ବାଣ ଆଣିବା, ଜଟଣୀ ଚାଲ
ଭୁବନେଶ୍ୱର/ଜଟଣୀ : ବାଣ ଫୁଟାଇବା ପୂର୍ବରୁ ହଜାରେ ବାରଣ । ଏଣେ ସୁପ୍ରିମ୍ କୋର୍ଟ କଟକଣା ଲଗେଇଛି ତେଣେ ପାଣିପାଗ କାର୍ଯ୍ୟାଳୟ ବର୍ଷା ହବ କହି ଡରାଉଛି। ପୁଣି ୧୨୦ ଡେସିବଲ୍ରୁ ଅଧିକ ଶବ୍ଦର ବାଣ ନଫୁଟାଇବାକୁ କଡ଼ା ତାଗିଦ୍। ସଚେତନ ନାଗରିକ ଏସବୁ ବାରଣ ଓ ତାଗିଦ୍କୁ ସମ୍ମାନ ସିନା ଦେଇଛନ୍ତି, ହେଲେ ମନ କୋଉ ବୁଝୁଛି ଯେ ? ତେଣୁ ଉତ୍ସାହୀ ବ୍ୟକ୍ତିଙ୍କ ମନ ଜାଣି ଖୋଲିଛି ଜଟଣୀ ବାଣ ବଜାର। ଆଲୋକର ପର୍ବ ଦୀପାବଳିକୁ ଫିକା ନଛାଡ଼ିବା ପାଇଁ ବଜାରକୁ ଆସିଛି ରକମରକମର ବାଣ। ତେବେ ଫୁଟାବାଣ ଅପେକ୍ଷା ଏଥର ଅଫୁଟା ବାଣ ବଜାର ସାରା ଛାଇଯାଇଛି। ଅଫୁଟା ବାଣ ଭିତରେ ସବୁଠୁ ଶୀର୍ଷରେ ରହିଛି ଫୁଲଝରି, କୁମ୍ପି ଓ ନୂଆ କିସମର ଦିଆସିଲି ବାଣ। ଖାଲି ସେତିକି ନୁହେଁ ଚଡ଼ଚଡ଼ି ଓ ବହୁରଙ୍ଗୀ ସଟ୍ସ ଆକର୍ଷଣ ସାଜିଛି। ସହର ମଧ୍ୟରେ ବାଣ ଦୋକାନ ପାଇଁ ମାତ୍ର ୩ ଦିନ ପାଇଁ ଅନୁମତି ମିଳିଛି। ତେଣୁ ଏହି କଟକଣା କାରଣରୁ ଏବେ ବାଣ ପ୍ରେମୀଙ୍କ ଗାଡ଼ି ଜଟଣୀ ଆଡ଼କୁ ମୁହାଇଁଛି। ଜଟଣୀ ପାଇକାରୀ ବଜାରରୁ ବାଣ କିଣିବା ପାଇଁ ଲମ୍ବା ଲାଇନ୍ ଲାଗିଛି।
Sambad is now on WhatsApp
Join and get latest news updates delivered to you via WhatsApp
କୁକୁଡ଼ା ଭଳି ବୋବେଇବ
ଏଥର ବଜାରକୁ ଯେଉଁ କେତୋଟି ଭିନ୍ନ କିସମର ବାଣ ଆସିଛି ତା ମଧ୍ୟରେ ଶୁଣିବା ପାଇଁ ସବୁଠୁ ଆକର୍ଷଣୀୟ ସାଜିଛି ‘କକ୍ଟେଲ୍’। ଶିବକାଶୀରୁ ପ୍ରସ୍ତୁତ ହୋଇ ଆସିଥିବା ଏହି ବାଣର ବିଶେଷତ୍ୱ ହେଉଛି ଯେ ଏଥିରେ ନିଆଁ ଲାଗିଲେ ଏହା କୁକୁଡ଼ା ଭଳି ବୋବେଇବ ଅର୍ଥାତ କୁକୁଡ଼ାର ସ୍ୱର ଏହି ବାଣରୁ ନିଃସୃତ ହେବ। ଖାଲି ସେତିକି ନୁହେଁ କିଛି ମିନିଟ୍ ଧରି ବାଣଟି ମନୋରଂଜନ କରିବା ସହ ଏହାର ରଙ୍ଗ ବଦଳିବ। ପିଲାମାନଙ୍କ ପାଇଁ ଏହି ବାଣର ଅଧିକ ଆକର୍ଷଣ ରହିଥିବା ବେଳେ ‘କକ୍ଟେଲ୍’ର ପାଇକାରୀ ଦର ବଜାର ଅପେକ୍ଷା ଯଥେଷ୍ଟ କମ୍ ରହିଛି। ଚଳିତ ବର୍ଷ ଏହାର ଯଥେଷ୍ଟ ଚାହିଦା ରହିଛି ବୋଲି ମନୋଜ ସିଜିନ୍ ସେଣ୍ଟରର ମନୋଜ କୁମାର ସାହୁ କହିଛନ୍ତି।
ବହୁ ରଙ୍ଗୀ ଫୁଲଝରି
ଫୁଲଝରିର ନାଁ ହେଉଛି ‘ମ୍ୟାଜିକ୍ ମିକ୍ସ’। ଏଥିରେ ବହୁବିଧ ରଙ୍ଗ ଦୃଶ୍ୟମାନ ହେଉଥିବାରୁ ଏହାର ନାଁ ମ୍ୟାଜିକ୍ ମିକ୍ସ ରହିଛି। ବିଶେଷକରି ଇଲେକ୍ଟ୍ରିକ୍, କ୍ରାକ୍ଲିଙ୍ଗ୍ ସମେତ ନାଲି, ନୀଳ, ହଳଦୀ ରଙ୍ଗ ଏହି ବାଣ ଫୁଟାଇବା ବେଳେ ଦୃଶ୍ୟମାନ ହେବ। ଏହି ବାଣ ରାୟପୁରରୁ ଆସିଥିବା ବେଳେ କକ୍ଟେଲ୍ ଭଳି ଏହି ବାଣ ବିଷୟରେ ଶୁଣିବା ପରେ ପିଲାମାନେ ନେବା ପାଇଁ ଆଗ୍ରହ ପ୍ରକାଶ କରିବେ ବୋଲି ପ୍ରମୋଦ ସିଜିନ୍ ସେଣ୍ଟର୍ର ପ୍ରମୋଦ କୁମାର ଦାସ କହିଛନ୍ତି। ସେହିଭଳି ଏଥର ଆସିଥିବା ଦିଆସିଲି ବାଣ ମଧ୍ୟ କମ୍ ଆକର୍ଷଣ ସାଜିନି। ଦିଆସିଲି ଭଳି ନୁହେଁ ବରଂ ଏକ ୫ଟି ଟ୍ୟୁବ୍ରେ ୫ କିସମର ଦିଆସିଲି ବାଣ ବଜାରକୁ ଆସିଛି। ଯେଉଁଥିରେ ଇଲେକ୍ଟ୍ରିକ୍, ନାଲି, ନୀଳ, ଗୋଲ୍ଡ ଷ୍ଟାର୍ ଓ ଜିଲ୍ଜିଲ୍ ଆଦି ଭଳିକି ଭଳି ଦିଆସିଲି ବାଣ ଉପଲବ୍ଧ ହେବ।
ଆକାଶ ଛତା
ନା’ ଫୁଟିବାର ଭୟ ଅଛି ନା ନିଆଁ ଝୁଲ ଝରିବାର ଆଶଙ୍କା ଅଛି। ବରଂ ଆକାଶ ଛତାକୁ ନିଜ ହାତରେ ଉଡ଼ାଇବାର ଅନୁଭବ ନେବା ପାଇଁ ଆକାଶ ଛତା ତଥା ସ୍କାଏ ଲାଲ୍ଟେନ୍ର ଢେର୍ ଚାହିଦା ରହିଛି। ୧୦୦ ପ୍ରତିଶତ କଟନ୍ ଆସ୍ତରଣରେ ପ୍ରସ୍ତୁତ ଏହି ଆକାଶ ଛତାରେ ଅଗ୍ନି ସଂଯୋଗ କରି ଉଡ଼ାଇବାର ଉତ୍ସୁକତା ଥିବାରୁ ଏହାର ବିକ୍ରିବଟା ପୂର୍ବବର୍ଷ ତୁଳନାରେ ବଢ଼ିଛି। ଏହାର ପାଇକାରୀ ଦର ୧୦ଟି ପିଛା ୨୫ରୁ ୩୦ ଟଙ୍କା ରହିଥିବା ବେଳେ ଖୁଚୁରା ବଜାରରେ ଏହା ୩୦ରୁ ୪୦ ଟଙ୍କାରେ ଉପଲବ୍ଧ ହେଉଛି। ସମ୍ପୂର୍ଣ୍ଣ ଅଗ୍ନି ଅବରୋଧକ ହୋଇଥିବାରୁ ଏହାକୁ ବିନା ଦ୍ୱିଧାରେ ଉଡ଼ାଇ ଦୀପାବଳିର ମଜ୍ଜା ନେଇ ହେବ ବୋଲି ଲଳିତ ଭଣ୍ଡାରର ଲଲାଟେନ୍ଦୁ ବେବର୍ତା କହିଛନ୍ତି।
ଫିପ୍ଟି-ଫିପ୍ଟି
ତାରା ଭଳି ଝୁଲ ସାଙ୍ଗକୁ ବହୁ ରଙ୍ଗର ଅନୁଭବ ଦେବ ‘ଷ୍ଟାର୍ ଫଲ୍ସ’। ଏହା ହାଓଡ଼ାରୁ ଆସିଥିବା ବେଳେ ଶିବକାଶୀରୁ ଆସିଥିବା ୫୦-୫୦ ତଥା ଦୋରଙ୍ଗୀ ଫୁଲଝରି ଅନ୍ୟତମ ଆକର୍ଷଣ ପାଲଟିଛି। ଅଧା ନାଲି ରଙ୍ଗ ପରେ ଆର ଅଧକ ନେଳୀ ରଙ୍ଗର ଅନୁଭୂତି ଦେବ। ସେହିଭଳି ସମ୍ପୂର୍ଣ୍ଣ ଗୋଲାପୀ ଚମକ ଭରିବ ପିଙ୍କ୍ ସ୍ପାର୍କ୍ଲସ। ବିଶେଷକରି ଏଥର ଫୁଟାବାଣ ପ୍ରତି ନଜର ହଟୁଥିବାରୁ ଫୁଲଝରିର ଅନେକ ଭେରାଇଟି ଉପଲବ୍ଧ ହେଉଥିବା ମହାବୀର ଭଣ୍ଡାରର ତ୍ରିଲୋଚନ ପଟ୍ଟନାୟକ କହିଛନ୍ତି।
ବାଣର ନାଁ ଭାୟୋଲିନ୍
ଏଥର ଫୁଟାବାଣ ମଧ୍ୟରେ ସଟ୍ର ଚାହିଦା ଢେର୍। ଜଟଣୀ ପାଇକାରୀ ବଜାର ସିଜିନ୍ ସେଣ୍ଟରରେ ଉପଲବ୍ଧ ଥିବା ସଟ୍ଗୁଡ଼ିକ ମଧ୍ୟରେ ବହୁବିଧ ରଙ୍ଗ ବିଶିଷ୍ଟ ‘କଲର କ୍ୱିନ୍’ ସଟ୍ସ ସାଙ୍ଗକୁ ଭାୟୋଲିନ୍, ହାର୍ମୋନିକା, ଡ୍ରମ୍ ନାମରେ ବିଭିନ୍ନ ସଟ୍ସ ଉପଲବ୍ଧ ହେଉଛି। ଯେଉଁଗୁଡ଼ିକ ମୁଖ୍ୟତଃ ତୋପବାଣ ସଦୃଶ। ଏହା ବି ୬୦ରୁ ୭୦ ଡେସିବଲ୍ ମଧ୍ୟରେ ସୀମିତ ବୋଲି ପାଇକାରୀ ବିକ୍ରେତା ମନୋଜ କୁମାର ସାହୁ କହିଛନ୍ତି।
ଜିଏସ୍ଟି ଓ ଟ୍ରକ୍ ଷ୍ଟ୍ରାଇକ୍ ନାକେଦମ କଲା
ବାଣରେ ମୁଖ୍ୟତଃ ୨୮ ପ୍ରତିଶତ ଜିଏସ୍ଟି ଲାଗିଥିବାରୁ ପାଇକାରୀ ବଜାରକୁ ବାଣ ଆସିବାରେ ବିଳମ୍ବ ହୋଇଥିଲା। ତା ସାଙ୍ଗକୁ ୧୩ରେ ଟ୍ରକ୍ ଷ୍ଟ୍ରାଇକ୍ ହେବ ବୋଲି ଘୋଷଣା ଯୋଗୁଁ ବାଣ ଶିବକାଶୀରୁ ପହଞ୍ଚିବା ବିଳମ୍ବ ହୋଇଥିଲା। ତେଣୁ ଜିଏସ୍ଟି ଯୋଗୁଁ ବାଣ ମୂଲ୍ୟ ବି ଏଥର ପୂର୍ବାପେକ୍ଷା ଅଧିକ ରହିଛି। ଜଟଣୀରେ ସମୁଦାୟ ୯ଟି ସିଜିନ୍ ସେଣ୍ଟର ରହିଥିବା ବେଳେ ଶରତ ପାଇକରାୟ ଷ୍ଟାଡିୟମ ପରିସରରେ ୫୮ଟି ଖୁଚୁରା ବଜାରରେ ବାଣର ବିକ୍ରିବଟା ଆରମ୍ଭ ହୋଇଛି।