ପ୍ରାର୍ଥୀ ଚୟନକୁ ନେଇ ଛାତ୍ର ବିଜେଡିରେ ବିବାଦ

0 8

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନି। ହେଲେ ଏହା ପୂର୍ବରୁ ସରଗରମ ହୋଇଉଠିଛି ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ର ରାଜନୀତି। କିଏ ହେବେ ପ୍ରାର୍ଥୀ ତାହାକୁ ନେଇ ଛାତ୍ର ବିଜେଡି ମଧ୍ୟରେ ଟଣାଓଟରା ହେବା ସହ ବିବାଦ ମଧ୍ୟ ମୁଣ୍ଡ ଟେକିଛି। ଛାତ୍ର ବିଜେଡିର ଗୋଟିଏ ଗୋଷ୍ଠୀ ପ୍ରାର୍ଥୀ ଘୋଷଣା ନେଇ ପ୍ରେସ୍‌ ବିଜ୍ଞପ୍ତି ଜାରି କରିଥିବା ବେଳେ ଆଉ ଅନ୍ୟ ଗୋଷ୍ଠୀ ଏହାକୁ ଖଣ୍ଡନ କରିଛନ୍ତି। ଯାହାକୁ ନେଇ ଏହି କ୍ୟାମ୍ପସରେ ଛାତ୍ର ବିଜେଡିରେ ଥିବା ଅନ୍ତର୍ଦ୍ୱନ୍ଦ୍ୱ ପଦାରେ ପଡ଼ିଛି। ବିଜେବି କଲେଜର ପୂର୍ବତନ ଛାତ୍ର ସଂସଦ ସଭାପତି ତଥା କିଛି ଦିନ ତଳେ ଛାତ୍ର ବିଜେଡିକୁ ଫେରିଥିବା ଲଗ୍ନଜିତ୍‌ ପାତ୍ର ଆଜି ଗଣମାଧ୍ୟମକୁ ଏକ ପ୍ରେସ୍‌ ବିଜ୍ଞପ୍ତି ପଠାଇଛନ୍ତି। ଏଥିରେ କୁହାଯାଇଛି ଯେ ବିଜେବି ସ୍ୱୟଂଶାସିତ କଲେଜ ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ର୍ରାର୍ଥୀ ଘୋଷଣା ହୋଇଛି।

ବିଜେବି କଲେଜ ଛାତ୍ର ରାଜନୀତି ସରଗରମ 

ଜିଲ୍ଲା ସଭାପତିଙ୍କ ନାଁରେ ବୁଲିଲା ପ୍ରେସ୍‌ ବିଜ୍ଞପ୍ତି

ତଦନ୍ତ ପାଇଁ ଚିଠି ଲେଖିଲେ ଜିଲ୍ଲା ସଭାପତି

ସୌମିତ୍ରୀ ବତ୍ସଳ ଦାଶ ସଭାପତି ପ୍ରାର୍ଥୀ, ବିଶ୍ୱଜିତ୍‌ ବିଶ୍ୱାଳ ସାଧାରଣ ସମ୍ପାଦକ ଓ ଆଫ୍ରିଦ୍‌ ମହମ୍ମଦ ନାଟ୍ୟ ସମ୍ପାଦକ ପ୍ରାର୍ଥୀ ହେବେ। ଏନେଇ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ବାସଭବନରେ ଗତକାଲି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବିଧାୟକ ଅରୁଣ ସାହୁଙ୍କ ନିର୍ଦେଶକ୍ରମେ ଛାତ୍ର ବିଜେଡି ରାଜ୍ୟ ସଭାପତି ରାଣାପ୍ରତାପ ପାତ୍ରଙ୍କ ସହମତିରେ ପ୍ରାର୍ଥୀ ଚୟନ ହୋଇଛି। ଛାତ୍ର ବିଜେଡି ଭୁବନେଶ୍ୱର ଜିଲ୍ଲା ସଭାପତି କଳ୍ପତରୁ ଓଝା ଓ ଭୁବନେଶ୍ୱର ଜୋନ୍‌ ସଭାପତି ଅଜିତ୍‌ ବେହେରା ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଥିବା ଉଲ୍ଲେଖ କରିଛନ୍ତି। ହେଲେ କଳ୍ପତରୁ କିମ୍ବା ଅଜିତ୍‌ଙ୍କ ଦସ୍ତଖତ ଏଥିରେ ନାହିଁ କିମ୍ବା ଛାତ୍ର ବିଜେଡି ପ୍ୟାଡ୍‌ରେ ବି ବାଜିନି। ଏହାକୁ ନେଇ ପ୍ରାର୍ଥୀ ଘୋଷଣା ଉପରେ ସନ୍ଦେହ ଉପୁଜିଛି। ଜିଲ୍ଲା ସଭାପତି କଳ୍ପତରୁ ଓଝା ଏହାକୁ ଖଣ୍ଡନ କରିଛନ୍ତି। କହିଛନ୍ତି ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା ହୋଇନି। ଯେଉଁ ତାଲିକା ଯାଇଛି ତାହା ମିଥ୍ୟା।

 

ଏଥିସହ ଆଜି ବିଳମ୍ବିତ ରାତିରେ କଳ୍ପତରୁ ଏନେଇ ଛାତ୍ର ବିଜେଡି ରାଜ୍ୟ ସଭାପତି ରଣାପ୍ରତାପ ପାତ୍ରଙ୍କୁ ନିକଟକୁ ଚିଠି ଲେଖିଛନ୍ତି। କହିଛନ୍ତି ବିଜେବି କଲେଜ ପ୍ରାର୍ଥୀ ଚୟନ ନେଇ ଫେସ୍‌ବୁକ୍‌ ଓ ବିଭିନ୍ନ ସୋସିଆଲ୍‌ ମିଡିଆରେ ଏକ ଭୁଲ୍‌ ପ୍ରେସ୍‌ ବିବୃତ୍ତି ବୁଲୁଛି। ମୁଁ କିମ୍ବା ମୋର କୌଣସି ସହଯୋଗୀ ଏଭଳି ପ୍ରେସ୍‌ ବିବୃତ୍ତି ଗଣମାଧ୍ୟମକୁ ଦେଇ ନାହାନ୍ତି। ଏହା ସହ ମୋର ସମ୍ପର୍କ ନାହିଁ କିମ୍ବା ଦସ୍ତଖତ ନାହିଁ। ଏହାର ତଦନ୍ତ କରାଯାଉ। ୨୦୦୪ରୁ ଛାତ୍ର ବଜେଡି ସହ ସମ୍ପୃକ୍ତ ରହିଛି। ସଂଗଠନର ଜଣେ ଶୃଙ୍ଖଳିତ କର୍ମୀ ଭାବେ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି। ପ୍ରେସ୍‌ ବିଜ୍ଞପ୍ତିକୁ କଳ୍ପତରୁଙ୍କ ଖଣ୍ଡନ ପରେ ଲଗ୍ନଜିତ୍‌ କହିଛନ୍ତି ଯେ, ଏହା ଠିକ୍‌, ଏ ନେଇ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।  ବିଜ୍ଞପ୍ତିକୁ ନେଇ ବିଜେବି କ୍ୟାମ୍ପସ ରାଜନୀତି ସରଗରମ ହୋଇଉଠିଛି। ଏଭଳି ବିଜ୍ଞପ୍ତି ପଠାଇବା ପଛରେ କ’ଣ କାରଣ ବୋଲି ପ୍ରଶ୍ନ ଉଠିଛି। ଗତ ଏକ ମାସ ମଧ୍ୟରେ ଏହି କ୍ୟାମ୍ପସରେ ଗୋଟିଏ ସଙ୍ଗଠନର ଦୁଇ ଛାତ୍ରଗୋଷ୍ଠୀ ଏକାଧିକ ଥର ହାତାହାତି ହେବା ଯୋଗୁଁ ୧୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.