ଚୋରାମଦ ବ୍ୟବସାୟକୁ ନେଇ ଗଣ୍ଡଗୋଳ, ୩ ଆହତ

ବାଲିଅନ୍ତା: ବାଲିଅନ୍ତା ଥାନା ଅନ୍ତର୍ଗତ ଅଲାରପୁର ଗ୍ରାମରେ ଆଜି ରାତି ନଅଟା ସମୟରେ ଚୋରାମଦ ବ୍ୟବସାୟକୁ କେନ୍ଦ୍ର କରି ଦୁଇ ଚୋରାମଦ ବ୍ୟବସାୟୀଙ୍କ ମଧ୍ୟରେ ଭୀଷଣ ଗଣ୍ଡଗୋଳ ହୋଇଛି। ଏହି ଗଣ୍ଡଗୋଳରେ ସଂପୃକ୍ତ ଦୁଇ ଚୋରାମଦ ବ୍ୟବସାୟୀ ରଘୁନାଥ ଭୋଇ(୪୦) ଏବଂ ମିଟୁ ଭୋଇ(୩୫) ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର‌ରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ଗଣ୍ଡଗୋଳ ଛଡ଼ାଇବାକୁ ଯାଇ ଗ୍ରାମର କାଳିଆ ଭୋଇ ନାମକ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି। ରଘୁନାଥ ଓ ମିଟୁ କଟୁରିରେ ପରସ୍ପରକୁ ଆକ୍ରମଣ କରି କ୍ଷତାକ୍ତ ହୋଇଥିଲେ। ବ୍ୟବସାୟରେ ଈର୍ଷାନ୍ବିତ ତଥା ବିରୋଧ କରି ଏଭଳି ଗଣ୍ଡଗୋଳର ସୂତ୍ରପାତ ହୋଇଥିବା ଜଣାପଡ଼ିଛି। ଏନେଇ ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଉଭୟ ରଘୁନାଥ ଓ ମିଟୁ ଏ ସଂପର୍କରେ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବାଳକାଟି ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରୁଛନ୍ତି। ପ୍ରାପ୍ତ ସୂଚନାନୁଯାୟୀ, ଦୀର୍ଘ ଦିନ ହେଲା ଅଲାରପୁର ଗ୍ରାମରେ ଚୋରା ଦେଶୀମଦ ବେପାର ଚାଲିଛି। ସ୍ଥାନୀୟ ମହିଳାମଣ୍ଡଳ ଗୋଷ୍ଠୀ ଏ ସଂପର୍କରେ ପୁଲିସ ଓ ଅବକାରୀ ବିଭାଗରେ ଅଭିଯୋଗ କରିଥିଲେ ମଧ୍ୟ ‌ଗ୍ରାମରେ ଚୋରାମଦ ବନ୍ଦ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି ବୋଲି ଜଣେ ଜନ ପ୍ରତିନିଧି ଅଭିଯୋଗ କରିଛନ୍ତି। ଏ ସଂପର୍କରେ ସତ୍ୟଭ‌ାମାପୁର ସରପଞ୍ଚ ଉମାକାନ୍ତ ଆଚାର୍ଯ୍ୟଙ୍କୁ ପଚାରିବାରେ ଗ୍ରାମରୁ ଚୋରାମଦ ବନ୍ଦ ନେଇ ସଂପୃକ୍ତ ଚୋରାମଦ ବ୍ୟବସାୟୀଦ୍ବୟଙ୍କୁ ତାଗିଦ କରାଯାଇଛି। କିନ୍ତୁ ସେମାନ ଏହାକୁ ଖାତିର୍‌ କରୁନଥିବା କହିଛନ୍ତି। ଚଳିତ ମାସ ୮ତାରିଖରେ ପଞ୍ଚାୟତରୁ ଚୋରାମଦ ବନ୍ଦ କରିବା ନେଇ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହେବ। ମଦ ବନ୍ଦ ନେଇ ଆଲୋଚନା ହେବ।

ସମ୍ବନ୍ଧିତ ଖବର