ରାସ୍ତାରେ ହେବ ଖାଦ୍ୟ ପରୀକ୍ଷା : ଆସିଲା ‘ଫୁଡ୍‌ ସେଫ୍‌ଟି ଅନ୍‌ ହ୍ଵିଲ୍‌ସ’ ଭ୍ୟାନ୍‌

ଭୁବନେଶ୍ୱର : ରାସ୍ତାରେ କରାଯିବ ଖାଦ୍ୟ ପରୀକ୍ଷା। ଲୋକମାନଙ୍କ ନିକଟରେ ଭ୍ୟାନ୍‌ ପହଞ୍ଚି ସ୍ଥାନୀୟ ଲୋକଙ୍କଠାରୁ ନମୁନା ସଂଗ୍ରହ କରିବ। ସଙ୍ଗେ ସଙ୍ଗେ ଖାଦ୍ୟ ସୁରକ୍ଷିତ କି ନୁହେଁ ତାହାର ରିପୋର୍ଟ ଦେବ। ଯାହାଫଳରେ ଲୋକମାନଙ୍କୁ ସେମାନଙ୍କ ଅଞ୍ଚଳରେ ବିକ୍ରି ହେଉଥିବା ଖାଦ୍ୟ ସୁରକ୍ଷିତ କି ନୁହେଁ ତାହାର ରିପୋର୍ଟ ପାଇବାକୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଏଭଳି ଏକ ଭ୍ୟାନ୍‌ ‘ଫୁଡ୍‌ ସେଫ୍‌ଟି ଅନ୍‌ ହ୍ଵିଲ୍‌ସ’ ରାଜଧାନୀରେ ପହଞ୍ଚିଛି। କେନ୍ଦ୍ରୀୟ ଖାଦ୍ୟ ସୁରକ୍ଷା ଓ ପ୍ରାଧିକରଣ ମାନକ ବା ଏଫ୍‌ଏସ୍‌ଏସ୍‌ଏଆଇ ପକ୍ଷରୁ ଏହି ଭ୍ୟାନ୍‌ ଓଡ଼ିଶାକୁ ଦିଆଯାଇଛି। ଆସନ୍ତା କିଛିଦିନ ମଧ୍ୟରେ ଏହି ଭ୍ୟାନ୍‌ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟ ସ୍ଥାନରେ ଖାଦ୍ୟ ପରୀକ୍ଷା କରିବ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଖାଦ୍ୟ ଓ ପାନୀୟରେ ଅପମିଶ୍ରଣ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ଲୋକଙ୍କ ମଧ୍ୟରେ ଏଥିପାଇଁ ସଚେତନତାର ଅଭାବ ଯୋଗୁଁ ଅସ୍ୱାସ୍ଥ୍ୟକର ତଥା ବାସି ଖାଦ୍ୟ ଦୋକାନୀମାନେ ବିକ୍ରି କରୁଛନ୍ତି। ଯଦିଓ ଖାଦ୍ୟ ସୁରକ୍ଷା ଅଧିକାରୀ ଏସବୁ ଖାଦ୍ୟ ପଦାର୍ଥ ଉପରେ ଚଢ଼ଉ କରୁଛନ୍ତି। କିନ୍ତୁ ଏହା ନିୟମିତ ନ ଥିବାରୁ ଅପମିଶ୍ରଣକାରୀଙ୍କ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳୁନାହିଁ। ବଜାରରେ ବିକ୍ରି ହେଉଥିବା ଖାଦ୍ୟ କିମ୍ବା ପାନୀୟର ନମୁନା ରିପୋର୍ଟ ପାଇବା ପାଇଁ ଅପେକ୍ଷା କରିବାକୁ ପଡ଼ୁଛି। ତେଣୁ ‘ଫୁଡ ସେଫ୍‌ଟି ଅନ୍‌ ହ୍ଵିଲ୍‌ସ’ ଏ ଦିଗରେ ସହାୟକ ହୋଇପାରିବ।

ଏହି ଭ୍ୟାନ୍‌ରେ ଗ୍ରୋସେରିରେ ବିକ୍ରି ହେଉଥିବା ଜିନିଷ, ପ୍ରସ୍ତୁତ ଖାଦ୍ୟ, ପାଣି, କ୍ଷୀର, ଘିଅ ଓ ତେଲ ଭଳି ପଦାର୍ଥର ପରୀକ୍ଷା କରାଯିବ। ଭ୍ୟାନ୍‌ଟି କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ନ ରହି ବିଭିନ୍ନ ପରିବା ମାର୍କେଟ, ହାଟ ଓ ଜନଗହଳି ପୂର୍ଣ୍ଣ ସ୍ଥାନରେ ବିକ୍ରି ହେଉଥିବା ଖାଦ୍ୟ ପଦାର୍ଥର ଯାଞ୍ଚ କରିବ। ବ୍ୟକ୍ତିଗତ ଭାବେ ଯେଉଁ ବ୍ୟକ୍ତି ଖାଦ୍ୟ କିମ୍ବା ପାନୀୟର ମାନ ପରୀକ୍ଷା କରିବାକୁ ଚାହିଁବେ ସେମାନେ ଏହି ଭ୍ୟାନ୍‌ରେ ପରୀକ୍ଷା କରିପାରିବେ। ଏହି ପରୀକ୍ଷା ପାଇଁ ଜଣେ ବ୍ୟକ୍ତିଙ୍କୁ ୧୦ଟଙ୍କା ଦେବାକୁ ପଡ଼ିବ।

ଖାଦ୍ୟ ସୁରକ୍ଷାର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଫୁଡ୍‌ ସେଫ୍‌ଟି ଅନ ହ୍ଵିଲ ଭ୍ୟାନ୍‌ କେବଳ ଖାଦ୍ୟ ପରୀକ୍ଷା କରିବ ନାହିଁ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରଚାର କରିବ। ଏଥିରେ ଏଲ୍‌ସିଡି ଓ ମାଇକର ବ୍ୟବସ୍ଥା ରହିଛି। ଲୋକମାନଙ୍କୁ ଏହି ଜରିଆରେ ସଚେତନ କରାଯିବ। ଲୋକମାନେ ମଧ୍ୟ ଭ୍ୟାନ୍‌ରେ ଥିବା ଅଧିକାରୀଙ୍କୁ ପ୍ରଶ୍ନ ପଚାରି ପାରିବେ। ଏଫ୍‌ଏସ୍‌ଏସ୍‌ଏଆଇ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାକୁ ଗୋଟିଏ ଭ୍ୟାନ୍‌ ପ୍ରଦାନ କରାଯାଇଛି। ଛୋଟ ରାଜ୍ୟଙ୍କୁ ୨ଟି ଓ ବଡ଼ ରାଜ୍ୟକୁ ୪ଟି ଏଭଳି ଭ୍ୟାନ୍‌ ଦିଆଯିବାର ବ୍ୟବସ୍ଥା ରହିଛି। ଆଗାମୀ ଦିନରେ ଯଦି ଏଫ୍‌ଏସ୍‌ଏସ୍‌ଏଆଇ ଖାଦ୍ୟ ପଦାର୍ଥର ଯାଞ୍ଚ ପାଇଁ ଆଉ ଏକ ଭ୍ୟାନ୍‌ ଦେବାର ଆବଶ୍ୟକତା ଅନୁଭବ କରେ ତେବେ ଓଡ଼ିଶାକୁ ଆଉ ଏକ ଭ୍ୟାନ୍‌ ମିଳିପାରେ। ଏହି ଭ୍ୟାନ୍‌ରେ ଜଣେ ଲାବୋରେଟୋରି ଟେକ୍‌ନିସିଆନ୍‌, ଜଣେ ଖାଦ୍ୟ ସୁରକ୍ଷା ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀ ରହିବେ। ଜନଗହଳିପୂର୍ଣ୍ଣ ସ୍ଥାନରେ ବିକ୍ରି ହେଉଥିବା ଖାଦ୍ୟ, ଛୋଟ ହୋଟେଲ ଓ ବଜାରରେ ମିଳୁଥିବା ଖାଦ୍ୟ ଓ ପାନୀୟର ଯାଞ୍ଚ କରାଯିବ।

ଏହି ଭ୍ୟାନ୍‌ ଚଳାଇବାକୁ ଆସନ୍ତା ୩ବର୍ଷ ପାଇଁ ଏଫ୍‌ଏସ୍‌ଏସ୍‌ଏଆଇ ପକ୍ଷରୁ ପ୍ରତିବର୍ଷ ୫ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଏହାର ରକ୍ଷଣାବେକ୍ଷଣ ଓ ପରିବହନ ଖର୍ଚ ରାଜ୍ୟ ସରକାର ବହନ କରିବେ। ପ୍ରତ୍ୟେକ ଦିନ ଏହି ଭ୍ୟାନ୍‌ ୧୦୦/୧୫୦ କି.ମି ବ୍ୟବଧାନରେ ଖାଦ୍ୟ ପଦାର୍ଥର ଯାଞ୍ଚ କରିବ। ଏହି ଭ୍ୟାନ୍‌ ଚଳାଚଳ କରିବା ପାଇଁ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ନିକଟରେ ପଞ୍ଜୀକରଣର ଆବଶ୍ୟକତା ଥିବାରୁ ଏହାର ପଞ୍ଜୀକରଣ କରାଯିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର