ହଂସପାଳରେ ହେବନି ଫ୍ଲାଏ ଓଭର୍‌

ଅଣ୍ଡରପାସ୍‌ ନିର୍ମାଣ ପାଇଁ ପ୍ରସ୍ତାବ ପଠାଇଲା ପୂର୍ତ୍ତ ବିଭାଗ

ଭୁବନେଶ୍ୱର: ହଂସପାଳ ଛକରେ ବାରମ୍ବାର ଦୁର୍ଘଟଣା ହେବା ପରେ ଏଠାରେ ଓଭରବ୍ରିଜ୍‌ ନିର୍ମାଣ ପାଇଁ ସ୍ଥାନୀୟ ଲୋକ ଦାବି କରିଥିଲେ। ଏହାପରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏଠାରେ ଓଭରବ୍ରିଜ୍‌ ନିର୍ମାଣ କରିବାକୁ ଯୋଜନା କରିଥିଲେ। ଏପରିକି ସର୍ଭେ କାର୍ଯ୍ୟ ଶେଷ ହୋଇଥିଲା। କିନ୍ତୁ ଏବେ ଏଠାରେ ଫ୍ଲାଏ ଓଭର ନିର୍ମାଣ ନ କରି ଅଣ୍ଡର ପାସ୍‌ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି। ଏନେଇ ପୂର୍ତ୍ତ ବିଭାଗ ପକ୍ଷରୁ ସଡ଼କ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରଣାଳୟ ଡିଜିଙ୍କୁ ପ୍ରସ୍ତାବ ଦିଆଯାଇଛି। ରାଜ୍ୟ ସରକାରଙ୍କ ମୁଖ୍ୟ ଯନ୍ତ୍ରୀ (ରାସ୍ତା), ମୁଖ୍ୟ ଯନ୍ତ୍ରୀ (ଜାତୀୟ ରାଜପଥ) ଏବଂ ଜାତୀୟ ରାଜପଥ କର୍ତୃପକ୍ଷଙ୍କ ସିଜିଏମ୍‌ ମିଳିତ ଭାବେ ହଂସପାଳ ପରିଦର୍ଶନ କରିବା ପରେ ଫ୍ଲାଏ ଓଭର ବଦଳରରେ ଅଣ୍ଡର ପାସ୍‌ ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଦୁଇ ମୁଖ୍ୟ ଯନ୍ତ୍ରୀଙ୍କ ରିପୋର୍ଟକୁ ଭିତ୍ତି କରି ଏଠାରେ ଅଣ୍ଡରପାସ୍‌ ନିର୍ମାଣ କରିବାକୁ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି। ଦୁଇ ମୁଖ୍ୟ ଯନ୍ତ୍ରୀ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ଯେ, ହଂସପାଳ ନିକଟରେ ବାଲିଅନ୍ତା ଗ୍ରାମରୁ ଆସିଥିବା ରାସ୍ତା ଏବଂ ନହରକଣ୍ଟା ଗ୍ରାମରୁ ଆସିଥିବା ରାସ୍ତା ଜାତୀୟ ରାଜପଥକୁ ସଂଯୋଗ କରୁଛି। ଏହି ଦୁଇଟି ଅଞ୍ଚଳ ଏବେ ଜନଗହଳିପୂର୍ଣ୍ଣ ରାସ୍ତା ଭାବେ ପରିଗଣିତ ହେବା ସହ ଏହା ବିଏମ୍‌ସି ଅଞ୍ଚଳରେ ସାମିଲ୍‌ ହୋଇଛି। ତେଣୁ ଭବିଷ୍ୟତରେ ଏହି ଅଞ୍ଚଳରେ ଜନସଂଖ୍ୟା ବଢ଼ିବ। ବର୍ଦ୍ଧିତ ଜନସଂଖ୍ୟାକୁ ନଜରରେ ରଖି ଏଠାରେ ଫ୍ଲାଏ ଓଭର ନିର୍ମାଣ କଲେ ବି ଆବଶ୍ୟକୀୟ ଭିଡ଼ କମାଇ ପାରିବନି। ଫ୍ଲାଏ ଓଭରଟି ବର୍ତମାନର ୪ଥାକିଆ ରାସ୍ତାରୁ ୮ମିଟର ଉଚ୍ଚତାରେ ନିର୍ମାଣ କରିବାକୁ ପ୍ରସ୍ତାବ ଥିଲେ ହେଁ କୁଆଖାଇ ବ୍ରିଜ୍‌ରୁ ପୁରୀ କେନାଲ ମଧ୍ୟରେ ଥିବା ୬୦୦ମିଟର ମଧ୍ୟରେ ଏହାର ଆପ୍ରୋଚ୍‌ ରାସ୍ତା ଦେବା ସମ୍ଭବ ନୁହେଁ। ଏପରିକି ଜାତୀୟ ରାଜପଥ କର୍ତୃପକ୍ଷ ଅଣ୍ଡରପାସ୍‌ ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଥିଲେ। ଏଥିରେ ୧୦.୫୦ମିଟର ଲମ୍ବ ଏବଂ ୫ମିଟର ଉଚ୍ଚତାର ଗୋଟିଏ ଅଣ୍ଡରପାସ୍‌ ନିର୍ମାଣ କରିବାକୁ ପ୍ରସ୍ତାବ ଥିଲା। କିନ୍ତୁ କୁଆଖାଇ ନଦୀରେ ବନ୍ୟା ଆସିଲେ ଏହି ଅଣ୍ଡର ପାସ୍‌ରେ ପାଣି ପଶିଯିବାର ସମ୍ଭାବନା ଅଛି। ଏହାବ୍ୟତୀତ ୧୦.୫ମିଟର ଲମ୍ବର ଅଣ୍ଡର ପାସ୍‌ ଏହି ଅଞ୍ଚଳର ଭିଡ଼ କମାଇବାରେ ସକ୍ଷମ ହେବନି। କୁଆଖାଇ ବ୍ରିଜ୍‌ରୁ ୧୮୦ମିଟର ଦୂରରେ ଏହା ନିର୍ମାଣ ହେଲେ ଏହାକୁ ଆପ୍ରୋଚ୍‌ ରୋଡ୍‌ ସଂଯୋଗ କରିପାରିବନି ଏବଂ ଏବେ ସମ୍ପ୍ରସାରଣ ହେଉଥିବା ଜାତୀୟ ରାଜପଥ-୧୬ରେ ଏହା ବାଧକ ସାଜିବ। ତେଣୁ ଏବେ ଦୁଇପାଖିଆ ଅଣ୍ଡର ପାସ୍‌ ନିର୍ମାଣ କରିବାକୁ ପ୍ରସ୍ତାବ ଦିଆଯାଇଛି। ନୂଆ ପ୍ରସ୍ତାବରେ ଦୁଇଟି ସେଲ୍‌ ବିଶିଷ୍ଟ ଅଣ୍ଡରପାସ୍‌ ନିର୍ମାଣ ହେବ। ରାସ୍ତାର ୫.୭୪୦ କିମି ଦୂରତାରେ ୧୦.୫ମିଟର ସ୍ପାନ୍‌ (ଲମ୍ବ) ଏବଂ ୫ମିଟର ଉଚ୍ଚତା ଲେଖାଏଁର ଏହି ଦୁଇ ପାଖିଆ ଅଣ୍ଡରପାସ୍‌ ନିର୍ମାଣ ହେବ। ଦୁଇ ପାର୍ଶ୍ୱକୁ ସଂଯୋଗ କରି ଦୁଇ ଲେନ୍‌ ବିଶିଷ୍ଟ କ୍ୟାରେଜ୍‌େଓ୍ଵ ନିର୍ମାଣ କରାହେବ। କୁଆଖାଇ ବ୍ରିଜ୍‌ରୁ ପୁରୀ କେନାଲ ପର୍ଯ୍ୟନ୍ତ ଯାତାୟାତ ପାଇଁ ଏହି କ୍ୟାରେଜ୍‌େଓ୍ଵ ବି ସହାୟକ ହେବ। ଅଣ୍ଡର ପାସ୍‌ଟି ୪ ଲେନ୍‌ ବିଶିଷ୍ଟ ହେବାକୁ ଥିବାବେଳେ ପ୍ରତ୍ୟେକ ପାର୍ଶ୍ୱରେ ଦୁଇ ଲେନ୍‌ ରହିବ। ଛକ ସ୍ଥାନଟି ୨୭ମିଟର ରୋଟାରିରେ ନିର୍ମାଣ ହେବ।

ସମ୍ବନ୍ଧିତ ଖବର