ପିକକ୍‌ ଭ୍ୟାଲିରେ ବିଦେଶୀ ପର୍ଯ୍ୟଟକ

ଭୁବନେଶ୍ବର : ସହରରେ ଚାଲିଛି ହକି ବିଶ୍ବକପ୍‌। ସନ୍ଧ୍ୟା ହେବା କ୍ଷଣି କଳିଙ୍ଗ ଷ୍ଟାଡିୟମ୍‌ରେ ଦର୍ଶକଙ୍କ ଖଚାଖଚ ଭିଡ଼। ତା’ ସାଙ୍ଗକୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଡଟ୍‌ ଫେଷ୍ଟ୍‌ର ମଜା ଉଠାଉଛନ୍ତି ଦେଶୀ ଓ ବିଦେଶୀ ପର୍ଯ୍ୟଟକ। ସକାଳୁ ରାତି ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ଭରପୂର ମନୋରଞ୍ଜନ ମିଳୁଥିଲେ ମଧ୍ୟ ସେଥିରୁ ସମୟ ବାହାର କରି ଭୁବନେଶ୍ବର ଉପକଣ୍ଠ ପିକକ୍‌ ଭ୍ୟାଲି‌ରେ ପହଞ୍ଚୁଛନ୍ତି ବିଦେଶୀ ପର୍ଯ୍ୟଟକ। ରାଜଧାନୀଠାରୁ ୨୫ କିମି ଦୂର ନରାଜ ନିକଟରେ ଥିବା ଅଘୋଷିତ ମୟୂର ଉପତ୍ୟାକାରେ ଜମୁଛି ବିଦେଶୀଙ୍କ ଗହଳି। ନେଦରଲ୍ୟାଣ୍ଡ, ଜାପାନ, ଇଂଲଣ୍ଡ ପରି ଦେଶରୁ ଆସିଥିବା ବିଦେଶୀ ପର୍ଯ୍ୟଟକମାନେ ପିକକ୍‌ ଭ୍ୟାଲିର ମଜା ଉଠାଇବା ସହ ମହାନଦୀ ନିକଟରେ ଥିବା ଏହି ଅଞ୍ଚଳକୁ ପର୍ଯ୍ୟଟନ ସ୍ଥଳୀ ଭାବେ ଘୋଷଣା କରିବାକୁ ବି ପ୍ରସ୍ତାବ ଦେଇଛନ୍ତି।

୧୯୯୯ରେ ନରାଜ ଗ୍ରାମର ସ୍ବର୍ଗତ ପାଣୁ ବେହେରାଙ୍କଠାରୁ ଆରମ୍ଭ ହୋଇଥିଲା ପିକକ୍‌ ଭ୍ୟାଲିର ପରିକଳ୍ପନା। ଗୋଟିଏ ଅଣ୍ତିରା ଓ ଦୁଇଟି ମାଈ ମୟୂର ଖୋଲା ପଡ଼ିଆରେ ଖାଦ୍ୟ ଅନ୍ୟଷଣରେ ବୁଲୁଥିବା ବେଳେ ପାଣୁ ସେମାନଙ୍କୁ ଖାଇବାକୁ ଦେବା ସହ ସୁରକ୍ଷା ଲାଗି ଆଗେଇ ଆସିଥିଲେ। ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ମୟୂରଙ୍କୁ ଖୁଦ, ଧାନ କୁଣ୍ତା ଓ ଭାତ ଖାଇବାକୁ ଦେଉଥିଲେ। ୩ଟି ମୟୂରଙ୍କୁ ନେଇ ଗଢ଼ି ଉଠିଥିବା ଏହି ପିକକ୍‌ ଭ୍ୟାଲିରେ ଏବେ ୧୪୦ରୁ ଅଧିକ ମୟୂର ରହିଛନ୍ତି। ୩ ମାସ ତଳେ ଏଠାରେ ନୂଆ କରି ୨୫ଟି ମୟୂର ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକା˚ଶ ମାଈ ମୟୂର ହୋଇଥିବା ବେଳେ ୫ଟି ଧଳା ମୟୂର ଏବେ ରହିଛନ୍ତି।

ଖୋଲା ପଡ଼ିଆରେ ମୟୂରଙ୍କ ବୁଲିବାକୁ ଦେଖିବା ପାଇଁ ବିଦେଶୀ ପର୍ଯ୍ୟଟକ ମଧ୍ୟ ଆଗ୍ରହ ଦେଖାଉଛନ୍ତି। ଟୁର ଅପରେଟର୍‌ମାନେ ପର୍ଯ୍ୟଟକଙ୍କୁ ଭୁବନେଶ୍ବର ବାହାରକୁ ବୁଲାଇ ନେବା ସମୟରେ ପିକକ୍‌ ଭ୍ୟାଲିକୁ ପ୍ରାଥମିକତା ଦେଉଛନ୍ତି। ମୟୂର ଉପତ୍ୟାକାକୁ ଲାଗି ମହାନଦୀ ଯାଇଥିବା ବେଳେ ପାହାଡ଼ ଉପରେ ଏକ ମନ୍ଦିର ବି ରହିଛି। ଯାହାକି ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣ ପାଲଟିଛି। ମୟୂର ବୁଲୁଥିବା ସ୍ଥାନଠାରୁ ୩୦୦ ମିଟର ଦୂରରେ ଛିଡ଼ା ହୋଇ ବିଦେଶୀ ପର୍ଯ୍ୟଟକ ସେଲ୍‌ଫି ନେଉଛନ୍ତି। ତାହାକୁ ସୋସିଆଲ୍‌ ମିଡିଆରେ ସେୟାର କରିବା ସହ ବୁଲି ଆସିବାକୁ ଅନ୍ୟମାନଙ୍କୁ ଆହ୍ବାନ ଦେଉଛନ୍ତି। ଜାପାନ ପର୍ଯ୍ୟଟକ ଫରଗେନ୍‌ କୁହନ୍ତି ଏଭଳି ସ୍ଥାନ କେଉଁଠି ବି ଦେଖିନୁ। ଏତେ ନିକଟରୁ ମୟୂରଙ୍କୁ ଦେଖିବାର ସୁଯୋଗ ମିଳିଥିବାରୁ ଖୁସି ଲାଗୁଛି। ଏହାକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିବା ଆବଶ୍ୟକ। ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଓଡ଼ିଶାକୁ ଆସିଥିବା ପ୍ରତି ବିଦେଶୀ ପର୍ଯ୍ୟଟକ ଏଠାକୁ ବୁଲି ଆସିବା ଆବଶ୍ୟକ।

ମୟୂରଙ୍କୁ ଖାଇବାକୁ ଦେଉଥିବା ତଥା ସୁରକ୍ଷା କଥା ବୁଝୁଥିବା ପାଣୁ ବେହେରାଙ୍କ ନାତି କାହ୍ନୁ କୁହନ୍ତି ମୟୂରଙ୍କ ସହ ସମୟ କାଟିବାକୁ ବିଦେଶୀମାନେ ଚାହୁଁଛନ୍ତି। ତେଣୁ ଟୁର ଅପରେଟରମାନେ ପର୍ଯ୍ୟଟକମାନଙ୍କୁ ସାଙ୍ଗରେ ଧରି ଏଠାରେ ପହଞ୍ଚୁଛନ୍ତି। ୩ ଘଣ୍ଟା ଧରି ମୟୂରଗୁଡ଼ିକ ଖୋଲାରେ ବୁଲୁଥିବାରୁ ପର୍ଯ୍ୟଟକମାନେ ଦୂରରେ ଥାଇ ମନୋରମ ଦୃଶ୍ୟ ଦେଖୁଛନ୍ତି। ‌ଗଛରେ ମୟୂର ବସିଥିବାର ଦୃଶ୍ୟ ବି କ୍ୟାମେରାରେ ଏକଦ କରୁଛନ୍ତି। ନିକଟରେ ଥିବା ନରାଜ ଡ୍ୟାମ୍‌ ବି ବୁଲି ଦେଖୁଛନ୍ତି।

ସମ୍ବନ୍ଧିତ ଖବର