ଷ୍ଟେସନ୍‌‌ ପ୍ରତୀକ୍ଷାଳୟରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନ୍‌ ଯାତ୍ରୀ ପ୍ରତୀକ୍ଷାଳୟରେ ଆଜି ପୂର୍ବାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ସକାଳ ପ୍ରାୟ ସାଢ଼େ ୮ଟା ବେଳେ ପ୍ରତୀକ୍ଷାଳୟ ବାହାରପଟ ହଠାତ୍‌ ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା। ଫଳରେ ଯାତ୍ରୀ ପ୍ରତୀକ୍ଷାଳୟରେ ସେତେବେଳେ ଉପସ୍ଥିତ ଯାତ୍ରୀମାନେ ପ୍ରାଣ ବିକଳରେ ଯିଏ ଯୁଆଡ଼େ ପାରିଲେ ଦୌଡ଼ିଥିଲେ। ଖବର ପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରୁ ଏକ ବଡ଼ଧରଣର ଅଘଟଣକୁ ଅଳ୍ପକେ ଏଡ଼ାଇ ଦିଆଯାଇ ପାରିଥିଲା। ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ଜଣାଯାଇଛି। ତେବେ ରେଳ ଷ୍ଟେସନ୍‌ ଭଳି ଜନଗହଳିପୂର୍ଣ୍ଣ ତଥା ସମ୍ବେଦନଶୀଳ ସ୍ଥାନରେ ଅଗ୍ନିକାଣ୍ଡ ଘଟିବା ଓ ଏହାର ତତ୍‌କ୍ଷଣାତ ମୁକାବିଲା ପାଇଁ ରେଳବାଇ ପାଖରେ କୌଣସି ବ୍ୟବସ୍ଥା ନଥିବାରୁ ଷ୍ଟେସନ୍‌ରେ ଯାତ୍ରୀ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦି ଏହି ଅଘଟଣ ବିଳମ୍ବିତ ରାତିରେ ଘଟିଥା’ନ୍ତା, ତେବେ ପରିସ୍ଥିତି କେତେ ଭୟାବହ ହୋଇଥା’ନ୍ତା, ତାହା ସହଜେ ଅନୁମେୟ। ଅପରପକ୍ଷେ ଏହି ଘଟଣାକୁ ପୂର୍ବତଟ ରେଳପଥ ଗୁରୁତ୍ବର ସହ ନେଇଛି। ଏହାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯିବା ସହ ନିଆଁ ଲାଗିବାର ପ୍ରକୃତ କାରଣ ଖୋଜି ଖୋର୍ଧା ରୋଡ୍‌ ରେଳମଣ୍ଡଳ ରେଳ ପ୍ରବନ୍ଧକଙ୍କୁ ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଛି। ପୂର୍ବତଟ ରେଳପଥ ଖୋର୍ଧା ରୋଡ ମଣ୍ଡଳ ଓ ମୁଖ୍ୟାଳୟର ବହୁ ବରିଷ୍ଠ ଅଧିକାରୀ ଭୁବନେଶ୍ବର ରେଳ ଷ୍ଟେସନ ପରିଦର୍ଶନ କରି ଘଟଣାର ପୁଙ୍ଖାନୁପୁଙ୍ଖ ତର୍ଜମା କରିଛନ୍ତି। ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାରଙ୍କ ସହ ବରିଷ୍ଠ ଅଧିକାରୀମାନେ ଘଟଣାର ଅନୁସନ୍ଧାନ କରି ପ୍ରାରମ୍ଭିକ ତଦନ୍ତ ରିପୋର୍ଟ ‌ଦେଇଛନ୍ତି। ଅନୁମାନ କରାଯାଉଛି ଯେ ପ୍ରବଳ ଶୀତ କାରଣରୁ ରକ୍ଷା ପାଇବା ପାଇଁ କିଛି ଲୋକ ନିଆଁ ଜାଳି ବସିଥିଲେ। ସେଥିରୁ ନିଆଁ ଲାଗି ଥାଇପାରେ ବୋଲି ଅଧିକାରୀମାନେ କହିଛନ୍ତି। ସେପଟେ ନିଆଁ ଲାଗିବା ପରେ ରେ‌ଳ ଷ୍ଟେସନ ପରିସରରେ କଟକଣା ଜାରି ହୋଇଛି। ଷ୍ଟେସନ୍‌ ବାହାରେ ଓ ଭିତରେ ବାରବୁଲା ଓ ଅବାଞ୍ଛନୀୟ ଲୋକଙ୍କ ପ୍ରବେଶ ଉପରେ କଡ଼ା ନଜର ରଖିବାକୁ ସ୍ଥିର ହୋଇଛି। ଯେଉଁ ବ୍ୟକ୍ତିମାନେ ରେଳ ଷ୍ଟେସନ ପରିସର ଅପରିସ୍କାର କରିବେ କିମ୍ବା ଗାଡ଼ି ମଟର ରଖିବେ ସେମାନଙ୍କଠାରୁ ଜରିମାନା ଆଦାୟ ହେବ। ସିଗାରେଟ୍‌ ଓ ବିଡ଼ି ଟାଣୁଥିବା ଲୋକଙ୍କ ଉପରେ ଏଣିକି କଡ଼ା ନଜର ରଖାଯିବ।

ସମ୍ବନ୍ଧିତ ଖବର