କୃଷି ଓଡ଼ିଶା‌େର ମତ୍ସ୍ୟଚାଷ ଦିବସ: ମତ୍ସ୍ୟନୀତି ଆଗକୁ ଉତ୍ପାଦନ ବୃଦ୍ଧି କରିବ

ଖଣ୍ଡଗିରି: କୃଷିପ୍ରଧାନ ରାଜ୍ୟ ଓଡ଼ିଶାରେ ବତ୍ତର୍ମାନ ସୁଦ୍ଧା ମତ୍ସ୍ୟ ଉତ୍ପାଦନ ଉତ୍ସାହଜନକ ସ୍ଥିତିରେ ପହଞ୍ଚି ପାରିନି। କାରଣ ମାଛ ଚାଷ ପ୍ରତି ଲୋକଙ୍କ ଆଗ୍ରହ ବୃଦ୍ଧି ଘଟି ନାହିଁ। ୨୦୧୫ ମସିହାରୁ ରାଜ୍ୟ ସରକାର ଓଡ଼ିଶା ମତ୍ସ୍ୟନୀତି କାର୍ଯ୍ୟକାରୀ କରିବା ପରେ ଉତ୍ପାଦନରେ ସାମାନ୍ୟ ବୃଦ୍ଧି ଘଟିଛି। ୨୦୧୭-୧୮ ଆର୍ଥିକ ବର୍ଷରେ ମତ୍ସ୍ୟ ରପ୍ତାନୀରୁ ରାଜ୍ୟ ୨୪୧୪ କୋଟି ବୈଦେଶିକ ମୁଦ୍ରା ଲାଭ କରିଛି। କିନ୍ତୁ ଏହା ପର୍ଯ୍ୟାପ୍ତ ନୁହେଁ। ଭବିଷ୍ୟତରେ ଏଭଳି ରପ୍ତାନୀରୁ ୨୦ ହଜାର କୋଟି ଟଙ୍କା ଆୟ କରିବାକୁ ଲକ୍ଷ୍ୟ ରଖାଯାଇ ରାଜ୍ୟରେ ମତ୍ସ୍ୟଚାଷକୁ ପ୍ରୋତ୍ସାହନ ଦିଆଯାଉଛି। ତେଣୁ ଆଗାମୀ ଦିନରେ ଓଡ଼ିଶା ଧାନ ଚାଷ ଭଳି ମୀନ ଚାଷରେ ମଧ୍ୟ ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହେବ। ଆଜି ଓଡ଼ିଶା କୃଷି ମହୋତ୍ସବର ଚତୁର୍ଥ ଦିବସ‌(ମାଛ ଚାଷ ଦିବସ)ରେ ଏହି ସୂଚନା ଦିଆଯାଇଛି। କୃଷି ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ପୌ‌େରାହିତ୍ୟରେ ଅନୁଷ୍ଠିତ ମତ୍ସ୍ୟଚାଷୀଙ୍କୁ ସମ୍ବର୍ଧନା ଉତ୍ସବରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ। ମନ୍ତ୍ରୀ ଶ୍ରୀ ସାମଲ ତାଙ୍କ ବକ୍ତବ୍ୟରେ ଓଡ଼ିଶା ମତ୍ସ୍ୟନୀତି ଭବିଷ୍ୟତରେ ଏକ ବ୍ଲୁ ରିଭୋଲ୍ୟୁସନ୍ ହେବ ବୋଲି କହିଥିଲେ। ରାଜ୍ୟ ସରକାର ‘ମୋ ମାଛ ପୋଖରୀ’ ଯୋଜନା କାର୍ଯ୍ୟକାରୀ କରିଥିବା ବେଳେ ପଞ୍ଚାୟତସ୍ତରରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀମାନଙ୍କୁ ମାଛ ଚାଷ ପାଇଁ ପ୍ରୋତ୍ସାହନ ଦେଉଥିବାରୁ ରାଜ୍ୟ ଆଗକୁ ମାଛ ଚାଷରେ ମଧ୍ୟ ଧାନ ଚାଷ ଭଳି ଉନ୍ନତି କରିବ ବୋଲି ସୂଚନା ଦେଇଥିଲେ। ବିଧାୟକ ବିଜୟ କୁମାର ମହାନ୍ତି ରାଜ୍ୟ ସରକାରଙ୍କ କାଳିଆ ଯୋଜନା‌ ଉପରେ କହିଥିଲେ। ସଭାପତି ତଥା କୃଷି ମନ୍ତ୍ରୀ ଶ୍ରୀ ବେହେରା କହିଲେ ଯେ ଚଳିତ ବର୍ଷ ରାଜ୍ୟର ୩୦ ଜଣ ସଫଳ ମତ୍ସ୍ୟଚାଷୀଙ୍କୁ ସମ୍ବର୍ଧନା ଦିଆଯାଉଛି, କିନ୍ତୁ ଆଗାମୀ ବର୍ଷ ଏହି ସଂଖ୍ୟା ଆହୁରି ଅଧିକ ହୋଇଥିବ। ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୩୦ ଜଣ ସଫଳ ମାଛ ଚାଷୀଙ୍କୁ ୧୦ହଜାର ଟଙ୍କା ପୁରସ୍କାର ରାଶି ସହ ମାନପତ୍ର ଓ ଉପଢ଼ୌକନରେ ସମ୍ମାନିତ କରାଯାଇଥିଲା। ରାଜ୍ୟ କୃଷି ବିପଣନ ନିର୍ଦେଶକ ବଲୱନ୍ତ ସିଂହ ସ୍ବାଗତ ଭାଷଣ ଦେଇଥିବା ବେଳେ ମତ୍ସ୍ୟବିଭାଗ ନିର୍ଦେଶକ ପ୍ରଶାନ୍ତ କୁମାର ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର