ସାଇଡ୍‌ମରାକୁ କେନ୍ଦ୍ର କରି ଉତ୍ତେଜନା, ବ୍ରେଥ୍‌ ଆନାଲାଇଜର ପରୀକ୍ଷା ଦେଲେ ୩ବଙ୍ଗୀୟ ଯୁବତୀ

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ଥାନା ଅଧୀନ ସାମନ୍ତରାପୁରଠାରେ ଏକ କାର୍‌ ସହ ବାଇକ୍‌ ସାଇଡମରାକୁ କେନ୍ଦ୍ର କରି ଉତ୍ତେଜନା ଦେଖା ଦେଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଛି। ଘଟଣାସ୍ଥଳରେ କାର୍‌ରେ ବସିଥିବା ୩ଜଣ ବଙ୍ଗୀୟ ଯୁବତୀଙ୍କୁ ଛାଡ଼ି ଡ୍ରାଇଭର ଫେରାର ହେବାରୁ ଏହି ପରିସ୍ଥିତି ଉପୁଜିଛି। ପୁଲିସ (ଓଆର୍‌୦୨ଏକ୍ସ-୬୮୮୬)କାର୍‌କୁ ଜବତ କରି ଘଟଣାର ଅନୁସନ୍ଧାନ ଚଳାଇଛି।

ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନରେ ୩ଜଣ ବଙ୍ଗୀୟ ଯୁବତୀ କାର୍‌ରେ ପୁରୀରୁ ଆସିଥିଲେ। ସେମାନେ ଶ୍ରୀଲିଙ୍ଗରାଜ ମନ୍ଦିର ଆଡ଼କୁ ଆସିଥିଲେ। ସାମନ୍ତରାପୁରଠାରେ ଯୁବତୀମାନେ ପାଣି ପିଇବା ପାଇଁ ଡ୍ରାଇଭରକୁ କହିବାରୁ ଡ୍ରାଇଭର ଗାଡ଼ି ଅଟକାଇଥିଲେ। ସେଥିରୁ ଜଣେ ଯୁବତୀ ଗାଡ଼ିରୁ ଓହ୍ଲାଇବା ବେଳେ ରାସ୍ତାରେ ଯାଉଥିବା ଏକ ଅଜଣା ବାଇକ୍ ଆସି ଗାଡ଼ିର ଡୋର ସହ ଧକ୍କା ହୋଇଥିଲା। ଏନେଇ ବାଇକ୍‌ ଚାଳକ ଗାଡ଼ି ଡ୍ରାଇଭରକୁ ପାଟି କରିବା ସହ ବିଭିନ୍ନ ଲୋକଙ୍କୁ ଡାକି ଠୁଳ କରିଥିଲେ। ୩ଜଣ ମାତାଲ ଯୁବତୀଙ୍କୁ ନେଇ ଡ୍ରାଇଭର କେଉଁଆଡ଼େ ଯାଉଛି ବୋଲି ବାଇକ୍‌ ଚାଳକ ଲୋକଙ୍କୁ କହିଥିଲେ। ତେବେ ୩ଜଣ ବଙ୍ଗୀୟ ଯୁବତୀଙ୍କର ବ୍ରେଥ୍‌ ଆନାଲାଇଜର ମାଧ୍ୟମରେ ପରୀକ୍ଷା କରାଯାଇଥିଲା। ମାତ୍ର ଏଥିରୁ କିଛି ନବାହାରିବାରୁ ପୁଲିସ ଯୁବତୀଙ୍କୁ ଛାଡ଼ି ଦେଇଥିଲା।

ସମ୍ବନ୍ଧିତ ଖବର