ବ୍ୟାଙ୍କରେ ଅଗ୍ନିକାଣ୍ଡ, ଜଳିଗଲା ଜରୁରୀ କାଗଜପତ୍ର ଅଳ୍ପକେ ବଡ଼ ଦୁର୍ଘଟଣା ଟଳିଲା

ଭୁବନେଶ୍ବର: ବାପୁଜୀନଗରସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଆ(ଏସ୍‌ବିଆଇ) ଶାଖାରେ ଏକ ବଡ଼ଧରଣର ଅଗ୍ନିକାଣ୍ଡ ଘଟଣା ଟଳିଯାଇଛି। ଆଜି ଭୋର୍‌ ପ୍ରାୟ ସାଢ଼େ ୫ଟା ବେଳେ ଏଠାରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ଗୋଟିଏ ରୁମ୍‌ ସମ୍ପୂର୍ଣ୍ଣ ଜଳିଯାଇଛି। ସେଠାରେ ଥିବା ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ‌ପାଉଁଶ ହୋଇଯାଇଛି। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି। ଅଗ୍ନିଶମ ବିଭାଗର ତତ୍ପରତା ଯୋଗୁଁ ବଡ଼ ଅଘଟଣ ପୂର୍ବରୁ ଏହାକୁ ଏଡ଼ାଇ ଦିଆଯାଇଛି। ସୂଚନା ଅନୁଯାୟୀ ଏସ୍‌ବିଆଇର ଆଧାରସେଣ୍ଟର୍‌ ଓ ରେକର୍ଡ ରୁମ୍‌ ଜଳିବାକୁ ଲାଗିଥିଲା। ଅଗ୍ନିକାଣ୍ଡ ଘଟିବାମାତ୍ରେ ବ୍ୟାଙ୍କରେ ଲାଗିଥିବା ଆଲାରାମ୍‌ ବାଜିଥିଲା। ଆଲାରାମ୍‌ ଶୁଣି ସେଠାରେ ଥିବା ସୁରକ୍ଷାକର୍ମୀ ଗୋପକୃଷ୍ଣ ପରିଡ଼ା ତୁରନ୍ତ ଅଗ୍ନିଶମ ବିଭାଗକୁ ଫୋନ୍‌ କରିଥିଲେ। ଅଗ୍ନିନିର୍ବାପକ ଯନ୍ତ୍ର ଥାଇ ମଧ୍ୟ ନିଆଁ ଆୟତ ହୋଇ ନଥିଲା। ଖବରପାଇ କଳ୍ପନା ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଲରେ ପହଞ୍ଚ ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ। କର୍ମଚାରୀମାନେ ବ୍ୟାଙ୍କ ଭିତରକୁ ପଶିବାକୁ ‌ଚେଷ୍ଟା କରିଥିଲେ ମଧ୍ୟ ଯାଇପାରି ନଥିଲେ। ବ୍ୟାଙ୍କ ଚାବି ମ୍ୟାନେଜର୍‌ଙ୍କ ପାଖରେ ଥିବାରୁ କବାଟ ଖୋଲିବା ସମ୍ଭବ ହୋଇ ନଥିଲା। ଫଳରେ ବାହାର ପଟୁ କାଚଭାଙ୍ଗି ଅପରେସନ୍‌ ଆରମ୍ଭ କରିଥିଲେ। ଦୁଇଟି ଦମକଳ ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲା। ସର୍ଟସାର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ସୂଚନାଯୋଗ୍ୟ ଯେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ କଟକ ରୋଡ୍‌ରେ ଥିବା ଏକ ସାନିଟାରି ଗୋଦାମରେ ଅଗ୍ନିକାଣ୍ଡ ଘଟି ୫୦ ଲକ୍ଷରୁ ଊର୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିଲା।

ସମ୍ବନ୍ଧିତ ଖବର