ଚଉଷଠୀ ଯୋଗିନୀ ପୀଠରେ ବିଦେଶିନୀଙ୍କ ଓଡ଼ିଶୀ ନୃତ୍ୟ

ବାଲିଅନ୍ତା: ଆସନ୍ତା ୨୩ ତାରିଖରେ ମହୋତ୍ସବ ପାଇଁ ବାଲିଅନ୍ତା ବ୍ଲକ ଅଧୀନ ପ୍ରସିଦ୍ଧ ତନ୍ତ୍ରପୀଠ ଚଉଷଠୀ ଯୋଗିନୀ ପୀଠ ପରିସର ଏବେ ଅଧିକ ଚଳଚଞ୍ଚଳ ହୋଇପଡ଼ିଛି । ଏଥିସହିତ ପୀଠ ପରିଦର୍ଶନରେ ଆସୁଥିବା କଳା ଓ ସଂସ୍କୃତିପ୍ରେମୀ ବିଦେଶୀ ପର୍ଯ୍ୟଟକମାନଙ୍କର ବି ବହୁତ ଭିଡ଼ ଜମିଲାଣି । ଯୋଗିନୀ ପୀଠର ଏତିହ୍ୟ ସଂପର୍କରେ ତଥ୍ୟ ସଂଗ୍ରହ କରିବା ପାଇଁ ସୁଦୂର ଆମେରିକାରୁ ଆସିଥିବା ଏକ ଓଡ଼ିଶୀ ନୃତ୍ୟ ଶିକ୍ଷାନୁଷ୍ଠାନର ନୃତ୍ୟ ଗୁରୁ ଓ ଶିଳ୍ପୀମାନେ ଏଠାରେ ଥିବା କଳାମଣ୍ଡପରେ ମଧ୍ୟାହ୍ନରେ ମା’ ମହାମାୟାଙ୍କ ଉଦ୍ଦେଶ୍ୟରେ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରିଥିଲେ । ନୃତ୍ୟ ଅଭିନୟରେ ଶିଳ୍ପୀମାନେ ଦୀର୍ଘ ଏକ ଘଣ୍ଟା ଧରି ମା’ ଦୁର୍ଗାଙ୍କ ‘ ସ୍ତୁତି ’ ଓ ମହିଷା ନିଧନ ପରିବେଷଣ କରିଥିଲେ । ଯୋଗ ତଥା ନୃତ୍ୟ ଗୁରୁ ଆନନ୍ଦ ଶକ୍ତିଙ୍କ ସଂଯୋଜନା ଏବଂ ନିର୍ଦ୍ଦେଶନାରେ ଉପରୋକ୍ତ କଳା ଶିକ୍ଷାନୁଷ୍ଠାନର ଦେବେକା , ସ୍ଲୋଆନ , ଗେଲ୍‌ , ସାଚେତ୍ରା , ଲିନୀ ଓ ଜିନ୍ନା ପ୍ରମୁଖ ଅଧ୍ୟୟନରତ ଶିଳ୍ପୀମାନେ ଅଂଶଗ୍ରହଣ କରିଥିଲେ । ହେଲେ ମଞ୍ଚରେ ନଥିଲେ ସହଯୋଗୀ ବାଦ୍ୟଯନ୍ତ୍ର ଶିଳ୍ପୀ କିମ୍ବା ମଞ୍ଚ ନିକଟରେ ନଥିଲେ ସମବେତ ଦର୍ଶକମଣ୍ଡଳୀ । ଏହି ଅବସରରେ ସେମାନେ ଓଡ଼ିଶାର ମହାନ କଳା ସଂସ୍କୃତି ସଂପର୍କରେ ତଥ୍ୟ ଅନୁଧ୍ୟାନ ପାଇଁ ଏଠାକୁ ଆସି ବିଭିନ୍ନ କଳା ସଂସ୍କୃତି ଓ ଐତିହ୍ୟ ସଂପନ୍ନ ପର୍ଯ୍ୟଟନସ୍ଥଳୀ ବୁଲି ଦେଖିବା ସହ ମହାମାୟା ପୀଠରେ ଓଡ଼ିଶୀ ନୃତ୍ୟରେ ଦେବୀ ବନ୍ଦନା କରିଥିବା ଶିଳ୍ପୀଗୁରୁ କହିଛନ୍ତି । ଏଣେ ପିକ୍‌ନିକ୍‌ ଋତୁ ଆରମ୍ଭ ହୋଇଥିବାରୁ ଏଠାରେ ବଣଭୋଜି କରିବା ପାଇଁ ସ୍ଥାନୀୟ ପର୍ଯ୍ୟଟକମାନଙ୍କର ମଧ୍ୟ ସମଗମ ହେଲାଣି ।

ସମ୍ବନ୍ଧିତ ଖବର