ଜମିଲାନି ବାଣ ବିକ୍ରି, ଆଲୁଅ ସାଜରେ ମନ

ଭୁବନେଶ୍ବର : ରାତି ପାହିଲେ ଆଲୋକର ପର୍ବ ଦୀପାବଳି। କୃଷ୍ଣପକ୍ଷର ଅନ୍ଧକାରକୁ ଦୀପ ଜାଳି ଆଲୋକିତ କରିବା ସହ ବାଣରେ ରାତିର ନିସ୍ତବ୍ଧତା ଭାଙ୍ଗିବାକୁ ସଜବାଜ ହେଉଛି ସହର। ୩୯୪ଜଣ ବାଣ ବ୍ୟବସାୟ ପାଇଁ ଆବେଦନ କରିଥିବା ବେଳେ ସହରରେ ଖୋଲିଛି ୩ଶହରୁ ଅଧିକ ବାଣ ଦୋକାନ। ମାତ୍ର ବାଣର ବିକ୍ରିବଟା ଏତେଟା ଜମି ପାରିନି ବୋଲି କହିଛନ୍ତି କିଛି ବ୍ୟବସାୟୀ। ସୁପ୍ରିମକୋର୍ଟଙ୍କ ନିର୍ଦେଶ, ମାତ୍ର ୨ ଘଣ୍ଟା ବାଣ ଫୁଟାଇବାକୁ ଅନୁମତି, ପୁଲିସ୍‌ ଓ ପ୍ରଶାସନର କଡ଼ା କଟକଣା ହିଁ ଏହାର ପ୍ରମୁଖ କାରଣ ବୋଲି କିଛି ବ୍ୟବସାୟୀ କହୁଛନ୍ତି।

କିଛି ନିର୍ଦିଷ୍ଟ ତଥା ଖୋଲା ପଡ଼ିଆରେ ବାଣ ବିକ୍ରି ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି। ବରମୁଣ୍ତା, ଖଣ୍ତଗିରି କେସିଏ ଗ୍ରାଉଣ୍ତ୍‌, ରସୁଲଗଡ଼ ଦୁର୍ଗାପୂଜା ପଡ଼ିଆ, ପଳାଶୁଣି ପଡ଼ିଆ, କିଶୋର କ୍ଲବ୍‌, କସ୍‌ମୋପଲିସ୍‌ ନିକଟ ପଡ଼ିଆରେ ବାଣ ବିକ୍ରି ହେଉଛି। ତେବେ ଦିନ ତମାମ ଆଜି ଯେପରି ଭିଡ଼ ଜମିବା କଥା ସେପରି ଦେଖିବାକୁ ମିଳିନାହିଁ। ପାଣିପାଗ ବିଭାଗ ବର୍ଷାକୁ ନେଇ ଏଥର ସେମିତି କିଛି ସୂଚନା ଦେଇନାହିଁ। ଅଥଚ ଆଜି ଅସ୍ଥାୟୀ ବାଣ ଦୋକାନ ଖୋଲିବା ପରେ ବାଣ ବିକ୍ରି ମାନ୍ଦା ହୋଇଛି। ‘ସବୁଜ ବାଣ’ ଫୁଟାଇବା ପାଇଁ ପ୍ରଶାସନ ସଚେତନ କରିବା ପରେ ଏହା ଯେମିତି ଅନେକଙ୍କୁ ଦ୍ବନ୍ଦ୍ବରେ ପକାଇଛି। ଯଦିଓ ଅପେକ୍ଷାକୃତ କମ୍‌ ଶବ୍ଦ ଯୁକ୍ତ, କମ୍‌ ପ୍ରଦୂଷଣ କରୁଥିବା ଭଳି ବାଣକୁ ଗ୍ରିନ୍‌ ବାଣର ଅନ୍ତର୍ଭୁକ୍ତ କରାଯାଇଛି ତେବେ ଏନେଇ ପ୍ରାଞ୍ଜଳ ଭାବେ ସୂଚନା ନଥିବାରୁ ଏହା ବିଭ୍ରାନ୍ତ କରିଛି। ଫୁଟା ବାଣ ଅପେକ୍ଷା ଏଥର ଶବ୍ଦ ହେଉ ନଥିବା ବାଣ ହିଁ ଯଥେଷ୍ଟ ବିକ୍ରି ହୋଇଛି। ଫୋଟକା ବାଣର ବିକ୍ରିବଟା ହେଉଥିଲେ ହେଁ ଏହା ସୀମିତ ରହିଛି। ବରମୁଣ୍ତା ପଡ଼ିଆ ହେଉ କି ଖଣ୍ତଗିରି କେସିଏ ପଡ଼ିଆ ଅବା କସ୍‌ମୋପଲିସ୍‌ ନିକଟରେ ଥିବା ପଡ଼ିଆରେ ୩ ଥାକିଆ କାଉଣ୍ଟର୍‌ ହୋଇଥିବା ବେଳେ ପଛପାର୍ଶ୍ବରେ ଓ ମଧୢଭାଗରେ ରହିଥିବା କିଛି ବାଣ ବ୍ୟବସାୟୀଙ୍କୁ ନିରାଶ ହେବାକୁ ପଡ଼ିଛି। ରାଜଧାନୀରୁ ଜଟଣୀର ଦୂରତା ଏତେ ବେଶି ନଥିବାରୁ ଯେଉଁମାନେ ବହୁ ପରିମାଣରେ ବାଣ କିଣିବାକୁ ଚାହୁଁଛନ୍ତି ସେମାନେ ସେଠାରୁ ହୋଲ୍‌ସେଲ୍‌ ବଜାରରୁ ବାଣ କିଣି ଆଣୁଛନ୍ତି। ତେଣୁ ଏହା ସହର ଭିତରେ ଖୋଲିଥିବା ବାଣ ବଜାରକୁ ପ୍ରଭାବିତ କରୁଛି।

ବାଣ ଅପେକ୍ଷା ଏଥର କିନ୍ତୁ ଦୀପ ଓ ଆଲୋକମାଳାରେ ଘର ସଜେଇବାକୁ ଗୁରୁତ୍ବ ଦେଇଛନ୍ତି ସହରର ବାସିନ୍ଦା। ଲୋକଙ୍କ ମନ ଚାହିଁ ଏଥର ବଜାରକୁ ଉନ୍ନତ ଧରଣର ଆକର୍ଷଣୀୟ ଆଲୋକମାଳା ବିକ୍ରି ହେଉଥିବା ବେଳେ ସାଜସଜାକୁ ଅଗ୍ରାଧିକାର ଦେଉଥିବା ଜଣାପଡ଼ିଛି। ଏଥିପାଇଁ ସହରର ଅନେକ ସ୍ଥାନରେ ଆକର୍ଷଣୀୟ ଆଲୁଅ ମାଳା ଓ ଦୀପର ପସରା ଖୋଲିଛି। ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେଉଥିବା ‘ମୃତ୍ତିକା’ରେ ମଧୢ ଏଥର ଦୀପର ବିକ୍ରିବଟା ଢେର‌୍‌ ଜମିଛି ବୋଲି ସୂଚନା ମିଳିଛି। ତେବେ ଦୀପାବଳି ଦିନ ବାଣ ବ୍ୟବସାୟ ଭଲ ହେବା ନେଇ ଆଶା ରଖିଛନ୍ତି ବ୍ୟବସାୟୀ।

ସମ୍ବନ୍ଧିତ ଖବର