ଛାତ୍ରୀଙ୍କୁ ଗୁଳିମାଡ଼ ଘଟଣାରେ ନୂଆମୋଡ଼ : କାହାଣୀ ରଚିଥିଲା ଆଶିଷ

ପୁରୁଷ ବନ୍ଧୁ ଟାଟୁ ଦୋକାନୀ ଗିରଫ, ଛାତ୍ରୀଙ୍କ ବାପା କହିଲେ ଆଶିଷ ସୁପାରି କିଲର

ଭୁବନେଶ୍ବର/ଚନ୍ଦ୍ରଶେଖରପୁର : ଫ୍ୟାସନ୍ ଡିଜାଇନିଂ ଛାତ୍ରୀଙ୍କୁ ଗୁଳିମାଡ଼ ଘଟଣାରେ ପୁଲିସକୁ ଦିନକୁ ଦିନ ଚାଞ୍ଚଲ୍ୟକର ଓ ରହସ୍ୟମୟ ତଥ୍ୟ ମିଳିବାରେ ଲାଗିଛି। ପ୍ରଥମେ ଗିରଫ ହୋଇଥିବା ଅଭିଯୁକ୍ତ ଆଶିଷ ନାୟକ ରିମାଣ୍ଡରେ ଆସି ଘଟଣାକୁ ଏକ ଭିନ୍ନ ମୋଡ଼ ଦେଇଛି। ଗିରଫ ବେଳେ ଯେଉଁ କାହାଣୀ କହିଥିଲା, ତାହା ମିଛ ଥିଲା। ଛାତ୍ରୀଙ୍କ ପ୍ରକୃତ ପୁରୁଷ ବନ୍ଧୁକୁ ବଞ୍ଚାଇବାକୁ ଯାଇ ଆଶିଷ ପୁଲିସ ଆଗରେ ସମସ୍ତ ଦୋଷ ସ୍ବୀକାର କରି ନେଇଥିଲା। ଆଶିଷଠାରୁ ଏଭଳି କଥା ଶୁଣିବା ପରେ ପୁଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛି। ପ୍ରକୃତ ଘଟଣା କ’ଣ, ତାହା ଜାଣିବାକୁ ପୁଲିସ ତଦନ୍ତକୁ ଅଧିକ ଶାଣିତ କରିଛି। ଅନ୍ୟପକ୍ଷରେ ଇନଫୋସିଟି ଥାନା ପୁଲିସ ଆଜି ଏହି ଗୁଳିକାଣ୍ଡ ଘଟଣାରେ ଅନ୍ୟତମ ଅଭିଯୁକ୍ତ ତଥା ଛାତ୍ରୀଙ୍କ ପ୍ରକୃତ ପୁରୁଷ ବନ୍ଧୁକୁ ଗିରଫ କରିଛି। ତା ନାଁ ପ୍ରଦୀପ ଅଗସ୍ତି ଓରଫ୍ ଟୁକ। ନିଜ ଘର ବାଲେଶ୍ବର ଜିଲ୍ଲା ସୋର ଥାନା ଅଧୀନ ଅବଣାରେ। ସେ ପଟିଆର ଏକ ଆପାର୍ଟମେଣ୍ଟରେ ରୁହେ। ଆଜି ଅପରାହ୍‌ଣରେ ଅଗସ୍ତିକୁ କୋର୍ଟ ଚାଲାଣ କରିଛି ପୁଲିସ। ଆବଶ୍ୟକ ପଡ଼ିଲେ ତାକୁ ମଧ୍ୟ ରିମାଣ୍ଡରେ ଆଣିପାରେ।

ପୁଲିସ ଜାଲରୁ ବର୍ତ୍ତିବା ଲାଗି ଆଶିଷ ଏକ କାହାଣୀ ରଚିଥିଲା। ତା’ ସହ ମିଶିଥିଲେ ଅଗସ୍ତି ଓ ସହଯୋଗୀ ରାଜେଶ ତରାଇ। ଅଗସ୍ତି ଗୁଳିକାଣ୍ଡରେ ସମ୍ପୃକ୍ତ ଥିଲେ ମଧ୍ୟ ତାକୁ ବଞ୍ଚାଇବା ଲାଗି ଆଶିଷ ଓ ରାଜେଶ ମିଶି ଯୋଜନା କରିଥିଲେ। ଅଗସ୍ତି ଘଟଣା ଦିନ ଛାତ୍ରୀଙ୍କ ପାଖକୁ ଯାଇଥିଲା। ଦିନ ପ୍ରାୟ ୧୧ଟାରେ ଜଳଖିଆ ନେଇ ପହଞ୍ଚିବା ଲାଗି ସେ ଫୋନ୍ କରି ଆଶିଷକୁ କହିଥିଲା। ଆଶିଷ ଜଳଖିଆ ଧରି ବଜରଙ୍ଗ ବିହାରଠାରେ ଥିବା ଭଡ଼ା ଘରେ ପହଞ୍ଚିଥିଲା। ଏହାପରେ ସେଠାରେ ଛାତ୍ରୀଙ୍କୁ ଗୁଳିମାଡ଼ ହୋଇଥିଲା। ଗୁଳିକାଣ୍ଡ ପରେ ସେମାନେ ରାଜେଶକୁ ସେଠାକୁ ଡକାଇଥିଲେ। ରାଜେଶକୁ ବନ୍ଧୁକ ଦେଇ ଦୁହେଁ ଛାତ୍ରୀଙ୍କୁ ମେଡିକାଲକୁ ନେଇ ଯାଇଥିଲେ। ଆଶିଷ ଘଟଣାରେ ସଂପୃକ୍ତ ବୋଲି ପୁଲିସ ଜାଣିପାରି ତାକୁ କୋର୍ଟ ଚାଲାଣ କରିଥିଲା। ଛାତ୍ରୀ ଜଣକ ସୁସ୍ଥ ହେବା ପରେ ପୁଲିସକୁ ସବୁ ସତ କହିଥିଲେ। ଏହାପରେ ପୁଲିସ ଆଶିଷକୁ ରିମାଣ୍ଡରେ ଆଣି ପଚରା ଉଚରା କରିଥିଲା।

ରିମାଣ୍ଡ ବେଳେ ପୁଲିସ ଜାଣିବାକୁ ପାଇଥିଲା କି, ଉଭୟ ଅଗସ୍ତି ଓ ଛାତ୍ରୀଙ୍କ ଘର ବାଲେଶ୍ବରରେ। ସେଠାରେ ଅଗସ୍ତିର ଏକ ବିୟୁଟି ପାର୍ଲର ଥିଲା। ଛାତ୍ରୀ ସେହି ପାର୍ଲରକୁ ଯାଉଥିଲେ। ଦୁହିଁଙ୍କ ମଧ୍ୟରେ ସମ୍ପର୍କ ବଢ଼ିଥିଲା। ଅଗସ୍ତିର ପଟିଆ ଛକ ନିକଟରେ ଏକ ଜେଣ୍ଟ୍‌ସ ପାର୍ଲର ଓ ଟାଟୁ ଦୋକାନ ରହିଛି। ଛାତ୍ରୀ ଜଣକ ଅଗସ୍ତି ଦୋକାନକୁ ଟାଟୁ କରିବାକୁ ଯାଉଥିଲେ। ସେଠାରେ ଅଗସ୍ତିକୁ ଦେଖି ସମ୍ପର୍କ ଆହୁରି ନିବିଡ଼ ହୋଇଥିଲା। ଆଶିଷ ମଧ୍ୟ ପୂର୍ବରୁ ଅଗସ୍ତି ଦୋକାନକୁ ଯିବା ଆସିବା ସମୟରେ ସେମାନଙ୍କ ମଧ୍ୟରେ ସମ୍ପର୍କ ହୋଇଥିଲା। ଘଟଣା ଦିନ ଅଗସ୍ତି ପୂର୍ବରୁ ଥିବା ବେଳେ ଜଳଖିଆ ଧରି ପହଞ୍ଚିଥିବା ଆଶିଷ ବନ୍ଧୁକ ବାହାର କରି ଦେଖାଇଥିଲା। ସତ କି ଖେଳଣା ବନ୍ଧୁକ ଜାଣିବା ଲାଗି ଛାତ୍ରୀ ଜଣକ କୌତୂହଳ ପ୍ରକାଶ କରିଥିଲେ। ବନ୍ଧୁକ ଦେଖାଇବା ବେଳେ ଗୁଳି ଫୁଟିଥିଲା। କିନ୍ତୁ ଏହା ଦୁର୍ଘଟଣା କି ମନୁଷ୍ୟକୃତ ତାହା ସ୍ପଷ୍ଟ ହୋଇପାରି ନାହିଁ। ଗୁଳିକାଣ୍ଡ ପରେ ଅଗସ୍ତିକୁ ବଞ୍ଚାଇବା ଲାଗି ଆରମ୍ଭ ହୋଇଥିଲା କାହାଣୀ।

