‌ରେଳ ଷ୍ଟେସନ୍‌ରୁ ଉଡ଼ନ୍ତା ସାପ ଉଦ୍ଧାର, ବିକ୍ରି ପାଇଁ ଯୋଜନା କରୁଥିବା ବେଳେ ଧରାପଡ଼ିଲା ଯୁବକ

ଭୁବନେଶ୍ୱର: ଭୁବନେଶ୍ବର ରେଳଷ୍ଟେସନ୍‌ ପରିସରରୁ ଆଜି ଏକ ବିରଳ ପ୍ରଜାତିର ଉଡ଼ନ୍ତା ସାପ ଉଦ୍ଧାର ହୋଇଛି। ‌ଜଣେ ଯୁବକ ଏହାକୁ ବିକ୍ରି କରିବା ପାଇଁ ଯୋଜନା କରୁଥିବା ବେଳେ ବନ ବିଭାଗର ଅଧିକାରୀ ଚଢ଼ଉ କରି ସାପଟିକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଛନ୍ତି। ସେ ହେଲା, ପଶ୍ଚିମବଙ୍ଗର ରାଜୁ ମ‌ହତୋ। ତାକୁ କୋର୍ଟଚାଲାଣ କରାଯାଇଛି। ଅପରପକ୍ଷେ ଏହି ବିରଳ ପ୍ରଜାତିର ସାପକୁ ଚନ୍ଦକାରେ ଛଡ଼ା ଯିବାକୁ ଯୋଜନା ହୋଇଛି। ଏହି ପ୍ରଜାତିର ସାପ କେବଳ ଶିମିଳିପାଳ, ସାତକୋଶିଆ, ବରଗଡ଼ରେ ଦେଖାଯାଆନ୍ତି, ଭୁବନେଶ୍ବରରେ ନାହାନ୍ତି। ତେଣୁ ଏଠାରେ ତାକୁ ଛଡ଼ାଗଲେ, ତା’ ଜୀବନ ପ୍ରତି ବିପଦ ରହିଥିବା କୁହାଯାଉଛି।

ଆଜି ପୂର୍ବାହ୍ନ‌ରେ ରାଜୁ ରେଳ ଷ୍ଟେସନ୍‌ରେ ସାପଟି ଧରି ଲୋକଙ୍କୁ ଦେଖାଇ ପଇସା ରୋଜଗାର କରିବା ସହ ବିକ୍ରି ପାଇଁ ଯୋଜନା କରିଥିଲା। ଏହା ଦେଖି କିଛି ଲୋକ ସ୍ନେକ୍‌ ହେଲ୍ପ-ଲାଇନ୍‌କୁ ଖବର ଦେଇଥିଲେ। ହେଲ୍ପ ଲାଇନ୍‌ର ସଂଯୋଜକ ଅମିତ ମହାନ୍ତିଙ୍କ ସହ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଶୁଭେନ୍ଦୁ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି କାରବାର ସମ୍ବନ୍ଧରେ ତଥ୍ୟ ହାସଲ କରିଥିଲେ। ଏହାପରେ ସାପ କିଣିବା ବାହାନାରେ ବନ ବିଭାଗର ମଞ୍ଚେଶ୍ବର ରେଞ୍ଜ ଅଫିସ୍‌କୁ ଡାକି ନେଇଥି‌ଲେ। ଏସ୍ଏଫ୍‌ ଗୌରଗୋପାଳ ସି’ଙ୍କ ନିର୍ଦ୍ଦେଶକ୍ରମେ ଫରେଷ୍ଟର ମାନସ ମହାନ୍ତି ତାକୁ ଗିରଫ କରିଥିଲେ।

ଉଦ୍ଧାର ସାପଟି ବିଷାକ୍ତ ନୁହେଁ, କିନ୍ତୁ ବନ୍ୟପ୍ରାଣୀ ସଂରକ୍ଷଣ ଆଇନର ସିଡ୍ୟୁଲ-୪ରେ ସଂରକ୍ଷିତ। ସାପଟିର ଶରୀରରେ ଝୋଟି ପଡ଼ିବା ଭଳି ଚିତ୍ର ରହିଛି। ସାପଟିର ଆନୁମାନିକ ବୟସ ୩ରୁ ୪ ବର୍ଷ ଓ ଲମ୍ବ ୭୫ ସେଣ୍ଟିମିଟର। ସାପଟି ବାସ୍ତବରେ ପକ୍ଷୀ ଭଳି ଉଡ଼ିପାରେ ନାହିଁ। ଗଛ ଉପରେ ଚଢ଼ି ଏହା ତଳକୁ ଖସିବା ବେଳେ ପବନରେ ପାରାଚ୍ୟୁଟ୍‌ ଭଳି ୩୦ମିଟର ଦୂରକୁ ଚାଲି ଯାଇପାରେ। ଖାଦ୍ୟ ଅନ୍ବେଷଣ ବା ବିପଦ ସମୟରେ ଏଭଳି ଉଡ଼ିଥାଏ। ସେଥିପାଇଁ ଏହାକୁ ଉଡ଼ନ୍ତା ସାପ ବୋଲି କୁହାଯାଏ। ସୁନ୍ଦର ଦେଖାଯିବା ସହ ଏଭଳି ଏକ ଦକ୍ଷତା ରଖିଥିବାରୁ ଏହା ‘ସଂରକ୍ଷିତ’ ପ୍ରଜାତି ଅନ୍ତର୍ଭୁକ୍ତ। ସମ୍ପୃକ୍ତ ଯୁବକ ଏହାକୁ ପ୍ରଦର୍ଶନ କରି ଅର୍ଥ ରୋଜଗାର କରିବା ସହ ବିକ୍ରି ଯୋଜନା କରୁଥିବାରୁ ତାକୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର