ଘରକୁ ଘର ବୁଲି ଗଛ ବାଣ୍ଟିବ ବନ ବିଭାଗ

ଭୁବନେଶ୍ବର, କଟକ, ପୁରୀରେ ୨୫ଟି ଗାଡ଼ି ବୁଲିବ

ଭୁବନେଶ୍ବର: ସହରବାସୀଙ୍କୁ ବିନା ମୂଲ୍ୟରେ ଚାରିଦିନ ବ୍ୟାପୀ ହେଉଥିବା ବୃକ୍ଷ ଚାରା ବିତରଣ କାର୍ଯ୍ୟକ୍ରମକୁ ବିଦାୟୀ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ବନବିଭାଗର ବିନା ମୂଲ୍ୟରେ ଚାରା ବିତରଣ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନସାଧାରଣ ସାମିଲ୍‌ ହୋଇ ବୃକ୍ଷରୋପଣ ପାଇଁ ଆଗେଇ ଆସିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ୨୫ଟି ଭ୍ରାମ୍ୟମାଣ ଗାଡ଼ିରେ ଭୁବନେଶ୍ବର, କଟକ, ପୁରୀ ସହର ଏବଂ ସହରତଳିଆ ଅଞ୍ଚଳରେ ଘରକୁ ଘର ବୁଲି ବୃକ୍ଷ ଚାରା ବଣ୍ଟନ ସହ ଲୋକଙ୍କ ମଧ୍ୟରେ ଗଛ ଲଗାଇବା ନେଇ ସଚେତନତା ସୃଷ୍ଟି କରାଯିବ। ଏଥିପାଇଁ ଭୁବନେଶ୍ବରରେ ୧୫ଟି, କଟକରେ ୫ଟି ଏବଂ ପୁରୀରେ ୫ଟି ଗାଡ଼ି ବୁଲିବ। ଏହି ଗାଡ଼ି ପ୍ରତ୍ୟେକ ଛକ, ଆବାସିକ କଲୋନି, ଗଳିକନ୍ଦିରେ ବୁଲି ଗଛ ବାଣ୍ଟିବ। ଏହି ଚାରା ବାଣ୍ଟିବା ଦାୟିତ୍ବ ଭୁବନେଶ୍ବର ନଗର ବନଖଣ୍ଡ, ଚନ୍ଦକା ବନଖଣ୍ଡ, ପୁରୀ ବନଖଣ୍ଡ ନେଇଛନ୍ତି। ୟୁନିଟ-୬ ସ୍ଥିତ ବିଜୁ ପଟ୍ଟନାୟକ ପାର୍କ ନିକଟରେ ଶ୍ରୀ ପାଢ଼ୀ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିବା ବେଳେ ଏଥିରେ ଅର୍ଥ ବିଭାଗର ପ୍ରମୁଖସଚିବ ଅଶୋକ କୁମାର ମୀନା, ସ୍ବତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀ, ରାଜସ୍ବ ସଚିବ ନିକୁଞ୍ଜ କିଶୋର ଧଳ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସନ୍ଦୀପ ତ୍ରିପାଠୀ, ଏଚ୍‌ଡିଏଫ୍‌ସିର ଆଞ୍ଚଳିକ ମୁଖ୍ୟ ରାଜେଶ ଶ୍ରୀବାସ୍ତବ, ଅତିରିକ୍ତ ପିସିସିଏଫ୍ ଏ.କେ ପାଠକଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର