ଧାରଣାସ୍ଥଳରେ ଛାତ୍ରଙ୍କ ଗୁଣ୍ଡାରାଜ, ଆନ୍ଦୋଳନକାରୀଙ୍କୁ ମାଡ଼ ମାରି ମୋବାଇଲ୍‌ ଛଡ଼ାଇନେଲେ

ଭୁବନେଶ୍ବର: ଧାରଣାସ୍ଥଳରେ ଗୁଣ୍ଡାରାଜ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସହିଦନଗର ଗ୍ରିଡ୍‌କୋ ଅଫିସ୍‌ ନିକଟରେ। ଆନ୍ଦୋଳନକାରୀମାନେ ଧାରଣାରେ ବସିଥିବା ବେଳେ କେତେକ ଯୁବକ ତାଙ୍କୁ ଆକ୍ରମଣ କରିବା ସହ ମୋବାଇଲ୍‌ ଛଡ଼ାଇ ନେଇଥିଲେ। ଏନେଇ ରାଜ୍ୟ ପାୱାର ଇଂଜିନିୟର୍ସ ସଂଘ ପକ୍ଷରୁ ସହିଦନଗର ଥାନାରେ ଅଭିଯୋଗ ହୋଇଛି। ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ବିଭିନ୍ନ ଦାବି ନେଇ ଗତ ୨ ତାରିଖରୁ ସଂଘ ସହିଦନଗର ଗ୍ରିଡ୍‌କୋ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲା। ସୋମବାର ରାତି ପ୍ରାୟ ୧୧ଟାରେ ୫ଟି ନମ୍ବର ନଥିବା ବାଇକ୍‌ରେ ୧୦ରୁ ଊର୍ଧ୍ବ ଯୁବକ ମୁହଁରେ ମୁଖା ପିନ୍ଧି ସେଠାରେ ପହଞ୍ଚିଥିଲେ। ଆନ୍ଦୋଳନକାରୀମାନେ କିଛି ବୁଝିବା ପୂର୍ବରୁ ଯୁବକମାନେ ଠେଙ୍ଗାବାଡ଼ି ଧରି ଅତର୍କିତ ଆକ୍ରମଣ କରିଥିଲେ। ଷ୍ଟେଜ୍‌ ଭାଙ୍ଗିବା ସହ ପୋଷ୍ଟର ଚିରି ଦେଇଥିଲେ। ମାଡ଼ ମାରି ମୋବାଇଲ୍‌ ଛଡ଼ାଇ ନେଇଥିଲେ। ତେବେ ସେମାନେ କିଏ ? କାହିଁକି ଏଭଳି ଆକ୍ରମଣ କଲେ? ତାହା ଏବେ ବି ରହସ୍ୟ‌‌ରେ। ତେବେ କେତେକ ଇଂଜିନିୟରିଂ ଛାତ୍ର ଏଭଳି କାଣ୍ଡ ଘଟାଇଥିବା ସଂଘ କହିଛି।

ସମ୍ବନ୍ଧିତ ଖବର