ଜଳିଗଲା ଖଣ୍ଡଗିରି ଜଙ୍ଗଲ

ଖଣ୍ଡଗିରି: ରବିବାର ସନ୍ଧ୍ୟାରେ ଖଣ୍ଡଗିରି ପାହାଡ଼ସ୍ଥିତ ଜଙ୍ଗଲରେ ନିଅାଁ ଲାଗିଯାଇଥିଲା। ଜଙ୍ଗଲର ପ୍ରାୟ ୫ ଏକର ପରିମିତି ଅଞ୍ଚଳକୁ ନିଅାଁ ବ୍ୟାପୀ ଯାଇଥିଲା। ଅଗ୍ନିକାଣ୍ଡରେ ଛୋଟ ଛୋଟ ଗଛ ନଷ୍ଟ ହୋଇ ଯାଇଥିଲେ ବି କୌଣସି ବଡ଼ ଗଛ କ୍ଷତିଗ୍ରସ୍ତ ହୋଇନାହିଁ। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଖଣ୍ଡଗିରି ଥାନା ପୁଲିସ ନିଅାଁକୁ ଆୟତ୍ତ କରିବାରୁ ଏକ ବଡ଼ ଧରଣର ଅଗ୍ନିକାଣ୍ଡରୁ ଜଙ୍ଗଲଟି ବର୍ତି ଯାଇଥିଲା। କେହି ଧୂମପାନ କରି ଜଳନ୍ତା ବିଡ଼ି କିମ୍ବା ସିଗାରେଟ୍‌ ଫିଙ୍ଗି ଦେଇଥିବାରୁ ଏହି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି। ସୂଚନାନୁସାରେ ସନ୍ଧ୍ୟା ପ୍ରାୟ ୭ଟାବେଳେ ଜଙ୍ଗଲରେ ନିଅାଁ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ପ୍ରଥମେ ପୁଲିସକୁ ଖବର ଜଣାଇଥିଲେ। ଖଣ୍ଡଗିରି ଥାନା ପିସିଆର୍ ଘଟଣାସ୍ଥଳରେ ପହଞ୍ଚି ନିଅାଁକୁ ଆୟତ୍ତ କରିବାରେ ଲାଗି ପଡ଼ିଥିଲା। ଏବେ ଜଙ୍ଗଲରେ ଶୁଖିଲା ପତ୍ର ଗଦା ହୋଇ ପଡ଼ିଥିବାରୁ ନିଅାଁ ଦ୍ରୁତ ବେଗରେ ମାଡ଼ି ଚାଲିଥିଲା। ତେବେ ପୁଲିସ କର୍ମଚାରୀମାନେ କଞ୍ଚା ଡାଳ ପତ୍ର ସାହାଯ୍ୟରେ ବାଡ଼େଇ ବାଡ଼େଇ ନିଅାଁକୁ ଲିଭାଇ ଦେଇଥିଲେ। କିନ୍ତୁ ସେତେବେଳକୁ ମାତ୍ର ଘଣ୍ଟାକ ଭିତରେ ପ୍ରାୟ ୫ ଏକର ପରିମିତ ଜଙ୍ଗଲକୁ ନିଅାଁ ବ୍ୟାପୀ ଯାଇଥିଲା ଓ ଛୋଟ ହେଲେ ବି ବହୁ ମୂଲ୍ୟବାନ ଗଛ ନଷ୍ଟ ହୋଇ ସାରିଥିଲା। ଖବର ପାଇ ଦମକଳ ବାହିନୀ ସେଠାରେ ପହଞ୍ଚିବାବେଳକୁ ପୁଲିସ କର୍ମଚାରୀମାନେ ନିଅାଁ ଲିଭାଇ ସାରିଥିଲେ।

ସମ୍ବନ୍ଧିତ ଖବର