୫ ଛାତ୍ରଙ୍କୁ ଅଣ୍ଡରଟେକିଂରେ ମୁକୁଳାଇଲେ ଅଭିଭାବକ

ରାଜଧାନୀ କଲେଜରେ ରାଜନୈତିକ ଗଣ୍ଡଗୋଳ

ଖଣ୍ଡଗିରି: ୬ ମାସ ତଳୁ କଲେଜ ନିର୍ବାଚନ ସରିଲାଣି। କିନ୍ତୁ ରାଜଧାନୀ କଲେଜରେ ରାଜନୈତିକ ଗଣ୍ଡଗୋଳ ଥମିବା ନାଁ ଧରୁନି। ଦୁଇ ଛାତ୍ରଗୋଷ୍ଠୀଙ୍କ ଭିତରେ ଚାଲିଛି ନିୟମିତ ମାର୍‌ପିଟ୍‌। ବାରମ୍ବାର ଏଭଳି ମାମଲା ଖଣ୍ଡଗିରି ଥାନାକୁ ଆସୁଛି ଓ ପରେ ପୁଣି ବୁଝାମଣା ଜରିଆରେ ଫଇସଲା ହେଉଛି। ଏଥର କିନ୍ତୁ ପୁଲିସ ଖେଳିଛି ଅଭିନବ ଖେଳ। ଚତୁରତାର ସହ ଗଣ୍ଡଗୋଳକାରୀ ଛାତ୍ରମାନଙ୍କୁ ଥାନାକୁ ଡାକିଆଣି ଅଟକ ରଖିବା ସହ ସମସ୍ତଙ୍କ ଅଭିଭାବକମାନଙ୍କଠାରୁ ଅଣ୍ଡଟେକିଂ ଲେଖି ରଖିଛି। ପିଲାମାନେ ଆଉ କେବେ ଗଣ୍ଡଗୋଳ କରିବେ ନାହିଁ ବୋଲି ଅଭିଭାବକମାନେ ପୁଲିସ ଆଗରେ ହାତକାଟି ଲେଖିବା ପରେ ଅଟକ ଛାତ୍ରମାନଙ୍କୁ ଥାନାରୁ ଛଡ଼ାଯାଇଛି।

ସୂଚନାନୁସାରେ ଗତ ଶୁକ୍ରବାର ଦିନ କଲେଜରେ ଏକ ଗୋଷ୍ଠୀର ୫ ଜଣ ଛାତ୍ର ବିପକ୍ଷ ଗୋଷ୍ଠୀର ଛାତ୍ରମାନଙ୍କ ଉପରେ ଆକ୍ରମଣ କରିଥିଲେ। ହାତରେ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଧରି ଏହି ୫ ଜଣ ପ୍ରତିପକ୍ଷର ଛାତ୍ରମାନଙ୍କୁ ଗୋଡ଼ାଇଥିଲେ। ଏ ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଥିଲା। ସିସିଟିଭି ଫୁଟେଜ୍‌ ଯାଞ୍ଚ୍‌ କରି ଗଣ୍ଡଗୋଳକାରୀ ଛାତ୍ରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ପ୍ରତିପକ୍ଷର ଛାତ୍ରମାନଙ୍କ ପକ୍ଷରୁ ଦାବି କରାଯାଇଥିଲା। କଲେଜ ନିର୍ବାଚନରେ ହାରିଯାଇଥିବା ଗୋଷ୍ଠୀର ଏହି ୫ ଜଣ ସମର୍ଥକ ପୂର୍ବରୁ ତିନି ତିନି ଥର ଗଣ୍ଡଗୋଳ କରିଥିବାରୁ ଖଣ୍ଡଗିରି ଥାନା ଏଥର ମାମଲାକୁ ଗୁରୁତ୍ୱର ସହ ନେଇଥିଲା। ବୁଧବାର ସନ୍ଧ୍ୟାରେ ସେମାନଙ୍କୁ ତଦନ୍ତକାରୀ ଅଧିକାରୀ ଡକାଇଥିଲେ। ସବୁଥର ଭଳି ୫ଜଣଯାକ ଥାନାକୁ ଆସିଥିଲେ। ସେମାନେ ଭାବିଥିଲେ ପୂର୍ବଭଳି ପୁଲିସ ଏକ ଅଣ୍ଡରଟେକିଂ ରଖିବ ଓ ଛାଡ଼ିଦେବ। କିନ୍ତୁ ପୁଲିସ ଭିନ୍ନ ବାଟ କରିଥିଲା। ତଦନ୍ତକାରୀ ଅଧିକାରୀ ସେମାନଙ୍କୁ ବସାଇଦେଲେ। ସେମାନଙ୍କଠାରୁ ସେମାନଙ୍କ ଅଭିଭାବକମାନଙ୍କ ଫୋନ୍‌ ନମ୍ବର ନେଇ ତୁରନ୍ତ ଥାନାକୁ ଆସିବା ପାଇଁ କହିଲେ। ବାପାମା ଥାନାକୁ ଆସିବା କଥା ଜାଣିବା ପରେ ୫ ଛାତ୍ରଙ୍କ ଅବସ୍ଥା ବାର୍‌ ବାଜିଥିଲା। ଘରେ ନ ଜଣାଇବାକୁ ସେମାନେ ତଦନ୍ତକାରୀ ଅଧିକାରୀଙ୍କୁ କାକୁତିମିନତୀ ହୋଇଥିଲେ। ଜଣେ ଛାତ୍ର ବାପାଙ୍କ ମୃତ୍ୟୁ ହୋଇଯାଇଥିବା ଓ ମା’ ହୃଦ୍‌ରୋଗୀ ବୋଲି କହି କାନ୍ଦି ପକାଇଥିଲା। ଶେଷକୁ ସମସ୍ତ ଅଭିଭାବକମାନେ ଥାନାରେ ପହଞ୍ଚି ପଢ଼ିବାକୁ କଲେଜ ଆସୁଥିବା ସେମାନଙ୍କ ପିଲାଙ୍କ କାରନାମା ବାବଦରେ ବୁଝିଥିଲେ ଓ ଅଣ୍ଡରଟେକିଂ ଲେଖି ସେମାନଙ୍କୁ ଥାନାରୁ ମୁକୁଳାଇଥିଲେ।

ସମ୍ବନ୍ଧିତ ଖବର