ରାଜଧାନୀରେ ୧୭ ‘ଫିଭର କ୍ଲିନିକ୍‌’, ଲକ୍ଷଣ ଥିଲେ ଏଠାରେ ଚିକିତ୍ସା କରିବାକୁ ପରାମର୍ଶ

ବିଜ୍ଞପ୍ତି ପ୍ରକାଶ କଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର : ରାଜ୍ୟ‌ରେ କରୋନା (କୋଭିଡ୍‌-୧୯)ର ମୁକାବିଲା ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଭାବେ ରାଜଧାନୀର ୧୭ଟି କ୍ଲିନିକ୍‌କୁ ‘ଫିଭର କ୍ଲିନିକ୍‌’ ଭାବେ ଘୋଷଣା କରିଛନ୍ତି। ଫ୍ଲୁ’ର ଲକ୍ଷଣ ଥିବା ବ୍ୟକ୍ତିମାନେ ସିଧାସଳଖ ଏହି କ୍ଲିନିକ୍‌ରେ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ପରାମର୍ଶ ଦିଆଯାଇଛି। ଏନେଇ ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ରୋଗୀମାନେ ପୂର୍ବଭଳି କ୍ୟାପିଟାଲ ହସ୍ପିଟାଲ, ଆର୍‌ଜିଏଚ୍‌ ରାଉରକେଲା ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଫିଭର କ୍ଲିନିକ୍‌ ଓ ଟ୍ରାଏଜ୍ ସୁବିଧା ଥିବା ହସ୍ପିଟାଲରେ ମଧ୍ୟ ନିଜର ଚିକିତ୍ସା କରିପାରିବେ।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ରାଜ୍ୟର ଅନେକ ଘରୋଇ ଡାକ୍ତରଖାନା କୋଭିଡ୍‌-୧୯ ପାଇଁ ସ୍ବତନ୍ତ୍ର ଭାବେ ଫିଭର୍‌ କ୍ଲିନିକ୍‌ ପ୍ରତିଷ୍ଠା କରିନାହାନ୍ତି। ଏହିସବୁ ହସ୍ପିଟାଲକୁ ଯାଉଥିବା ଅନ୍ୟ ରୋଗୀଙ୍କୁ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି। ତେଣୁ ୧୮୯୭ ମସିହା ମହାମାରୀ ଆଇନର କ୍ଷମତାକୁ ଉପଯୋଗ କରି ରାଜ୍ୟ ସରକାର ରାଜଧାନୀରେ ଏହି ଫିଭର କ୍ଲିନିକ୍‌ ଘୋଷଣା କରିଛନ୍ତି। ଆମ୍ରି ହସ୍ପିଟାଲ (୦୬୭୪-୬୧୬୫୬୫୬), କଳିଙ୍ଗ ହସ୍ପିଟାଲ (୦୬୭୪-୬୬୬୫୨୦୦), ନୀଳାଚଳ ହସ୍ପିଟାଲ (୨୫୩୬୫୯୦-୯୨/୨୫୩୬୫୯୪), ସନସାଇନ୍ ହସ୍ପିଟାଲ (୯୩୩୮୧୦୮୧୦୮/୦୬୭୪-୩୯୧୧୧୧୧), ସ୍ପର୍ଶ ହସ୍ପିଟାଲ (୦୬୭୪-୬୬୨୬୬୬୬୬, ୨୫୪୦୧୮୩/୧୮୮/୧୮୯), ବ୍ଲୁ ହ୍ବିଲ ହସ୍ପିଟାଲ (୦୬୭୪-୭୧୯୬୬୦୦), କେୟାର ହସ୍ପିଟାଲ(୦୬୭୪-୬୧୬୫୬୫୬), ଅଶ୍ବିନୀ ଆଦିତ୍ୟ ‌ହସ୍ପିଟାଲ (୯୨୩୮୦୦୮୮୦୩), ଭୁବନେଶ୍ବର ହସ୍ପିଟାଲ (୦୬୭୪-୨୭୪୧୪୨୭), ବିଏମ୍‌ଆରଆଇ ଇନଷ୍ଟିଚ୍ୟୁଟ୍‌ ଏଣ୍ଡ ନର୍ସିଂ ହୋମ୍(୦୬୭୪-୨୭୪୦୬୪୧), ପଦ୍ମା ହସ୍ପିଟାଲ (୯୪୩୭୦୭୧୩୮୬), ପଣ୍ଡା ନର୍ସିଂ ହୋମ୍ (୦୬୭୪-୨୩୮୦୫୫୦), ମା’ଶକ୍ତି ହସ୍ପିଟାଲ (୯୯୩୭୨୭୬୨୯୦), ଗ୍ୟାଷ୍ଟ୍ରୋ କିଡ୍‌ନି କେୟାର (୦୬୭୪-୨୫୫୩୩୩୫), ବିବେକାନନ୍ଦ ହସ୍ପିଟାଲ(୯୦୯୦୯୬୦୩୫୩), ଉସ୍ଥି ହସ୍ପିଟାଲ (୦୬୭୪-୨୫୫୦୩୧୨) ‘ଫିଭର କ୍ଲିନିକ୍‌’ ଭାବେ ଘୋଷିତ ହୋଇଛି। ଏହାସହ ଅନ୍ୟ ମ୍ୟୁନିସିପାଲ କମିସନର, ଜିଲ୍ଲାପାଳ ଓ ସିଡିଏମ୍‌ଓମାନେ ନିଜ ନିଜ ଅଞ୍ଚଳରେ ‘ଫିଭର କ୍ଲିନିକ୍‌’ ଭାବେ ଘୋଷଣା କରିବା ଲାଗି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ସଂକ୍ରମିତଙ୍କ ପାଇଁ ସ୍ବତନ୍ତ୍ର ଭାବେ କୋଭିଡ୍‌ ହସ୍ପିଟାଲ ନିର୍ମାଣ କରାଯାଇଛି। ଏ ପର୍ଯ୍ୟନ୍ତ ୮ଟି ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି। ଆଗାମୀ ଦିନରେ ସବୁ ଜିଲ୍ଲାରେ ଏହି ହସ୍ପିଟାଲ ସୁବିଧା ଉପଲବ୍ଧ କରାଯିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର