ଟ୍ରେନ୍‌ରେ ବାଣ ପରିବହନ ମନା

ନିୟମ ଉଲ୍ଲ˚ଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ, ଜାରି ହେଲା ହେଲ୍‌ପ ଲାଇନ୍‌ ନମ୍ବର ‘୧୮୨’

ଚନ୍ଦ୍ରଶେଖରପୁର: ଟ୍ରେନ୍‌ ଯାତ୍ରା କରିବା ସମୟରେ ସାଙ୍ଗରେ ନେଇ ହେବନି ବାଣ। ଯାତ୍ରୀଙ୍କ ନିରାପତ୍ତା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଏଥର ସ୍ବତନ୍ତ୍ର ନିରାପତ୍ତା ଅଭିଯାନ ଦ୍ବାରା ଟ୍ରେନ୍‌ରେ ଦହନଶୀଳ ପଦାର୍ଥ ପରିବହନ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି। ପୂର୍ବତଟ ରେଳପଥର ସମସ୍ତ ମଣ୍ତଳ ଯଥା ଖୋର୍ଧା ରୋଡ, ସମ୍ବଲପୁର ଓ ଵାଲ୍ଟିୟାରକୁ ଦୀପାବଳି ସମୟରେ ଟ୍ରେନ୍‌ରେ ବାଣ ପରିବହନ ରୋକିବାକୁ ଦୃଢ଼ ବ୍ୟବସ୍ଥା କରିବାକୁ କୁହାଯାଇଛି। ପୂର୍ବତଟ ରେଳପଥ ପକ୍ଷରୁ ଜାରି ହୋଇଥିବା ଗାଇଡ୍‌ଲାଇନ୍‌ ଅନୁଯାୟୀ ଯାତ୍ରୀବାହୀ ଟ୍ରେନ୍‌ରେ ଯାତ୍ରା ସମୟରେ ବାଣ, ଗ୍ୟାସ୍‌ ସିଲିଣ୍ତର‌୍‌, ଏସିଡ୍‌, ପେଟ୍ରୋଲ, କିରାସିନି ଆଦି ଦହନଶୀଳ ପଦାର୍ଥ ଏବ˚ ବିସ୍ଫୋରକ ପରିବହନ ରେଲ୍‌ଵ ଆଇନ ୧୯୮୯ ଆଧାରରେ ଦଣ୍ତନୀୟ ଅପରାଧ। ଏଥିପାଇଁ ଅପରାଧୀଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍‌ ହୋଇପାରେ। ଏନେଇ ଯାତ୍ରୀମାନେ ସଚେତନ ହେବା ସହ ନିଜ ସହଯାତ୍ରୀଙ୍କ ସୁରକ୍ଷା ପାଇଁ ବିସ୍ଫୋରକ ପଦାର୍ଥ ଯାତ୍ରୀବାହୀ ଟ୍ରେନ୍‌ରେ ପରିବହନ ନ କରିବାକୁ ନିବେଦନ କରାଯାଇଛି। ଯଦି ଏଭଳି କୌଣସି ପଦାର୍ଥ ପରିବହନ ହେଉଥିବା ନେଇ ଯାତ୍ରୀମାନେ ଦେଖିବାକୁ ପାଆନ୍ତି, ତେବେ ତୁରନ୍ତ ଟିଟିଇ, କୋଚ୍‌ ଆଟେଣ୍ତାଣ୍ଟ, ଟ୍ରେନ୍‌ର ଗାର୍ଡ, ଷ୍ଟେସନ ମ୍ୟାନେଜର, ରେଳ ସୁରକ୍ଷା ବଳ(ଆର‌୍‌ପିଏଫ୍‌) ଓ ସରକାରୀ ରେଳେଵ ପୁଲିସ(ଜିଆର‌୍‌ପି) ଅଧିକାରୀଙ୍କୁ ସୂଚନା ଦେବାକୁ କୁହାଯାଇଛି। ଯାତ୍ରୀମାନେ ହେଲ୍‌ପ ଲାଇନ୍‌ ନମ୍ବର ‘୧୮୨’କୁ କଲ୍‌ କରି ଟ୍ରେନ୍‌ରେ ବାଣ ପରିବହନ ସମ୍ପର୍କିତ ସୂଚନା ଦେଇପାରିବେ। ଯଦି କୌଣସି ଟ୍ରେନ୍‌ରେ ବାଣ ପରିବହନ ହେଉଥିବା ନେଇ ସନ୍ଦେହ ଉପୁଜିବ, ତେବେ ଆକସ୍ମିକ ତନଖି କରାଯିବ। ଯାତ୍ରୀଙ୍କୁ ସଚେତନ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି। ଜିଆର‌୍‌ପି, ଆର‌୍‌ପିଏଫ୍‌ ଓ ସିଭିଲ୍‌ ଡିଫେନ୍ସ ସ୍ବେଚ୍ଛାସେବୀମାନେ ଆକସ୍ମିକ ତନଖି କରିବେ। ପାର୍ସଲ ଅଥବା ପାର୍ସଲ ଭ୍ୟାନ୍‌ରେ ଲଗେଜ୍‌ ଲୋଡି˚କୁ ବିଶେଷ ଦୃଷ୍ଟି ଦିଆଯିବ। ଏହାବ୍ୟତୀତ ଷ୍ଟେସନ, ଗୁଡ୍‌ସ ସେଡ୍‌, ଗାର୍ଡ ବ୍ରେକ୍‌ ଭ୍ୟାନ୍‌, ଏସି କୋଚ୍‌, ପ୍ୟାଣ୍ଟ୍ରି କାର ଓ ଲୋକୋମୋଟିଭ୍‌ଗୁଡ଼ିକରେ ଯଥେଷ୍ଟ ଅଗ୍ନି ନିର୍ବାପକ ଉପକରଣ ଯୋଗାଇ ଦିଆଯିବ। କୋଚ୍‌ଗୁଡ଼ିକର ଦ୍ବାର ଦେଶରେ ଯାତ୍ରୀଙ୍କ ସହଜ ଚଳପ୍ରଚଳ ପାଇଁ ମୁକ୍ତ ରଖାଯିବ ବୋଲି ରେଳପଥ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର