ଓରିଏଣ୍ଟାଲ୍‌ ବ୍ୟାଙ୍କ ଅଫ୍ କମର୍ସରେ ଅଗ୍ନିକାଣ୍ଡ

ଜଳିଗଲା କମ୍ପ୍ୟୁଟର୍‌, ଏସି, ଗୁରୁତ୍ବପୂର୍ଣ୍ଣ କାଗଜପତ୍ର, ନିଅାଁ ଲିଭାଇବାକୁ ଲାଗିଲା ୪ ଦମକଳ

ଖଣ୍ଡଗିରି: ଶୁକ୍ରବାର ରାତି ପ୍ରାୟ ୧୨ଟାରେ ସ୍ଥାନୀୟ ଗଣ୍ଡମୁଣ୍ଡା ଛକସ୍ଥିତ ଓରିଏଣ୍ଟାଲ୍‌ ବ୍ୟାଙ୍କ ଅଫ୍ କମର୍ସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଦ୍ୱିତୀୟ ମହଲାରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ଘଟିଛି। କ୍ଷୟକ୍ଷତିର ପରିମାଣ ଆକଳନ କରାଯାଇପାରି ନଥିଲେ ମଧ୍ୟ କମ୍ପ୍ୟୁଟର, ଏସି, ରେକର୍ଡ ପତ୍ର ଓ ବହୁ ଆସବାବପତ୍ର ଜଳିପୋଡ଼ି ଛାରଖାର ହୋଇଯାଇଛି। ଚାରି ଚାରିଟି ଦମକଳ ନିଆଁକୁ ଆୟତ କରିବାକୁ ଉଦ୍ୟମ ଜାରି ରଖିଥିଲେ ବି ବିଳମ୍ବିତ ରାତି ପର୍ଯ୍ୟନ୍ତ ତାହା ସମ୍ଭବ ହୋଇପାରି ନଥିଲା।

ସୂଚନାନୁସାରେ କୌଣସି କାରଣରୁ ଏହି ବ୍ୟାଙ୍କର ଦ୍ୱିତୀୟ ମହଲାରେ ନିଆଁ ଲାଗିବା ପରେ ସାଇରନ୍ ବାଜି ଉଠିଥିଲା। ବିଦ୍ୟୁତ୍ ସର୍ଟ ସର୍କିଟ୍‌ରୁ ଏଭଳି ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି। ତେବେ ନିଆଁକୁ ଦେଖି ସୁରକ୍ଷାକର୍ମୀମାନେ ତୁରନ୍ତ ଅଗ୍ନିଶମ ବାହିନୀ ଓ ବ୍ୟାଙ୍କର ବିଭାଗୀୟ ଅଧିକାରୀମାନଙ୍କୁ ଖବର ଜଣାଇଥିଲେ। ଦ୍ୱିତୀୟ ମହଲା ଚାବି ନଥିବାରୁ ସୁରକ୍ଷା କର୍ମୀମାନେ ନିଆଁକୁ ଆୟତ କରିବାକୁ ବାଟ ପାଇ ନଥିଲେ। ଫଳରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ନିଆଁ ପୂରା ଦ୍ୱିତୀୟ ମହଲାର ସମସ୍ତ ରୁମ୍‌କୁ ବ୍ୟାପୀ ସାରିଥିଲା। ଗୋଟିଏ ଦମକଳ ନିଆଁକୁ ଆୟତ କରିବା ସମ୍ଭବ ନ ହେବାରୁ କଳ୍ପନା ଛକ ଦମକଳ କାର୍ଯ୍ୟାଳୟରୁ ଆଉ ଗୋଟିଏ ଦମକଳ ଘଟଣାସ୍ଥଳରେ ପହଞ୍ଚିଥିଲା। ଚାବି ନଥିବାରୁ ଅଗ୍ନିଶମ କର୍ମଚାରୀମାନେ ବାହାରୁ ପାଣି ପକାଇ ନିଆଁକୁ ଲିଭାଇବାକୁ ଉଦ୍ୟମ କରିଥିଲେ। ନିଆଁ ଯେମିତି ଉପର ମହଲାକୁ ନ ବ୍ୟାପେ, ସେଥିପ୍ରତି ସତର୍କ ରହି ଅଗ୍ନିଶମ କର୍ମଚାରୀମାନେ ପାଣି ପକାଇ ଚାଲିଥିଲେ। ତେବେ ଦ୍ୱିତୀୟ ମହଲା ନିଆଁ ପ୍ରଶମିତ ନ ହେବାରୁ ବାଧ୍ୟ ହୋଇ ଅଗ୍ନିଶମ କର୍ମଚାରୀମାନେ କବାଟ ଓ ଝରକା ଭାଙ୍ଗି ଭିତରକୁ ପଶି ନିଆଁକୁ ଆୟତ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ କମ୍ପ୍ୟୁଟରର ବ୍ୟାଟେରିଗୁଡ଼ିକ ବିସ୍ଫୋରଣ ହେବାରୁ ପରିସ୍ଥିତି ଭୟଙ୍କର ହୋଇ ଉଠିଥିଲା। ଫଳରେ ସେମାନେ ଅଧିକ ଭିତରକୁ ପଶିବା ସମ୍ଭବ ହୋଇ ନଥିଲା। ନିଆଁର ପ୍ରକୋପ ବଢ଼ିବା ଦେଖି ଶେଷରେ ୪ଟି ଦମକଳ ନିୟୋଜନ କରାଯାଇଥିଲା। ତଥାପି ନିଆଁ ନିୟନ୍ତ୍ରଣକୁ ଆସିପାରି ନଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ଅଗ୍ନିଶମ ବାହିନୀ ନିଆଁ ଲିଭାଇବାରେ ଲାଗି ରହିଥିଲା।

ସମ୍ବନ୍ଧିତ ଖବର