ଦୀପାବଳି କଟକଣା : ରାତି ୮ରୁ ୧୦ ଯାଏ ଫୁଟିବ, ଚାଇନା ବାଣକୁ ନା

ଭୁବନେଶ୍ୱର : ଏଥର ଦୀପାବଳିକୁ ନିରାପଦ ଭାବେ ପାଳନ କରିବା ପାଇଁ କମିସନରେଟ୍‌ ପୁଲିସ କଟକଣା ଜାରି କରିଛି। ହାଇକୋର୍ଟଙ୍କ ଆଦେଶ ମୁତାବକ, ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ସମୟ ଧାର୍ଯ୍ୟ‌ ହୋଇଛି। ଏଣୁ ଏହି ନିର୍ଦ୍ଧାରିତ ସମୟରେ ବାଣ ଫୁଟାଇବା ପାଇଁ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି। ସେହିଭଳି ଚାଇନା ବାଣ ସମ୍ପୂର୍ଣ୍ଣ ନି‌ଷିଦ୍ଧ କରାଯାଇଛି। ଚାଇନା ବାଣ ବିକିଲେ, କିଣିଲେ ଓ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ ହେବ। ହସ୍‌ପିଟାଲ, ଶିକ୍ଷାନୁଷ୍ଠାନ, କୋର୍ଟ, ନିଷିଦ୍ଧାଞ୍ଚଳରେ ବାଣ ଫୁଟାଇବା ଅପରାଧ ବୋଲି କମିସନରେଟ୍‌ ପୁଲିସ ଏକ ବିଜ୍ଞପ୍ତିରେ ସ୍ପଷ୍ଟ କରିଛି। କେବଳ ଲାଇସେନ୍ସପ୍ରାପ୍ତ ବିକ୍ରେତାଙ୍କଠାରୁ ବାଣ କିଣିବା ପାଇଁ ମଧ୍ୟ କମିସନରେଟ୍‌ ପୁଲିସ ଜନସାଧାରଣଙ୍କୁ ପରାମର୍ଶ ଦେଇଛି। ୧୨୫ ଡେସିବଲ୍‌ରୁ ଅଧିକ ଶବ୍ଦ କରୁଥିବା ବାଣ ନ ଫୁଟାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ତା’ ଛଡ଼ା ବାଣ ଫୁଟାଇବା ବେଳେ ରେଶମ ବସ୍ତ୍ର ନ ପିନ୍ଧିବା, ଜନବସତିରୁ ଦୂର‌ରେ ସାମୂହିକ ବାଣ ଫୁଟାଇବା, ଆଶୁ ଚିକିତ୍ସା ବାକ୍ସ ପାଖରେ ରଖିବା, ବାଣ ଫୁଟିବା ପରେ ଅବଶେଷ ପାଣିରେ ବୁଡ଼ାଇ ଦେବା, ପିଲାମାନଙ୍କୁ ଏକୁଟିଆ ବାଣ ଫୁଟାଇବାକୁ ନ ଦେବା, ଜରୁରୀ ପରସ୍ଥିତିରେ ପୁଲିସ କଣ୍ଟ୍ରୋଲ ରୁମ୍‌(୧୦୦)‌ ବା ଦମକଳ କେନ୍ଦ୍ର(୧୦୧)କୁ ସହାୟତା ପାଇଁ ଫୋନ୍‌ କରିବାକୁ କମିସନରେଟ୍‌ ପୁଲିସ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

ସମ୍ବନ୍ଧିତ ଖବର