କିନ୍ତୁ ଛାତ୍ରୀଙ୍କ ବାପା ଆଜି ସଙ୍ଗିନ ଅଭିଯୋଗ ଆଣିଛନ୍ତି। ଛାତ୍ରୀଙ୍କ ସହ ବନ୍ଧୁତା ନେଇ ଅଗସ୍ତିଙ୍କ ପତ୍ନୀ ଜାଣିଥିଲେ। ଏହି ବନ୍ଧୁତାକୁ ସେ ସହଜରେ ହଜମ କରିପାରି ନ ଥିଲେ। ଛାତ୍ରୀଙ୍କୁ ରାସ୍ତାରୁ ହଟାଇବା ଲାଗି ସେ ଆଶିଷକୁ ସୁପାରି ଦେଇଥିଲେ। ଆଶିଷ ଏହି ଗୁଳିକାଣ୍ଡ ଘଟାଇଛି। କିନ୍ତୁ ପୁଲିସ ନିକଟରେ ଅଗସ୍ତି ଏହାକୁ ଅସ୍ବୀକାର କରିଛି। ତେବେ ଗୁଳିକାଣ୍ଡ ଘଟଣା ଏବେ ବି ରହସ୍ୟମୟ ହୋଇ ରହିଛି। ଗତକାଲି ଡିସିପି ଅନୁପ ସାହୁ ଏହାକୁ ଦୁର୍ଘଟଣା ବୋଲି କହୁଥିବାବେଳେ ଆଜି ଆଉ ଜଣେ ଅଭିଯୁକ୍ତ ଗିରଫ ହେବା ଓ ଘଟଣାସ୍ଥଳ କିମ୍ବା ଅଭିଯୁକ୍ତମାନଙ୍କ ନିକଟରୁ ବନ୍ଧୁକ ନ ମିଳିବା ଘଟଣାକୁ ରହସ୍ୟମୟ କରି ରଖିଛି।

ଟାଟୁ ଦୋକାନ ଥିଲା ଆଡ୍ଡା
ଅଗସ୍ତିର ଟାଟୁ ଦୋକାନକୁ ଇଞ୍ଜିନୟରିଂ ଛାତ୍ରଛାତ୍ରୀ, ଫ୍ୟାସନ୍ ଡିଜାଇନିଂ ଛାତ୍ରଛାତ୍ରୀ ଆସୁଥିଲେ। ଗତ କିଛି ବର୍ଷ ହେଲା ଆଶିଷ ଓ ରାଜେଶ ସେଠାକୁ ଯାଉଥିଲେ। ସେଠାରେ ସେମାନଙ୍କ ଭିତରେ ବନ୍ଧୁତା ହୋଇଥିଲା। ଗୁଳିମାଡ଼ର ଶିକାର ଛାତ୍ରୀ ବି ସେଠାକୁ ଯାଉଥିଲେ। ଅଗସ୍ତି ସିଧାସଳଖ କୌଣସି ଅପରାଧରେ ସମ୍ପୃକ୍ତ ନ ଥିଲେ ମଧ୍ୟ ଅପରାଧ ପୃଷ୍ଠଭୂମି ଥିବା ଆଶିଷ ଓ ତା’ ସହଯୋଗୀମାନଙ୍କ ସହ ସମ୍ପର୍କ ହୋଇଥିଲା।

ଲାଗିଲା ଦଫା-୨୦୧
ଗୁଳିକାଣ୍ଡରେ ବ୍ୟବହୃତ ବନ୍ଧୁକ ଲୁଚାଇବା, ପୁଲିସକୁ ମିଛ କହିବା ସହ ପ୍ରମାଣ ନଷ୍ଟ କରିଥିଲେ ସମସ୍ତ ଅଭିଯୁକ୍ତ। ଆଇନ ଅନୁସାରେ ଏହି ମାମଲାରେ ଆଇପିସି ଦଫା-୨୦୧ (ପ୍ରମାଣ ନଷ୍ଟ କରିବା) ଲାଗିବା କଥା। କିନ୍ତୁ ଏଫଆଇଆରରେ ଦଫା-୨୦୧ ଲାଗି ନ ଥିଲା। ‘ସମ୍ବାଦ’ ଅନୁସନ୍ଧାନମୂଳକ ରିପୋର୍ଟରୁ ଏହା ଜଣାପଡ଼ିବା ପରେ ଗତ ୧୧ ତାରିଖରେ ଏ ନେଇ ରିପୋର୍ଟ ପ୍ରକାଶ ପାଇଥିଲା। ଏହା ପରେ ଆଶିଷକୁ ଦୁଇ ଦିନିଆ ରିମାଣ୍ଡରେ ଆଣି ପଚରାଉଚୁରା ପରେ ଅଗସ୍ତି ଗିରଫ ହୋଇଥିଲା। ପ୍ରମାଣ ନଷ୍ଟ କରୁଥିବା ସ୍ପଷ୍ଟ ହେବା ପରେ ପୁଲିସ ତା’ ବିରୋଧରେ ଦଫା-୨୦୧ ଲଗାଇଛି। ହତ୍ୟା ଉଦ୍ୟମ, ଗୁଳିକାଣ୍ଡ ସହ ଏହି ନୂଆ ଦଫା ଯୋଡ଼ା ଯାଇଛି।।

ବେପାରୀ ଯୋଗାଇଥିଲା ଚୋରା ବନ୍ଧୁକ
ବୋମାମାଡ଼ ମାମଲାରେ ଜେଲରୁ ଜାମିନରେ ଆସିବା ପରେ ଆଶିଷ ପାଖରେ ବନ୍ଧୁକ ରଖୁଥିଲା। ଗୁଳିକାଣ୍ଡ ମାମଲାରେ ପ୍ରମାଣ ନଷ୍ଟ କରିବା ପାଇଁ ସହଯୋଗୀ ରାଜେଶ ଜରିଆରେ ସେ ବନ୍ଧୁକ ଲୁଚାଇ ଦେଇଛି। ବନ୍ଧୁକ ଖୋଜିବା ଲାଗି ତିନି ଦିନ ହେଲା ପୁଲିସକୁ ନୟାନ୍ତ ହେବାକୁ ପଡ଼ିଛି। ଆଶିଷକୁ ରିମାଣ୍ଡରେ ଆଣି ସହଯୋଗୀ ରାଜେଶ ସହ ମୁହାଁମୁହିଁ ଜେରା କରାଇଛି। ଜଣେ ଚୋରା ବନ୍ଧୁକ ବେପାରୀଙ୍କଠାରୁ ବନ୍ଧୁକ ଆଣିଥିବା ଆଶିଷ ସ୍ବୀକାର କରିଛି। ବେପାରୀ ଠିକଣା ବି ଦେଇଛି। କିନ୍ତୁ ସେହି ବେପାରୀଙ୍କ ପତ୍ତା ପାଇନାହିଁ ପୁଲିସ। ବେପାରୀ ଜଣକ ଖୋର୍ଦ୍ଧା କିମ୍ବା ନୟାଗଡ଼ ଅଞ୍ଚଳର ବୋଲି ସନ୍ଦେହ କରାଯାଉଛି। ବେପାରୀକୁ ଧରିବା ସହ ବନ୍ଧୁକ ଜବତ କରିବା ଲାଗି ଦୁଇଟି ଟିମ୍ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି।

ସମ୍ବନ୍ଧିତ ଖବର