ସ୍ମାର୍ଟ ସଚିବାଳୟ ମାର୍ଗ ଖୁବ୍‌ଶୀଘ୍ର

କଳିଙ୍ଗ ଷ୍ଟାଡିୟମ ସାମ୍ନାରେ ଫୁଟ୍‌ ଓଭରବ୍ରିଜ୍‌ ପାଇଁ ୪.୬୯କୋଟି

ଭୁବନେଶ୍ୱର: ସ୍ମାର୍ଟ ଜନପଥ କାର୍ଯ୍ୟ ଆରମ୍ଭ ହୋଇଯାଇଥିବାବେଳେ ଖୁବ୍‌ ଶୀଘ୍ର ସ୍ମାର୍ଟ ସଚିବାଳୟ କାର୍ଯ୍ୟ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ସ୍ମାର୍ଟ ସଚିବାଳୟ ବିମାନବନ୍ଦରରୁ ଏଜି ଛକ ପର୍ଯ୍ୟନ୍ତ ୧.୬୮୦ କିମି ରାସ୍ତାକୁ ଉନ୍ନତିକରଣ କାର୍ଯ୍ୟ ହେବ। ଏହି କାର୍ଯ୍ୟ ୬ମାସ ମଧ୍ୟରେ ଶେଷ ହେବ। ହକି ବିଶ୍ୱକପ୍‌ ପୂର୍ବରୁ ଏହି ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଟାର୍ଗେଟ ରଖାଯାଇଛି ବୋଲି ପୂର୍ତ୍ତ ବିଭାଗ ସୂତ୍ରରୁ ଜାଣିବାକୁ ମିଳିଛି। ସ୍ମାର୍ଟ ସଚିବାଳୟ ମାର୍ଗର ପ୍ରଥମ ପର୍ଯ୍ୟାୟ କାମ ପାଇଁ ୨୧କୋଟି ୪୧ଲକ୍ଷ ୯୮ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଏନେଇ ମାର୍ଚ୍ଚ ୨୩ତାରିଖରୁ ଟେଣ୍ଡର ଆହ୍ଵାନ ହେବାକୁ ଥିବାବେଳେ ଏହି କାର୍ଯ୍ୟ ନଭେମ୍ବର ମାସ ଶେଷ ସୁଦ୍ଧା ସଂପୂର୍ଣ୍ଣ କରିବାକୁ ନିଷ୍ପତ୍ତି ହୋଇଛି। ସେହିପରି କଳିଙ୍ଗ ଷ୍ଟାଡିୟମ ସମ୍ମୁଖରେ ଗେଟ୍‌ ନଂ ୩ ଓ ଗେଟ୍‌ ନଂ ୭ ନିକଟରେ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ ହେବ। ୮୦୦ ମିଟର ମଧ୍ୟରେ ଏହି ଦୁଇଟି ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ ହେବ। ୪ମାସରେ ଏହି ଦୁଇଟି ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ ଶେଷ ହେବ। ଏଥିପାଇଁ ୪କୋଟି ୬୯ଲକ୍ଷ ୯୬ହଜାର ୫୦୦ଟଙ୍କା ଖର୍ଚ୍ଚ କରିବାକୁ ଆକଳନ ହୋଇଛି। ଆସନ୍ତା ୨୩ ତାରିଖରୁ ଏନେଇ ଟେଣ୍ଡର ଆହ୍ଵାନ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର