ଉଧେଇବ ତ ସିନେମା ହଲ୍‌!

ଭୁବନେଶ୍ବର : କରୋନା କେବଳ ସ୍ବାଭାବିକ ଜୀବନ ଯାତ୍ରାକୁ ବିଗାଡ଼ି ଦେଇନାହିଁ, ଅର୍ଥନୀତିକୁ ମଧ୍ୟ ମୋଡ଼ି ମକଚି ପକାଇଛି। ଧୀରେ ଧୀରେ ବିଭିନ୍ନ ଶିଳ୍ପ ସଂସ୍ଥାକୁ ଖୋଲିବାକୁ ଅନୁମତି ମିଳିଲାଣି। ମାତ୍ର ମନୋରଂଜନ ଶିଳ୍ପ ଖୋଲିବା ନେଇ ଏବେ ବି ଅନିଶ୍ଚିତତା ଲାଗି ରହିଛି। ସିନେମା ଓ ସିନେମା ହଲ୍ ପରସ୍ପର ଉପରେ ନିର୍ଭରଶୀଳ। କିନ୍ତୁ, ନା ସିନେମା ନିର୍ମାଣ ପାଇଁ ସବୁଜ ସଙ୍କେତ ଦିଆଯାଉଛି, ନା ଅଟକି ରହିଥିବା ସିନେମାକୁ ଚଲାଇବା ପାଇଁ ସିନେମା ହଲ୍‌ ଖୋଲିବାକୁ ଅନୁମତି ମିଳିଛି। ୧୯୯୯ମହାବାତ୍ୟା ଏମିତି କୋପ କରିଥିଲା ଯେ ଭାଙ୍ଗିରୁଜି ଯାଇଥିବା ପୁରୁଣା ସିନେମା ହଲ୍‌ ଆଉ ଛିଡ଼ା ହେଇପାରିଲେ ନାହିଁ। ଦୀର୍ଘ ଦିନ ପରେ ଏଇ କରୋନା ଲକ୍‌ଡାଉନ୍‌ ଯଦିଓ ସିନେମା ହଲ୍‌ ଭଙ୍ଗାରୁଜା କରିନି, କିନ୍ତୁ ଆର୍ଥିକ ଅବସ୍ଥାକୁ ସ୍ଥାଣୁ କରିସାରିଲାଣି। ସ୍ଥିତି ଏମିତି ଯେ ବିଦ୍ୟୁତ୍‌ ଦେୟ ଭରିବା ବି ଅସମ୍ଭବ ହେଲାଣି।

ଓଡ଼ିଆ ସିନେମା ଶିଳ୍ପ ରୁଗ୍‌ଣ ସ୍ଥିତିରେ ଥିଲେ ହେଁ ଧୀରେଧୀରେ ପୁଣି ମୁଣ୍ଡ ଟେକୁଥିଲା। ସିନେମା ହଲ୍‌ ଥିବାରୁ ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ ପାଇଁ ରାହା ପାଉଥିଲା। ସିନେମା ହଲ୍‌ ଆବଶ୍ୟକ କର ଦେବା ସହ ରାଜ୍ୟ ରାଜକୋଷକୁ ଶକ୍ତ କରିବାରେ ଅଂଶୀଦାର ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଦୁର୍ଦ୍ଦିନ ସମୟ ଦେଇ ଗତି କରୁଥିବାରୁ ଏବେ ଓଡ଼ିଶା ସିନେମା ହଲ୍‌ ସଂଘ ସରକାରଙ୍କ ଶରଣ ପଶିଥିଲେ ବି ସରକାର ଆଡ଼ ଆଖିରେ ଚାହୁଁନାହାନ୍ତି। ଅଲ୍‌ ଓଡ଼ିଶା ସିନେମା ହଲ୍‌ ମାଲିକ ସଂଘର ସଭାପତି ବିଜେନ୍ଦ୍ର କୁମାର ମହାନ୍ତି କହିଛନ୍ତି, ମାର୍ଚ୍ଚ ୧୩ ତାରିଖରୁ ସିନେମା ହଲ୍‌ ବନ୍ଦ ରହିଛି। ଏନେଇ ସରକାରଙ୍କୁ ନିବେଦନ ପରେ କେବଳ ଦୁଇ ମାସ ଏପ୍ରିଲ୍‌ ଓ ମେ’ ମାସର ବିଦ୍ୟୁତ ଦେୟ (ମିନିମମ ଡିମାଣ୍ଡ ଚାର୍ଜ) ଛାଡ଼ କରିଛନ୍ତି। ଏଣେ ସିନେମା ହଲ୍ କେବେ ଖୋଲିବ, ତାହାର କୌଣସି ଗ୍ୟାରେଣ୍ଟି ନାହିଁ। ତେଣୁ ସିନେମା ହଲ୍‌ ଖୋଲିବା ପର୍ଯ୍ୟନ୍ତ ଏହି ମିନିମମ ଡିମାଣ୍ଡ୍‌ ଚାର୍ଜ ବିଦ୍ୟୁତ ଦେୟ (୭୦ପ୍ରତିଶତ) ଓଡ଼ିଶାର ସିନେମା ହଲ୍‌ଗୁଡ଼ିକ ଉପରେ ଲାଗୁ ନହେଉ। ଏହା ବାଦ୍‌ ଏବେ ଯେଉଁ ବିଦ୍ୟୁତ ଖର୍ଚ୍ଚ ହେଉଛି, ତାହା ଅନ୍ତତଃ ସିନେମା ହଲ୍‌ ଖୋଲିବା ପର୍ଯ୍ୟନ୍ତ ନ ନେବାକୁ ଦାବି ରଖିଛୁ। ଏହା ସରକାରଙ୍କ ହାତରେ ଥିବାରୁ ପାଳନ କରିପାରିବେ। ତେଣୁ ଏହା ଉପରେ ଧ୍ୟାନ ଦେବାକୁ ନିବେଦନ।

ହଲ୍‌ ଖୋଲିବା ଆଶା କ୍ଷୀଣ
ସିନେମା ହଲ୍‌ ଖୋଲିବା ନେଇ ନିକଟ ଭବିଷ୍ୟତରେ କୌଣସି ଆଶା ଦେଖାଯାଉ ନାହିଁ। ହିନ୍ଦୀ ଚଳଚ୍ଚିତ୍ର ମୁକ୍ତିଲାଭ ନ କରିବା ପର୍ଯ୍ୟନ୍ତ ଆମେ ସିନେମା ହଲ୍‌ ଖୋଲିବାର କିଛି ମା‌ନେ ହିଁ ନାହିଁ। ପ୍ରଥମେ ମୁମ୍ବାଇରେ ଚଳଚ୍ଚିତ୍ର ମୁକ୍ତିଲାଭ କରିବା ନେଇ ଘୋଷଣା ହେବା ପରେ ଆମେ ଏଠାରେ ସିନେମା ହଲ୍‌ ଖୋଲିବା ନେଇ ଚିନ୍ତା କରିପାରିବୁ ବୋଲି କହିଛନ୍ତି ମହାରାଜା ସିନେମା ହଲ୍‌ର ସ୍ବତ୍ବାଧିକାରୀ ଲିଙ୍ଗରାଜ ପଣ୍ଡା। ତେବେ ଅନ୍ୟ ସିନେମା ହଲ୍‌ ଯଦିଓ ଖୋଲିପାରେ କିନ୍ତୁ ଯେପର୍ଯ୍ୟନ୍ତ ବଡ଼ବଡ଼ ମାର୍କେଟ୍‌ କମ୍ପ୍ଲେକ୍ସ ନଖୋଲିଛି, ସେପର୍ଯ୍ୟନ୍ତ ମଲ୍‌ଟିପ୍ଲେକ୍ସ ସିନେମା ହଲ୍‌ଗୁଡ଼ିକ ଖୋଲିବାର ସମ୍ଭାବନା ମଧ୍ୟ ‌କ୍ଷୀଣ।

ନୂଆ ନିୟମ ଅନୁସାରେ ଖୋଲିପାରିବ
କରୋନା ମୁକାବିଲା ସହ ଗାଇଡଲାଇନ୍‌କୁ ଅନୁସରଣ କରି ସିନେମା ହଲ୍‌ ଚଲା ଯାଇପାରିବ ବୋଲି କହିଛନ୍ତି ଅଲ୍ ଓଡ଼ିଶା ସ‌ିନେମା ହଲ୍‌ ମାଲିକ ସଂଘର ସଭାପତି ବିଜେନ୍ଦ୍ର କୁମାର ମହାନ୍ତି। ସେ କହିଛନ୍ତି, ସର୍ବଭାରତୀୟ ସ୍ତରରେ ସିନେମା ହଲ୍‌ ଖୋଲିବା ପାଇଁ ଯଦି ଅନୁମତି ମିଳେ, ତେବେ ଆମେ କିଛି ନିର୍ଦିଷ୍ଟ ନିୟମ ପାଳନ କରି ସିନେମା ହଲ୍‌ ଚଲାଇପାରିବୁ। ଟିକେଟ୍‌ ବୁକିଂ କେବଳ ଅନଲାଇନ୍‌ ଜରିଆରେ କରିବୁ। ଫଳରେ ଧାଡ଼ିରେ ଛିଡ଼ା ହୋଇ ଆଉ ଟିକେଟ୍‌ ନେବାକୁ ପଡ଼ିବ ନାହିଁ। ଯୁଗ୍ମ-ଅଯୁଗ୍ମ ଭିତ୍ତିରେ ଟିକେଟ୍‌ ବିକ୍ରି କରିବୁ। ମାସ୍କ, ଗ୍ଲୋବ୍‌ସ ପିନ୍ଧି ଆସୁଥିବା ଲୋକଙ୍କୁ ଚେକ୍‌ କରି ଭିତରକୁ ଛାଡ଼ିବାକୁ ଅନୁମତି ଦେବୁ। ପ୍ରତି ସୋ’ ପରେ ହଲ୍‌କୁ ସାନିଟାଇଜ୍‌ କରାଇବୁ। ତେବେ ଏହା ଦର୍ଶକଙ୍କ ପାଇଁ ବ୍ୟୟବହୁଳ ହେବ। ଏ ସବୁକୁ ଦୃଷ୍ଟିରେ ରଖି ଆଗେ ଶିଳ୍ପକୁ ସ୍ବାଭାବିକସ୍ତରକୁ ଆସିବା ପର୍ଯ୍ୟନ୍ତ ସମସ୍ତ କର ମୁକ୍ତ କରାଗଲେ ହିଁ ଏହା ସମ୍ଭବ ହୋଇପାରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର