ଡମ୍ପିଂୟାର୍ଡ ନିଆଁ ଅଣାୟତ୍ତ

ଭୁବନେଶ୍ୱର: ଭୁଆସୁଣି ଡମ୍ପିଂୟାର୍ଡରେ ନିଆଁ ଲିଭୁନି। କୁହୁଳି କୁହୁଳି ଜଳୁଛି। ହେଲେ ବିଏମ୍‌ସି ନିଆଁ ଲିଭାଇବା ନେଇ ଆବଶ୍ୟକୀୟ ପଦକ୍ଷେପ ନେଉନି। ଗତ ଚାରି ଦିନ ହେଲା ଆବର୍ଜନା ପାହାଡ଼ରେ ନିଆଁ ଲାଗିଥିବାରୁ ଚତୁର୍ଦ୍ଦିଗ ଧୂଆଁମୟ ହୋଇଗଲାଣି। ଏବେ ଦକ୍ଷିଣା ପବନ ବହୁଥିବାରୁ ନିଆଁ ଉଡ଼ି ପାଖ ଗାଁକୁ ବ୍ୟାପିବାର ସମ୍ଭାବନା ଥିବାରୁ ଡମ୍ପିଂୟାର୍ଡ ନିକଟସ୍ଥ ୬ଟି ଗାଁର ପ୍ରାୟ ୨୦ହଜାର ଲୋକ ଭୟଭୀତ ହୋଇଗଲେଣି। ଡମ୍ପିଂୟାର୍ଡରେ ନିଆଁ ଆୟତ୍ତ ହୋଇଯାଇଛି ବୋଲି ମଙ୍ଗଳବାର ବିଏମ୍‌ସି କହିବା ପରେ ପୁଣି ବୁଧବାର ନିଆଁ ଲାଗିଥିଲା। ଏପରିକି ନିଆଁ କୁହୁଳି କୁହୁଳି ପୂରା ଡମ୍ପିଂୟାର୍ଡକୁ ବ୍ୟାପିଗଲାଣି। ଆବଶ୍ୟକୀୟ ଅଗ୍ନିଶମ ଗାଡ଼ି ନିୟୋଜିତ କରାଯାଇନଥିବାରୁ ଏବଂ ନିଆଁ ଲିଭାଇବା ପାଇଁ ବିଏମ୍‌ସି ଆକ୍ରମଣାତ୍ମକ ପଦକ୍ଷେପ ନେଉନଥିବାରୁ ନିଆଁ ଚନ୍ଦକା ଜଙ୍ଗଲକୁ ବ୍ୟାପିବାର ବି ସମ୍ଭାବନା ସୃଷ୍ଟି ହେଲାଣି। କେବଳ ଚନ୍ଦକା ଜଙ୍ଗଲ ନୁହେଁ ଏହା ଆଖପାଖରେ ଥିବା ଦାରୁଠେଙ୍ଗ, କୃଷ୍ଣନଗର, କଲ୍ୟାଣ ନଗର, ଚନ୍ଦକା, ରଘୁନାଥପୁର, ବାରଙ୍ଗ ଭଳି ୬ଟି ଗାଁକୁ ବି ନିଆଁ ବ୍ୟାପିବାର ଆଶଙ୍କାକୁ ଏଡ଼ାଇ ହେଉନି। ରାଜଧାନୀରେ ଏବେ ଘଣ୍ଟା ପ୍ରତି ପ୍ରାୟ ୧୫କିମି ବେଗରେ ପବନ ବହୁଥିବାରୁ ନିଆଁ ଉଡ଼ି ଏହି ସବୁ ଅଞ୍ଚଳକୁ ବ୍ୟାପିବାର ସମ୍ଭାବନା ସୃଷ୍ଟି ହୋଇଛି।

୬ ଗାଁର ୨୦ହଜାର ବାସିନ୍ଦା ଭୟଭୀତ
ଚନ୍ଦକା ଜଙ୍ଗଲକୁ ବ୍ୟାପିପାରେ
ବିପଦରେ ନନ୍ଦନକାନନର ଜୀବଜନ୍ତୁ
ଆଜି ଜରିମାନା ନୋଟିସ୍‌ କରିବ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ
ଚନ୍ଦକା ଥାନାରେ ଅଭିଯୋଗ କଲା ବିଏମ୍‌ସି

ଏହି ନିଆଁ ଦ୍ୱାରା ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଜୀବଜନ୍ତୁ ଅଧିକ ପ୍ରଭାବିତ ହେବେ। ଆବର୍ଜନା ପାହାଡ଼ କୁହୁଳି କୁହୁଳି ଜଳୁଥିବାରୁ ଏହାର ଧୂଆଁ ଏବେ ନନ୍ଦନକାନନ ମୁହାଁ ହେଲାଣି। ଏହି ବିଷାକ୍ତ ଧୂଆଁ ପ୍ରଭାବରେ ପଶୁପକ୍ଷୀ ପ୍ରଭାବିତ ହେବାର ସମ୍ଭାବନା ସୃଷ୍ଟି ହେଲାଣି। ନନ୍ଦନକାନନରେ ବହୁ ବିରଳ ପ୍ରଜାତିର ପଶୁପକ୍ଷୀ ରହୁଥିବାରୁ ବିଷାକ୍ତ ଧୂଆଁ ଦ୍ୱାରା ବହୁତ ଶୀଘ୍ର ପ୍ରଭାବିତ ହେବେ ବୋଲି ପ୍ରାଣୀବିଜ୍ଞାନୀମାନେ କହିଲେଣି। କିନ୍ତୁ ବିଏମ୍‌ସିର ଏ ଦିଗରେ ଚିନ୍ତା ନାହିଁ। ଅପରପକ୍ଷେ ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ଭୁଆସୁଣିରେ ଲାଗିଥିବା ନିଆଁ ଲିଭାଇବାକୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ୩ଟି ପାଣି ଟ୍ୟାଙ୍କର ଓ ୪ଟି ସେସପୁଲ୍‌ ଗାଡ଼ି ଯୋଗେ ନିଆଁ ଲିଭା ଯାଇଛି। ବିଏମ୍‌ସିର ଏହିଭଳି ନିଆଁ ଲିଭାଇବା ପ୍ରଣାଳୀକୁ ଅନେକ ନାପସନ୍ଦ କରିଛନ୍ତି। ପାଣି ଟ୍ୟାଙ୍କର ଓ ସେସ୍‌ପୁଲ୍‌ ଗାଡ଼ି ଆବର୍ଜନା ଭିତରେ ଅଧିକ ବାଟ ଯାଉନଥିବାରୁ ଯେଉଁଠି ନିଆଁ ଲାଗିଛି ସେଠାରେ ପାଣି ପଡ଼ୁନି। ଫଳରେ ଅଳ୍ପ କିଛି ଅଞ୍ଚଳରେ ବିଏମ୍‌ସି ଦ୍ୱାରା ନିୟୋଜିତ ଗାଡ଼ି ନିଆଁ ଲିଭାଇ ପଳାଇ ଆସୁଛି। ନିଆଁ ଲିଭାଇବା ପାଇଁ ଦମ୍‌କଳ କାହିଁକି ବ୍ୟବହାର କରାଯାଉନି ବୋଲି ସ୍ଥାନୀୟ ଅଞ୍ଚଳର ବାସିନ୍ଦା କହିଛନ୍ତି। ଅଗ୍ନିଶମ ଗାଡ଼ି ଦ୍ୱାରା ନିଆଁ ଲିଭାଇଲେ ପ୍ରଶିକ୍ଷିତ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିପାରିବେ। ଏହି ଗାଡ଼ିରେ ଅଧିକ ଦୂରତା ପର୍ଯ୍ୟନ୍ତ ପାଣି ପକାଯାଇପାରିବ। କିନ୍ତୁ ବିଏମ୍‌ସି କର୍ତ୍ତୃପକ୍ଷ ପାଣି ଟ୍ୟାଙ୍କର ଓ ସେସ୍‌ପୁଲ୍‌ ଗାଡ଼ି ନେଇ ଯାଉଥିବାରୁ ନିଆଁ ନିୟନ୍ତ୍ରଣ ହୋଇପାରୁନି। ବିଏମ୍‌ସି କର୍ତ୍ତୃପକ୍ଷ ପ୍ରତିବର୍ଷ ନିଆଁ ଲଗାଉଛନ୍ତି। ଅଧାରୁ ଅଧିକ ଆବର୍ଜନା ପୋଡ଼ିବା ପରେ ଲିଭାଇବାର ପ୍ରୟାସ କରୁଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ବିଏମ୍‌ସିର ନଗର ସ୍ୱାସ୍ଥ୍ୟ ଅଧିକାରୀ ଡା. ଚନ୍ଦ୍ରିକା ପ୍ରସାଦ ଦାଶ କହିଛନ୍ତି ଯେ, ନିଆଁ ଲାଗିଛି, ଆମେ ଲିଭାଉଛୁ। ଖୁବ୍‌ ଶୀଘ୍ର ନିୟନ୍ତ୍ରଣକୁ ଆସିଯିବ। ଏପଟେ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଡମ୍ପିଂୟାର୍ଡରେ କାହିଁକି ବାରମ୍ବାର ନିଆଁ ଲାଗୁଛି ଜାଣି ହେଉନି। ବିଏମ୍‌ସି ପକ୍ଷରୁ କେବେ ଏଠାରେ ନିଆଁ ଲଗାଯାଇନି। ଏବେ କିପରି ନିଆଁ ଲାଗିଛି ସେନେଇ ତଦନ୍ତ କରିବାକୁ ଚନ୍ଦକା ଥାନାରେ ଏଫ୍‌ଆଇଆର୍‌ ରୁଜୁ କରାଯାଇଛି। ଡମ୍ପିଂୟାର୍ଡରେ କାର୍ଯ୍ୟରତ ବିଏମ୍‌ସିର କର୍ମଚାରୀ କହିଛନ୍ତି ଯେ, କେତେକ ଜରିଗୋଟାଳି ପ୍ଲାଷ୍ଟିକ୍‌ ବର୍ଜ୍ୟ ଏବଂ ଅନ୍ୟାନ୍ୟ ବର୍ଜ୍ୟ ସଂଗ୍ରହ ପାଇଁ ଡମ୍ପିଂୟାର୍ଡରେ ବୁଲୁଛନ୍ତି। ଆଜି ଡମ୍ପିଂୟାର୍ଡରେ ପୁଣି ନିଆଁ ଲାଗିବା ପରେ ଏହି ସ୍ଥାନରେ ବୁଲୁଥିବା ଜଣେ ଜରିଗୋଟାଳିକୁ ପଚରାଉଚାରା କରାଯିବା ବେଳେ ସେ କହିଛି ଯେ, ବିଡ଼ି ଟାଣିବା ପରେ ଜଳନ୍ତା ବିଡ଼ିକୁ ପକାଇ ଦେବାରୁ ସେଥିରୁ ନିଆଁ ଲାଗିଯାଇଛି। ଏନେଇ ଉକ୍ତ ପିଲାକୁ ଅଧିକ ପଚରାଉଚରା କରାଯାଉଛି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ଏପଟେ ଗତ ୪ଦିନ ହେଲା ଡମ୍ପିଂୟାର୍ଡ ନିଆଁ ଆୟତ୍ତ ନହେବାରୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅସନ୍ତୋଷ ପ୍ରକାଶ କରିଛି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ହାଡ଼ିବନ୍ଧୁ ପାଣିଗ୍ରାହୀ କହିଛନ୍ତି ଯେ, ବିଏମ୍‌ସିକୁ ଦୁଇ ଦିନ ତଳେ ନିଆଁ ତୁରନ୍ତ ଲିଭାଇବାକୁ ନୋଟିସ୍‌ ଜାରି ହୋଇଥିଲେ ହେଁ ଆଜି ପର୍ଯ୍ୟନ୍ତ ନିଆଁ ଲିଭିଲାନି। ତେଣୁ ଶୁକ୍ରବାର ବିଏମ୍‌ସିକୁ ୨୫ହଜାର ଟଙ୍କାର ଜରିମାନା ନୋଟିସ୍‌ କରାଯିବ। ଏହାପରେ ବି ଯଦି ନିଆଁ ନିୟନ୍ତ୍ରଣକୁ ନ ଆସେ ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର