ଡଟ୍‌ ଫେଷ୍ଟ, ନଚେଇଲେ ୱିଲି, ତେଜୁ

ଭୁବନେଶ୍ବର: ଡିଜେର ତାଳେତାଳେ ଆଜି ଡଟ୍‌ ଫେଷ୍ଟ୍‌ରେ ଧୁମ୍‌ ନଚାଇଛନ୍ତି ଦୁଇ ଇଡିଏମ୍‌ (ଇଲେକ୍ଟ୍ରୋନିକ୍‌ ଆଣ୍ଡ୍‌ ଡ୍ୟାନ୍ସ ମ୍ୟୁଜିକ୍‌) ଶିଳ୍ପୀ। ଡିଜେ ୱିଲି ଏବଂ ତେଜୁଙ୍କ ହିପ୍‌ହପ୍‌, ରକ୍‌, ପଂଜାବୀ ଓ ବଲିଉଡ୍‌ ସଂଗୀତ ତାଳେତାଳେ ଝୁମିଥିଲେ ସଂଗୀତ‌ ପ୍ରେମୀ। ବିଡିଏ ଏବଂ ଓଡ଼ିଶା ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଡଟ୍‌ ଫେଷ୍ଟ୍‌ର ୧୫ତମ ସନ୍ଧ୍ୟାରେ ଆଜି ଡିଜେ ନାଇଟ୍‌କୁ ୧୦ ହଜାରରୁ ଅଧିକ ସଂଗୀତପ୍ରେମୀ ଉପଭୋଗ କରିଛନ୍ତି। ସମଗ୍ର ଦେଶରେ ପରିଚିତ ଡିଜେ ୱିଲି ଡିଜେ ତାଳେତାଳେ ଦର୍ଶକ ଏପରି ସକ୍ରିୟ ହୋଇ ନାଚିବାକୁ ଲାଗିଥିଲେ ଯେମିତି ଦର୍ଶକଙ୍କ ଭିତରେ ୱିଲି ସଂଗୀତର ବିଦ୍ୟୁତ ଖେଳାଇ ଦେଇଥିଲେ। ବିଭିନ୍ନ ବଲିଉଡ୍‌ ଟ୍ରାକ୍‌ରେ ତାଙ୍କ ଡିଜେର ଚମକ ୬ରୁ ଷାଠିଏ ସମସ୍ତଙ୍କୁ ଗୋଡ଼ହାତ ହଲାଇ ନାଚିବାକୁ ବାଧ୍ୟ କରିଥିଲା। ମୁମ୍ବାଇର ଅନ୍ୟତମ ଜଣାଶୁଣା ଡିଜେ ତେଜୁଙ୍କ ସମେତ ଡିଜେ ଶ୍ରୀ ଓ ଡିଜେ ଫିରୋଜ ମଧ୍ୟ ଡିଜେ ସଂଗୀତରେ ବିମୋହିତ କରିଥିଲେ। ଆଜି ମଂଚର ଖୁବ୍‌ ନିକଟରେ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ନାଚି ମଜା ଉଠାଇଥିଲେ। ଏଥିସହ ଗୌତମ ଗିରି ଏବଂ ମନସ୍ବିନୀ ହିନ୍ଦୀ ଓ ଓଡ଼ିଆ ଗୀତରେ ଦର୍ଶକଙ୍କ ମନୋରଂଜନ କରିଥିଲେ।

ଏହି ଅବସରରେ ଆଜି ଦର୍ଶକଙ୍କ ମଧ୍ୟରେ ବିଭିନ୍ନ କ୍ଷେତ୍ରରୁ ୨୫୦ ଜଣଙ୍କୁ ସଂଗୀତ ଓ ଖାଦ୍ୟ ହାଟ‌ ବୁଲିବାର ସୁଯୋଗ ଦେଇଥିଲା ପ୍ରଶାସନ। ଏସ୍‌ଓଏସ୍‌ ଗ୍ରାମରୁ ୯୦ ଜଣ ପିଲାଙ୍କ ସମେତ ୧୯୦ ଜଣ ଅଙ୍ଗନବାଡ଼ି କର୍ମୀଙ୍କୁ ସଂଗୀତ ଉପଭୋଗ କରିବାର ସୁଯୋଗ ଦେଇଥିଲା। ଅଙ୍ଗନବାଡ଼ି କର୍ମୀ ଶାନ୍ତିଲତା ଦାସ ଏହିଭଳି ଏକ ନିଆରା ସଂଗୀତ ଓ ଖାଦ୍ୟ ଆସର ପ୍ରଥମଥର ଉପଭୋଗ କରିବାକୁ ସୁଯୋଗ ପାଇଥିବାରୁ ବହୁତ ଖୁସି ବୋଲି କହିଥିଲେ। ଏସ୍‌ଓଏସ୍‌ ଗ୍ରାମର ସୁରେଶ ପ୍ରଧାନ ଓ ସୁକୁମତି ହୋ ମଧ୍ୟ ନିଜର ଖୁସି ବ୍ୟକ୍ତ କରିବା ସହ ପ୍ରଶାସନକୁ ଧନ୍ୟବାଦ ଦେଇଥିଲେ।

ଆଜି ଶଙ୍କର-ଏହସାନ-ଲୟ ସୋ’
ହକି ବିଶ୍ବକପ୍‌ ଶେଷ ହେବା ସହ ଡଟ୍‌ ଫେଷ୍ଟ୍‌ର ମଧ୍ୟ ଶେଷ ଦିନ। ତେଣୁ ଶେଷଦିନକୁ ସ୍ମରଣୀୟ ରଖିବା ପାଇଁ ରବିବାର ଯୋଗଦେବେ ବଲିଉଡ୍‌ର ଜଣାଶୁଣା ଯୋଡ଼ି ଶଙ୍କର-ଏହସାନ-ଲୟ। ବଲିଉଡ୍‌ର ଏହି ଜଣାଶୁଣା ୩ ଚେହେରାଙ୍କୁ ମଞ୍ଚରେ ଏକାଠି ଦେଖିବା ସହ ବଲିଉଡ୍‌ର ବହୁ ଲୋକପ୍ରିୟ ସଂଗୀତରେ ଝୁମିବାର ସୁଯୋଗ ମିଳିବ।

ସମ୍ବନ୍ଧିତ ଖବର