ଖଣ୍ଡଗିରି : ଏକ ନାଟକର ନାମକରଣକୁ ବିରୋଧ କରି ଓ ତାହାକୁ ବାତିଲ କରିବା ଦାବିରେ ସୋମବାର ରାଷ୍ଟ୍ରୀୟ ଦିବ୍ୟାଙ୍ଗ ଜନ ସଂଘ ‘କୋଣାର୍କ ଗଣନାଟ୍ୟ’ ବିରୋଧରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛି। ଖଣ୍ଡଗିରି ଥାନା ପୁଲିସ ସଂଘର ଏତଲାକୁ ଗ୍ରହଣ କରି ମାମଲାର ଆଇନଗତ ଦିଗ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି। ତେବେ ସଂଘକୁ ଭୟ କରି ଖଣ୍ଡଗିରି ପେଣ୍ଡାଲରେ ଲଗା ଯାଇଥିବା ନାଟକ ହୋର୍ଡିଂକୁ ହଟାଇ ନିଆଯାଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଆଜି ହୋର୍ଡିଂ ହଟିଥିବାରୁ ଆଗକୁ ନାଟକର ଭବିଷ୍ୟତକୁ ନେଇ ଆଲୋଚନା ହେଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ଯେ ଖଣ୍ଡଗିରି ପେଣ୍ଡାଲରେ କୋଣାର୍କ ଗଣନାଟ୍ୟ ଏହି ବିବାଦୀୟ ନାମକରଣ ଥିବା ନାଟକଟିକୁ ମଞ୍ଚସ୍ଥ କରିବ ବୋଲି ଏକ ହୋର୍ଡିଂ ଲଗାଇଥିଲା। ଏହି ନାଟକକୁ ରାଷ୍ଟ୍ରୀୟ ଦିବ୍ୟାଙ୍ଗ ଜନସଂଘ ବିରୋଧ କରି ଆସୁଥିବାରୁ ଏଠାରେ ମଧ୍ୟ ବିରୋଧ କରାଯିବ ବୋଲି ଗତକାଲିଠାରୁ ଘୋଷଣା କରାଯାଇଥିଲା। ଆଜି ପୂର୍ବାହ୍ନ ୧୦ଟାରେ ସଂଘ ପକ୍ଷରୁ ଖଣ୍ଡଗିରି ପେଣ୍ଡାଲରେ ଲଗା ଯାଇଥିବା ବ୍ୟାନର୍ ଓ ହୋର୍ଡିଂକୁ ପୋଡ଼ା ଯିବାର ଥିଲା। କିନ୍ତୁ ସକାଳୁ ସକାଳୁ ପେଣ୍ଡାଲ ନିକଟରୁ ଏହି ହୋର୍ଡିଂ ଓ ବ୍ୟାନର୍କୁ ବାହାର କରି ନିଆଯାଇଥିଲା। ତେଣୁ ସଂଘ ପେଣ୍ଡାଲକୁ ନ ଯାଇ ସିଧା ଖଣ୍ଡଗିରି ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲା। ସଂଘର ଅଭିଯୋଗ ଅନୁସାରେ ନାଟକର ନାମକରଣ ଦିବ୍ୟାଙ୍ଗମାନଙ୍କ ସମ୍ମାନରେ ଆଞ୍ଚ ଆଣୁଛି ଓ ସେମାନଙ୍କ ମାନବାଧିକାରକୁ କ୍ଷୁର୍ଣ୍ଣ କରୁଛି। ଏବେ ସମାଜରେ ଦିବ୍ୟାଙ୍ଗମାନଙ୍କୁ ଲୋକେ ସମ୍ମାନ ଦେବା ଆରମ୍ଭ କରିଥିବାବେଳେ ଏହି ଯାତ୍ରା ଦଳ ଦିବ୍ୟାଙ୍ଗମାନଙ୍କ ନାମକୁ ନେଇ ବେପାର କରିବାକୁ ବସିଛି। ତେଣୁ ନାଟକକୁ ସଂପୂର୍ଣ୍ଣ ବାତିଲ ହେବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ ବୋଲି ଥାନାକୁ ଆସିଥିବା ସଂଘର ସଦସ୍ୟମାନେ କହିଥିଲେ। ପୁଲିସ ଖଣ୍ଡଗିରିରେ ଏହି ନାଟକକୁ ବନ୍ଦ ନ କଲେ, ପେଣ୍ଡାଲରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ସଂଘ ଚେତାବନୀ ଦେଇଛି।