ଭୁବନେଶ୍ବର: ପ୍ରେମ କାହାଣୀକୁ ନେଇ ଆଜି ପରଦାକୁ ଆସୁଛି ‘ବୈଶାଳୀ’। ଅଭିଷେକ ରଥ ବିବାହ ପରେ ଏହି ଚଳଚ୍ଚିତ୍ର ଜଗତରେ ପୁଣି ସିନେମାକୁ ଫେରିଥିବା ବେଳେ ପ୍ରୀତ୍ ଜୈନ୍ ଓ ସୁମନ ପ୍ରିୟାଙ୍କ ଭଳି ନୂଆ ମୁହଁଙ୍କୁ ଲିଡ୍ ଭୂମିକାରେ ଦେଖିବାକୁ ମିଳିବ। ବୈଶାଳୀ ପ୍ରଡକ୍ସନ୍ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରରେ ବିଜୟ ମହାନ୍ତି, ଅପରାଜିତା, ପ୍ରତିଭା ପଣ୍ଡା, ପୃଥ୍ବୀରାଜଙ୍କ ଭଳି ଅଭିଜ୍ଞ କଳାକାରଙ୍କୁ ଦେଖିବାକୁ ମିଳିବ। ସୁଧିର୍ କୁମାର ଚଳଚ୍ଚିତ୍ରର ପ୍ରଯୋଜନା ସହ କାହାଣୀ ଲେଖିଥିବା ବେଳେ ଚିତ୍ରନାଟ୍ୟ ଓ ନିର୍ଦେଶନା ଭାର ସମ୍ଭାଳିଛନ୍ତି ଆଶୁତୋଷ ଦାସ। ଅଭିଜିତ ମଜୁମଦାରଙ୍କ ସଂଗୀତ ନିର୍ଦେଶନାରେ ଗୀତଗୁଡ଼ିକ ମେଲୋଡିୟସ ହୋଇଛି। କିଛି ଦୃଶ୍ୟ ଭାରତ-ଚାଇନା ସୀମାରେଖାରେ ସୁଟିଂ କରାଯାଇଛି। ସିନେପଲିସ, ଏକାମ୍ର, ରବି ଟକିଜ୍ରେ ଏହି ନୂଆ ଚଳଚ୍ଚିତ୍ରର ମଜା ନେଇପାରିବେ ଦର୍ଶକ।
ଏଥିସହ ପରଦାକୁ ଆସିଛି ଆମେରିକାନ୍ ମ୍ୟୁଜିକାଲ୍ ଫିଲ୍ମ ୧୯୯୪ରେ ଡିସ୍ନି ଦ୍ବାରା ନିର୍ମିତ ଦି ଲାଇନ୍ କିଙ୍ଗ୍ର ଆନିମେଟେଡ୍ ରିମେକ୍। ହିନ୍ଦୀରେ ମୁଖ୍ୟ ଚରିତ୍ରରେ ଆର୍ଯ୍ୟାନ୍ ଖାନ୍ ସିମ୍ଭା ଭୂମିକାରେ ସ୍ବର ଦେଇଥିବା ବେଳେ ଶାହରୁଖ୍ ଖାନ୍ ସିମ୍ବାର ବାପା ମୁଫାସା ଭୂମିକାରେ ସ୍ବର ଦେଇଛନ୍ତି। ଏତଦ୍ବ୍ୟତୀତ ଆଶିଷ ବିଦ୍ୟାର୍ଥୀ ଓ ଶ୍ରେୟାସ ତଲପଡ଼େ, ଆସରାନୀ, ସଂଜୟ ମିଶ୍ର, ନେହା ଗର୍ଗଭା, ସେର୍ନାଜ ପଟେଲ୍ ପ୍ରମୁଖ ସ୍ବର ଦେଇଛନ୍ତି। ଡନ୍ ଫାବ୍ରିୟୁ ଏହାର ପ୍ରଯୋଜନା ସହ ନିର୍ଦେଶନା ଦେଇଛନ୍ତି। ଚଳଚ୍ଚିତ୍ରଟି ମୁକ୍ତିଲାଭ ପୂର୍ବରୁ ଚର୍ଚ୍ଚାରେ ରହିଥିବା ବେଳେ ଏହା ଅଧିକାଂଶ ସିନେମା ହଲ୍ରେ ମୁକ୍ତିଲାଭ କରିଛି। ଏଥିସହ କମେଡି ଓ ରୋମାଣ୍ଟିକ୍ ଫିଲ୍ମ ଋଷି କପୁର୍ଙ୍କ ଅଭିନୀତ ‘ଝୁଠା କହିଁକା’ ମୁକ୍ତିଲାଭ କରୁଛି। ଦୀପକ ମୁକୁତଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରରେ ନିର୍ଦେଶନା ଦେଇଛନ୍ତି ସ୍ମିପ୍ କଙ୍ଗ୍। ଓଁକାର କପୁର, ସନ୍ନି ସିଂହ, ଜିମି ସେର୍ଗିଲ୍, ନିମିଷା ମେହଟ୍ଟା, ମନୋଜ ଜୋଷୀ, ଲିଲେଟେ ଦୁବେ ପ୍ରମୁଖ ଅଭିନୟ କରୁଛନ୍ତି। ପୁଣି ପରିବାର, ସଂସ୍କୃତି ଏବଂ ଏହା ଉପରେ ଆଧୁନିକ ଚିନ୍ତାଧାରାର ପ୍ରଭାବକୁ ନେଇ ମୁକ୍ତିଲାଭ କରିବାକୁ ଯାଉଛି ‘ଫ୍ୟାମିଲି ଅଫ୍ ଠାକୁରଗଞ୍ଜ୍’। ମନୋଜ ଝା’ଙ୍କ ନିର୍ଦେଶିତ ଏହି ଚଳଚ୍ଚିତ୍ରରେ ଜିମି ସେର୍ଗିଲ୍, ମାହି ଗିଲ୍, ସୌରଭ ଶୁକ୍ଳା, ସୁଧିର ପାଣ୍ଡେ, ସୁପ୍ରିୟା ପିଲ୍ଗାଓଁକାର, ପୱନ ମାଲ୍ହୋତ୍ରା, ୟଶପାଲ୍ ଶର୍ମା, ମନୋଜ ପାହ୍ବା, ମୁକେଶ ତିୱାରୀ, ନନ୍ଦିଶ୍ ସିଂହ ପ୍ରମୁଖ ଅଭିନୟ କରିଛନ୍ତି।