ରାଜଧାନୀରେ ମହାବିଷୁବ ସଂକ୍ରାନ୍ତି: ଜମିଲା ପଣାର ଆସର

ରାଜଧାନୀରେ ଜମିଥିଲା ପଣାର ଆସର। ଓଡ଼ିଆତ୍ୱର ମହକରେ ମହକୁଥିଲା ସାରା ସହର। ପ୍ରବଳ ଖରାରେ ଧର୍ମ ଅର୍ଜନ କରିବାର ବିଶ୍ୱାସ ନେଇ ବଟୋଇଙ୍କୁ ପଣା ପିଆଇଥିଲେ ରାଜଧାନୀବାସୀ। ପଣା ସହ ତୃଷ୍ଣା ମେଣ୍ଟାଇ ଆତିଥ୍ୟର ପରିଚୟ ଦେଉଥିଲେ ଅନ୍ୟ କିଛି ଓଡ଼ିଆ। ଅବସର ଥିଲା ଓଡ଼ିଆ ନବବର୍ଷର। ନିଚ୍ଛକ ଓଡ଼ିଆ ଶୈଳୀରେ ପାରମ୍ପରିକ ପଣାରେ ପାଳିତ ହୋଇଥିଲା ଏହି ପର୍ବ। ଖାଲି ସେତିକି ନୁହେଁ, ଆଜି ଥିଲା ପ୍ରଭୁ ସଙ୍କଟମୋଚନ ହନୁମାନ ହୟନ୍ତୀ। ଏଥିପାଇଁ ଚଳଚଞ୍ଚଳ ହୋଇ ପଡ଼ିଥିଲେ ଶ୍ରଦ୍ଧାଳୁ। ସହରର ବିିଭିନ୍ନ ହନୁମାନ ମନ୍ଦିରରେ ଆଜି ହନୁମାନଙ୍କ ଜନ୍ମ ଦିନ ପାଳନ ସହ ତୁଳସୀ ଚଉଁରାରେ ଠେକି ବସାଇବା ଦୃଶ୍ୟ ଦେଖିବାକୁ ମିଳିଥିଲା। ରାଜଧାନୀର କୋଣ ଅନୁକୋଣରେ ଥିବା ହନୁମାନ ମନ୍ଦିରରେ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଥିଲା। ସବୁଠି ଶୁଭୁଥିଲା ‘ସଙ୍କଟମୋଚନ ଜୟ ହନୁମାନ..। ସ୍ନାନବିଧି ପରେ ନୂଆ ବସ୍ତ୍ର ପିନ୍ଧି ପ୍ରଭୁ ଦେଇଥିଲେ ଦର୍ଶନ। ସହରର ବିଭିନ୍ନ ସ୍ଥାନରେ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ଖୋଲିଥିଲା ଜଳଛତ୍ର। ସକାଳ ଓ ସନ୍ଧ୍ୟାରେ ବିଭିନ୍ନ ହନୁମାନ ମନ୍ଦିରରେ ପଣା ପିଇବା ପାଇଁ ଭିଡ଼ ବଢ଼ୁଥିବା ଦେଖାଯାଇଥିଲା।

ଶ୍ରୀଲିଙ୍ଗରାଜଙ୍କୁ ଲାଗି ହେଲା ପଣା

ପୁରୁଣା ଭୁବନେଶ୍ୱର: ପଣା ସଂକ୍ରାନ୍ତି ଉପଲକ୍ଷେ ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ପଣା ଲାଗି କରାଯାଇଛି। ବସୁନ୍ଧରା ଧାରା ବନ୍ଧା ଯାଇ ଠାକୁରଙ୍କୁ ପଣା ଲାଗି ହୋଇଛି। ମନ୍ଦିରରେ ଦ୍ଵିପ୍ରହର ଧୂପ ପରେ ସୁଆର ସେବାୟତଙ୍କ ଦ୍ଵାରା ପଣା ଲାଗି ହୋଇଥିଲା। ଏଣ୍ଡୁରି ପିଠା ଚକଟା ହୋଇ ବେଲ, ନବାତ, ଗୁଡ଼, ଛେନା, ଖିର, ଗୋଲମରିଚ ଆଦି ସାମଗ୍ରୀରେ ପଣା ପ୍ରସ୍ତୁତି ହୋଇଥିଲା। ବସୁନ୍ଧରାରେ ପଣା ଦିଆଯାଇ କୁଶ ଧାରାରେ ଠାକୁରଙ୍କୁ ଲାଗି ହୋଇଥିଲା। ଏହା ପରେ ମନ୍ଦିରରେ ଅନ୍ୟ ଦେବଦେବୀଙ୍କୁ ପଣା ଲାଗି କରାଯାଇଥିଲା। ଆଜି ପଣା ସଂକ୍ରାନ୍ତି ଉପଲକ୍ଷେ ମନ୍ଦିରରେ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା।

ହନୁମାନ ମନ୍ଦିରରେ ଭିଡ଼

ଆଜି ପବିତ୍ର ହନୁମାନ ଜୟନ୍ତୀରେ ସିଆର୍‌ପି ଛକ ନିକଟସ୍ଥ ସଙ୍କଟମୋଚନ ହନୁମାନ ମନ୍ଦିର ସବୁଠାରୁ ଅଧିକ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ଭୋର ସାଢ଼େ ୫ଟାରେ ପ୍ରଭୁ ହନୁମାନଙ୍କ ଜନ୍ମୋତ୍ସବ ପାଳନ ଆରମ୍ଭ ହୋଇଥିଲା। ଏହି ଅବସରରେ ଆୟୋଜିତ ଯଜ୍ଞ ସକାଳ ସାଢ଼େ ୯ରୁ ଅପରାହ୍ଣ ୪ଟା ଯାଏଁ ଚାଲିଥିଲା। ପରେ ଷୋଡ଼ଶ ଉପଚାର ପୂଜା, ଆଳତି ଓ ବାଳଭୋଗ ଆଦି ଅନୁଷ୍ଠିତ ହୋଇଥିଲା। ମଧ୍ୟାହ୍ନ ଧୂପ ପରେ ହଜାରରୁ ଅଧିକ ଭକ୍ତ ସମୂହ ପ୍ରସାଦ ସେବନ କରିଥିଲେ। ସକାଳ ୭ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ରାମତାରକା ମନ୍ତ୍ର ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଠାରେ ସମସ୍ତଙ୍କୁ ମହାବିଷୁବ ସଂକ୍ରାନ୍ତି ଅବସରରେ ପଣା ମଧ୍ୟ ବଣ୍ଟନ କରାଯାଇଥିଲା। ସନ୍ଧ୍ୟା ୫ଟାରେ ପ୍ରାତିଦ ଆଳତି କରାଯାଇଥିଲା। ମହାସ୍ନାନ, ଶ୍ରୀଙ୍ଗାର, ୧୦୮ ତୁଳସୀ, ୧୦୮ ମନ୍ଦାର, ୧୦୮ ବେଲ ପତ୍ର ଓ ଲଡ଼ୁ ଆଦି ଉପକରଣରେ ଠାକୁରଙ୍କ ଅଭିଷେକ ହୋଇଥିଲା। ‘ସମ୍ବାଦ’ର ସଂପାଦକ ତଥା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ଏଠାରେ ପୂଜାରେ ସାମିଲ ହୋଇଥିଲେ। ବିଜୟ କୁମାର ପଟ୍ଟନାୟକ, ଆଶିଷ କୁମାର ମହାନ୍ତିି, ହରିହର ରଥ, ସରୋଜ କୁମାର ପଟ୍ଟନାୟକ ଓ ସୂର୍ଯ୍ୟନାରାୟଣ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିପରି ବେହେରା ସାହି ପଞ୍ଚମୁଖୀ ହନୁମାନ ମନ୍ଦିରରେ ଠାକୁରଙ୍କ ରୀତିନୀତିରେ ପୂଜାର୍ଚନା ହୋଇଥିଲା। ୩ ହଜାରରୁ ଊର୍ଧ୍ୱ ଲୋକ ପ୍ରସାଦ ସେବନ କରିଥିଲେ। ପଣା ମଧ୍ୟ ବଣ୍ଟନ କରାଯାଇଥିଲା। ପୁଣି ୟୁନିଟ-୧ସ୍ଥିତ ୧୦୮ ହନୁମାନ ମନ୍ଦିର ସମତେ ସହରର ସମସ୍ତ ହନୁମାନ ମନ୍ଦିରରେ ମହାସମାରୋହରେ ମହାବୀର ଜୟନ୍ତୀ ପାଳିତ ହୋଇଥିଲା।

ନିଆଁରେ ଚାଲିଲେ ପାଟୁଆ
ଖାଲି ଗାଁରେ କାହିଁକି ରାଜଧାନୀରେ ବି ଆଜି ସ୍ଥାନେ ସ୍ଥାନେ ଜମିଥିଲା ଝାମୁ ଯାତ୍ରା। ପାଟୁଆମାନେ ଡହଡହ ଖରାରେ ନିଆଁରେ ଚାଲି ନିଷ୍ଠ ଓ ଭକ୍ତିର ପ୍ରମାଣ ଦେଇଥିଲେ। ୨୧ ଦିନର କଠୋର ବ୍ରତ ଝାମୁ ଆଜି ମହାବିଷୁବ ସଂକ୍ରାନ୍ତି ଅବସରରେ ଅତି କଠୋର ଭାବେ ଉଦ୍‌ଯାପିତ ହୋଇଛି। ମାସେ ଧରି ଏହି ବ୍ରତ ପାଳନ କରି ବିଭିନ୍ନ ସ୍ଥାନ ବୁଲି ମା’ ପାର୍ବତୀ ଓ ମହାଦେବଙ୍କ ମହିମା ପ୍ରଚାରରେ ଲାଗିଥିବା ‘ପାଟୁଆ (ମାନସିକଧାରୀ)’ମାନେ ଆଜି ମା’ଙ୍କ ନିକଟକୁ ଫେରି ବ୍ରତର ସମାପ୍ତି କରିଛନ୍ତି। ଆଜି ନୟାପଲ୍ଲୀ ଅଞ୍ଚଳରେ ମଧ୍ୟ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା। ଗତ କାଲି ମେରୁ ଉତ୍ସବ ପରେ ଆଜି ଝାମୁ ଯାତ୍ରା ଅନୁଷ୍ଠିତ ହୋଇଥିଲା। ନୟାପଲ୍ଲୀ ଗ୍ରାମର ମା’ ସୁନାଦେବୀ, ମଙ୍ଗଳା, ପଳାସୁଣି ଓ ମା’ ଦାରୁଆଣୀଙ୍କ ନିକଟକୁ ଆଜି ପାଟୁଆମାନେ ଫେରିଥିଲେ। ପାଖ ବାଲୁଙ୍କେଶ୍ୱର ପୋଖରୀରେ ସ୍ନାନାଦି ନିତ୍ୟକର୍ମ ସାରି ନିଆଁରେ ଚାଲିଥିଲେ। ପ୍ରାୟ ୨୦ ଫୁଟ ଲମ୍ବର ରାସ୍ତାରେ ଜଳନ୍ତା ଅଙ୍ଗାର ଉପରେ ମା’ଙ୍କୁ ଧରି ପାଟୁଆମାନେ ଚାଲି ନିଜ ବ୍ରତ ଭଙ୍ଗ କରିଥିଲେ। ପ୍ରାୟ ୬୦ ଜଣ ପାଟୁଆ ଆଜି ସେଠାରେ ଝାମୁ ଚାଲିଥିବା ସ୍ଥାନୀୟ କର୍ପୋରେଟର୍‌ ନବକିଶୋର ବେହେରା କହିଛନ୍ତି।

ଚଳଚଞ୍ଚଳ ଚନ୍ଦ୍ରଶେଖରପୁର
ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଅବସରରେ ଚନ୍ଦ୍ରଶେଖରପୁର ଅଞ୍ଚଳର ବିଭିନ୍ନ ମନ୍ଦିରରେ ଭକ୍ତମାନଙ୍କର ଗହଳଚହଳ ଲାଗିଥିଲା। ସକାଳୁ ସକାଳୁ ହାଉସିଂବୋର୍ଡ ଫେଜ୍‌-୧ ଚନ୍ଦ୍ରଶେଖର ମହାଦେବ ମନ୍ଦିରରେ ଥିବା ୧୦୮ ହନୁମାନ ମନ୍ଦିରରେ ୧୦୮ ହନୁମାନ ଚାଳିଶା ସହିତ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ସେହିପରି ଡିଷ୍ଟ୍ରିକ୍ଟ ସେଣ୍ଟର ଶ୍ରୀ ଶ୍ରୀ ହନୁମାନ ମନ୍ଦିର, ନୀଳାଦ୍ରି ବିହାରସ୍ଥିତ ବଜରଙ୍ଗ୍‌ବାଲୀ ମନ୍ଦିର, ସେକ୍ଟର-୨ ମହାବୀର ମନ୍ଦିର, ଶୈଳଶ୍ରୀବିହାର ଫେଜ-୨ ହନୁମାନ ମନ୍ଦିର, ସୀତାନାଥ ବସ୍ତି ହନୁମାନ ମନ୍ଦିର, ଈଶାଣେଶ୍ୱର ମନ୍ଦିର, କାନନବିହାର, ପ୍ରଶାନ୍ତି ବିହାର, ଡମଣା, ପଟିଆ ଆଦି ଅଞ୍ଚଳରେ ମହାବୀରଙ୍କୁ ଭକ୍ତିଭାବରେ ସ୍ମରଣ କରାଯିବା ସହିତ ପୂଜାପାଠ ଅନୁଷ୍ଠିତ ହୋଇଥିଲା। ସେହିପରି ଓଡ଼ିଆ ନୂଆବର୍ଷ ଉପଲକ୍ଷେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଭିନ୍ନ ସ୍ଥାନରେ ଉତ୍ସାହୀ ଯୁବଗୋଷ୍ଠୀ ପଣା ବଣ୍ଟନ କରିଥିଲେ। ସମଗ୍ର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଭକ୍ତିର ଫଲ୍‌ଗୁ ପ୍ରବାହିତ ହୋଇଥିଲା।

ଉତ୍କଳ ସମ୍ମିଳନୀ ମଞ୍ଚେଶ୍ୱର ଶାଖା ପକ୍ଷରୁ ଓଡ଼ିଆ ନବବର୍ଷ

ଉତ୍କଳ ସମ୍ମିଳନୀ ମଞ୍ଚେଶ୍ୱର ଶାଖା ପକ୍ଷରୁ ଓଡ଼ିଆ ନବବର୍ଷ ପାଳିତ ହୋଇଯାଇଛି। ଏହି ଅବସରରେ ସମ୍ମିଳନୀର ଶାଖା କାର୍ଯ୍ୟାଳୟଠାରେ ସଭାପତି ଦିଲ୍ଲୀପ ଦାଶଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଆନ୍ଧ୍ର ପ୍ରଦେଶର କୋଟିଆ ଉପରେ ଅନଧିକାର ପ୍ରବେଶକୁ ସମ୍ମିଳନୀ ପକ୍ଷରୁ ନିନ୍ଦା କରାଯାଇଛି। ସୀମା ସୁରକ୍ଷା ନେଇ ରାଜ୍ୟ ଓ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ ବୋଲି ମତ ପ୍ରକାଶ ପାଇଛି। ଏଥିରେ ସମ୍ମିଳନୀର ବରିଷ୍ଠ ସଦସ୍ୟ ଦ୍ୱାରିକା ନାଥ, ଉପସଭାପତି ପ୍ରତାପ ସ୍ୱାଇଁ, ଶୀତଳ ଚନ୍ଦ୍ର ମହାନ୍ତି, ଯୁଗ୍ମ ସଂପାଦକ ଅଶୋକ ପାଲଟାସିଂହ ଓ କାର୍ଯ୍ୟନିର୍ବାହୀ ସମିତି ସଦସ୍ୟ ଶିବ ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର