଦର ଗୀତ ଗାଉଥିଲେ। ମଞ୍ଚ ତଳେ ଦର୍ଶକ ଗୀତକୁ ଉପଭୋଗ କରୁଥିଲେ। ହେଲେ ଦର୍ଶକଙ୍କର ସନ୍ଦେହ ହେଲା, ଗାୟକ ଗାଉନାହାନ୍ତି, ଗୀତ ରେକର୍ଡ ବାଜୁଛି, ଆଉ ଗାୟକ ଓଠ ମିଶାଉଛନ୍ତି। ଏଭଳି ଏକ ଚ୍ୟାଲେଞ୍ଜକୁ ଗାୟକ କ୍ରିଷ୍ଣା ଗ୍ରହଣ କରିଥିଲେ। ସିଧା ଓହ୍ଲାଇଥିଲେ ଦର୍ଶକଙ୍କ ଗ୍ୟାଲେରିକୁ। ଦର୍ଶକଙ୍କ ଖୁସି କହିଲେ ନ ସରେ। କିଏ ସେଲ୍‌ଫି ଉଠାଉଥିଲା ତ କିଏ ଦ୍ବୈତକଣ୍ଠ ସଙ୍ଗୀତ ଆରମ୍ଭ କରିଥିଲା ତାଙ୍କ ସାଙ୍ଗରେ।

ସମ୍ବନ୍ଧିତ ଖବର