ଖଟାମିଠା କନ‌୍‌ଭେନ୍‌ସନ ସୁରକ୍ଷା କର୍ମୀଙ୍କୁ ଗୁଳି ଘଟଣା, ୬ ଗିରଫ

‘ଭାଇ’ ନାଁରେ ଦୁଇ ବର୍ଷରେ ୩୦ ଲକ୍ଷ ବଟି

ଭୁବନେଶ୍ବର: ‘ମୁଁ ଭାଇ କହୁଛି। ବହୁତ ଲୁଟିଲଣି, ଲକ୍ଷେ ଟଙ୍କା ରଖିଥିବ। କାଲି ୧୧ଟା ବେଳେ ମୋ ପିଲା ପହଞ୍ଚିବେ। ନ ହେଲେ ଗୁଳି ଗୋଟିଏ କାନରେ ପଶି ଆର ବାଟେ ବାହାରିବ।’ ନା ସତରେ କେହି ‘ଭାଇ’ ଥିଲେ, ନା ଏମାନେ ପୂର୍ବରୁ ଦାଦାଗିରି କରି ବଟି ନେଇଥିଲେ। ହେଲେ ଏଭଳି ଧମକାଇ ଟଙ୍କପାଣି ରୋଡ୍‌ ଖଟାମିଠା କନ୍‌ଭେନ୍‌ସନ ମାଲିକଙ୍କଠାରୁ ୨ବର୍ଷରେ ୩୦ଲକ୍ଷ ଟଙ୍କା ବଟି ନେବାରେ ସେମାନେ ସକ୍ଷମ ହୋଇଥିଲେ। ମାସକୁ ଲକ୍ଷେ ଟଙ୍କାରୁ ଊର୍ଧ୍ବ ବଟି ନେଉଥିଲେ। କିନ୍ତୁ ‘ୱାନ୍‌ ଟାଇମ୍‌ ସେଟେଲମେଣ୍ଟ’ ପାଇଁ ସେମାନେ କୋଟିଏ ଟଙ୍କା ମାଗିବାରୁ ମାଲିକ ରାଜି ହୋଇନଥିଲେ। ଏଣୁ ‘ପଇସା ପାଇଁ ଆମେ ବନ୍ଧୁକ ବି ଚଳାଇପାରୁ’ ଦର୍ଶାଇବାକୁ ଯାଇ ସୁରକ୍ଷା କର୍ମୀଙ୍କୁ ଗୁଳି ମାଡ଼ କରିଥିଲେ। ଏତେ ସବୁ ପରେ ବି ମାଲିକଙ୍କୁ ୩୦ଲକ୍ଷ ମାଗିବା ସେମାନଙ୍କ କାଳ ହୋଇଗଲା। ମୋବାଇଲ ନମ୍ବରକୁ ଟ୍ରାକ୍‌ କରି ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଥିଲା ସ୍ପେସାଲ ସ୍କ୍ବାଡ୍‌। ଗତ ମାର୍ଚ୍ଚ ୧୬ ତାରିଖରେ ଟଙ୍କପାଣି ରୋଡ୍‌ ଖଟାମିଠା କନଭେନ୍‌ସନ ସୁରକ୍ଷା କର୍ମୀଙ୍କୁ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାସ କରିବା ସହ ଏଭଳି ନିଆରା ଢଙ୍ଗରେ ଅପରାଧ ଘଟାଉଥିବା ଗ୍ୟାଙ୍ଗ୍‌ର ୬ ଜଣଙ୍କୁ ଗିରଫ କରିଛି ସ୍ପେସାଲ ସ୍କ୍ବାଡ୍‌। ସେମାନଙ୍କଠାରୁ ଗୋଟିଏ ୭.୬୫ଏମ୍‌ଏମ୍‌ ଦେଶୀ ବନ୍ଧୁକ, ଦୁଇ ରାଉଣ୍ଡ ଗୁଳି, ଗୋଟିଏ ଖୋକା, ୩ଟି ବାଇକ୍‌, ୬ଟି ମୋବାଇଲ ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି, କଟକ ସଦର ଥାନା ଅଧୀନ ରବୀନ୍ଦ୍ର ବରାଳ ଓରଫ ରାଜା, ଫୁଲନଖରା ନାୟକ ସାହିର ସରୋଜ ନାୟକ, ହରିଅନ୍ତାର ପ୍ରଭାସ ଚନ୍ଦ୍ର ଜେନା ଓରଫ ବୁଲୁ, ଗବବସ୍ତର ଫିରୋଜ ଖାଁ ଓରଫ ସୂରଜ, ରିଆଜ୍‌-ଉଲ୍‌-ହକ୍‌ ଓରଫ ସୟତ ଏବଂ ଗୋବିନ୍ଦପୁର ଥାନା ମଜୁରେଇର ଦୁର୍ଗାମାଧବ ପାତ୍ର ଓରଫ ବାପି। ଏମାନଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି। ଏମାନଙ୍କ ଛଡ଼ା ଆଉ ୪ରୁ ୫ଜଣ ଅଭିଯୁକ୍ତ ଫେରାର୍‌ ରହିଛନ୍ତି। ସେମାନଙ୍କୁ ଖୋଜା ଚାଲିଛି ବୋଲି ପୁଲିସ କମିସନର୍‌ ସତ୍ୟଜିତ୍‌ ମହାନ୍ତି କହିଛନ୍ତି।

ପୁଲିସଠାରୁ ମିଳିଥିବା ସୂଚନା ମୁତାବକ, ଖଟାମିଠା କନ୍‌ଭେନ୍‌ସନ୍‌ର ମାଲିକ ହେଉଛନ୍ତି ଅନୁପ ବଗୋଇ। ୨୦୧୬ ମସିହାରେ ଏହି କନ୍‌ଭେନ୍‌ସନ୍‌ର ଫିନିସିଂ ହେବା ସମୟରେ ଏଠାରେ ପ୍ରଭାସ ଜେନା ଓରଫ ବୁଲୁ ଫେବ୍ରିକେସନ କାମ କରୁଥିଲା। ମାଲିକଙ୍କ ପାଖରେ ବହୁତ ଟଙ୍କା ଥିବା ବୁଲୁ ଅନୁମାନ ଲଗାଇଥିଲା। ଏଣୁ ଦୀର୍ଘ ଏକ ବର୍ଷ କାମ କରିବା ଭିତରେ ଅନୁପଙ୍କୁ ଲୁଟିବା ପାଇଁ ଯୋଜନା କରିଥିଲା। ସେଥିପାଇଁ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେବା ସହ ପ୍ରାଥମିକ ପର୍ଯ୍ୟାୟରେ ଏଥିରେ ୪ ଜଣ ପିଲାଙ୍କୁ ସାମିଲ କରାଯାଇଥିଲା। ୨୦୧୭ ମସିହାରେ ପ୍ରଥମେ ସହରର ଜଣେ ଚର୍ଚ୍ଚିତ ଗୁଣ୍ଡାଙ୍କ ନାମ ନେଇ ‘ଭାଇ ଟଙ୍କା ମାଗୁଛନ୍ତି’ ବୋଲି ମାଲିକଙ୍କୁ ଫୋନ୍‌ କରି ଲକ୍ଷେ ଟଙ୍କା ବଟି ମାଗିଥିଲା। ଏଥିରେ ଅଧିକ କିଛି ନ ଭାବି ମାଲିକ ଲକ୍ଷେ ଟଙ୍କା ଦେବା ରାଜି ହେବା ପରେ କନ୍‌ଭେନ୍‌ସନ୍‌କୁ ରିଆଜ୍‌-ଉଲ୍‌ ହକ୍‌କୁ ପଠାଇ ସେ ଲକ୍ଷେ ଟଙ୍କା ଆଣିଥିଲା। ସହଜ‌ରେ ଲକ୍ଷେ ଟଙ୍କା ଆସି ଯାଇଥିବାରୁ ଏମାନଙ୍କର ଲୋଭ ହୋଇଥିଲା। ଏଣୁ ସେମାନେ ମାସିକ ଲକ୍ଷେ ଟଙ୍କା ଦେବା ପାଇଁ ମାଲିକ ସହ ଚୁକ୍ତି କରିଥିଲେ। ମାଲିକ ମଧ୍ୟ ରାଜି ହୋଇଥିଲେ। ବିଭିନ୍ନ ସମୟରେ ଭିନ୍ନଭିନ୍ନ ସହଯୋଗୀଙ୍କୁ ପଠାଇ ମାସିକ ଲକ୍ଷେ ଟଙ୍କା ଲେଖାଏଁ ଆଣୁଥିଲେ। ଦୁଇ ବର୍ଷରେ ୨୪ଲକ୍ଷ ଟଙ୍କା ସହ ମଝିରେ ନିହାତି ଦରକାର ଥିବା କହି ଅତିରିକ୍ତ ୬ଲକ୍ଷ ମଧ୍ୟ ଆଣିଥିଲେ। ଏଭଳି ଦୁଇ ବର୍ଷରେ ୩୦ ଲକ୍ଷ ଲୁଟିବା ପରେ ସେମାନଙ୍କର ଅଧିକ ଲୋଭ ହେଲା। ‘ଭାଇ ଜାମିନ୍‌ରେ ଆସିଛନ୍ତି, ଆପଣଙ୍କୁ ଦେଖା କରିବାକୁ ଚାହୁଁଛନ୍ତି, ନେଇଥିବା ଅତିରିକ୍ତ ୬ଲକ୍ଷ ଫେରାଇ ଦେବାକୁ ଚାହୁଛନ୍ତି’ ବୋଲି କହି ଦିନେ ଏମାନେ ଅନୁପଙ୍କୁ ନିଆଳି ରାସ୍ତାରେ ଏକ ନିଛାଟିଆ ଜାଗାକୁ ନେଇଥିଲେ। ସେଠାରେ ବାପି ‘ଭାଇ’ ରୂପ‌ରେ କଳା ଚଷମା ପିନ୍ଧି ବସିଥିଲା। ଗୁଣ୍ଡାଙ୍କ ଢଙ୍ଗରେ କଥା ‌ହେଉଥିଲା। ୬ ଲକ୍ଷ ଫେରାଇବା ପରିବର୍ତ୍ତେ ୱାନ୍‌ ଟାଇମ୍‌ ସେଟେଲମେଣ୍ଟ ପାଇଁ ବାପି କୋଟିଏ ଟଙ୍କା ମାଗିଥିଲା। ଏନେଇ ଚିନ୍ତା କରିବେ ବୋଲି କହି ସେଠାରୁ ଅନୁପ ଚାଲି ଆସିଥିଲେ। କିନ୍ତୁ ଟଙ୍କା ନ ଦେବାରୁ ବାପି ଓ ବୁଲୁ ବାରମ୍ବାର ଫୋନ୍‌ କରି ଚାଲିଥିଲେ। କୋଟିଏ ଟଙ୍କାକୁ ୩୦ ଲକ୍ଷରେ ସେଟେଲ କରିବାକୁ ବାଧ୍ୟ କରୁଥିଲେ। ହେଲେ ମାଲିକ ନ ଦେବାରୁ ଗତ ୧୬ ତାରିଖ ଦିନ ରବୀନ୍ଦ୍ର ବରାଳ ଓ ଫେରାର ଥିବା ବୁଲୁର ଭାଇ ଏକ ପଲସର ବାଇକ୍‌ (ଓଡି-୦୨-ଏ ୱାଇ-୪୦୭୯) ଯୋଗେ ଆସି ପାଣି ମାଗିବା ବାହାନାରେ ସୁରକ୍ଷା କର୍ମୀ ଜ୍ଞାନରଞ୍ଜନ ମଲ୍ଲିକଙ୍କୁ ଗୁଳି କରିଥିଲେ। ମାଲିକଙ୍କୁ କେବଳ ଭୟଭୀତ କରିବା ପାଇଁ ଏହି ଗୁଳିକାଣ୍ଡ ହୋଇଥିଲା। ଏହାପରେ ସେମା‌ନେ ଅନୁପଙ୍କୁ ୨୫ ଲକ୍ଷରେ ଫାଇନାଲ କରିବାକୁ ଫୋନ୍‌ ଯୋଗେ କହିଥିଲେ। ଅନୁପ ଭୟରେ ପୁଲିସକୁ କିଛି ସୂଚନା ଦେଉନଥିଲେ। ହେଲେ ଗୁଳି ମାଡ଼ ଘଟଣା ପରେ ଅନୁପଙ୍କ ପାଖକୁ ଆସୁଥିବା ପ୍ରତ୍ୟେକ ଫୋନ୍‌ର ଖବର କମିସନରେଟ୍‌ ପୁଲିସ ରଖୁଥିଲା। ବାରମ୍ବାର ଆସୁଥିବା ଏହି କଲ୍‌କୁ ଟ୍ରାକ୍‌ କରି ପୁଲିସ ଅଭିଯୁକ୍ତ ପାଖରେ ପହଞ୍ଚିଥିଲା। ବୁଲୁ ଓ ଅନ୍ୟମାନେ ଏଇ ମୋଟା ଅଙ୍କର ଟଙ୍କା ନେଇ ଏସି, ୱାସିଙ୍ଗ୍‌ ମେସିନ୍‌, ଫ୍ରିଜ୍‌, ଦାମିକା ଟିଭି, ଦାମିକା ମୋବାଇଲ କିଣିଥିଲେ। ଫୋନ୍‌ ଟ୍ରାକ୍‌ କରି ବୁଲୁ ପାଖରେ ପହଞ୍ଚିବା ପରେ ପୁଲିସ ଏଭଳି ସ୍ଥିତି ଦେଖିଥିଲା। ପାଖ ପଡ଼ିଶା ମଧ୍ୟ ଏଭଳି ସ୍ଥିତିକୁ ନେଇ ସନ୍ଦେହ କରି ପୁଲିସକୁ ଖବର ଦେଇଥିଲେ।

ପ୍ରଥମେ ବୁଲୁ ଧରାପଡ଼ିବା ପରେ ଜଣଙ୍କ ପରେ ଜଣେ ଅନ୍ୟ ୫ଜଣ ଧରା ପଡ଼ିଥିଲେ। ବୁଲୁର ଭାଇ ସହ ଆଉ ୪ରୁ ୫ଜଣ ଅଭିଯୁକ୍ତ ରହିଥିବା ପୁଲିସ ଅନୁମାନ କରୁଛି। ସମସ୍ତଙ୍କ ଘରୁ ଏହି ବଟି ପଇସାରେ କିଣା ଯାଇଥିବା ସାମଗ୍ରୀ ଜବତ କରାଯାଇଛି। ମାଲିକ ଭୟରେ ଏହି ବଟି ବାବଦରେ ଜଣାଇ ନଥିବାରୁ ପୁଲିସକୁ ଠାବ କରିବାରେ ବିଳମ୍ବ ହୋଇଥିଲା। ଏହି ମାମଲାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିସିପି ଅନୁପ କୁମାର ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର