ପଥୋତ୍ସବ କଥା ଭୁଲିଗଲେ

ଭୁବନେଶ୍ୱର :ରବିବାର ସକାଳେ ନିଆରା ଅନୁଭବ ଦେବା ପାଇଁ ବିଏମ୍‌ସି-ବିଡିଏ ପକ୍ଷରୁ ଆରମ୍ଭ ହୋଇଥିଲା ରାହଗିରି। ଯାହା ପରବର୍ତ୍ତୀ ସମୟରେ ପଥୋତ୍ସବର ନାଁ ପାଇଥିଲା। ହଜାର ହଜାର ରାଜଧାନୀବାସୀଙ୍କୁ ଜନପଥରେ ଏକାଠି କରିବା ସହ ମନୋରଞ୍ଜନର ଖୋରାକ୍‌ ଯୋଗାଇବା ପାଇଁ ଏଥିରେ ସବୁ ପ୍ରକାରର ବନ୍ଦୋବସ୍ତ ବି ହୋଇଥିଲା। ବର୍ଷା ଋତୁ ଆସିବାରୁ ଏହାକୁ ସାମୟିକ ସମୟ ପାଇଁ ବନ୍ଦ କରିଦେଲେ କର୍ତୃପକ୍ଷ। କିନ୍ତୁ ଶରତ ଯାଇ ଶୀତ ଆସିଲାଣି। ଅଥଚ ପୁଣି ପଥୋତ୍ସବ ଆରମ୍ଭ କରିବାକୁ ଯୋଜନା ନାହିଁ। କେବେ ଆରମ୍ଭ ହେବ ପଚାରିଲେ ବିଏମ୍‌ସି କି ବିଡିଏ କର୍ତ୍ତୃପକ୍ଷ କାହା ପାଖରେ ଉତ୍ତର ନାହିଁ।

ରାହଗିରିିର ନୂଆ ସଂସ୍କରଣ ପଥୋତ୍ସବ ଆରମ୍ଭ ହୋଇଥିଲା ୨୦୧୬ ନଭେମ୍ବର ୨୭ରେ। ରାହଗିରି ପରି ପଥୋତ୍ସବରେ ବି ରାଜଧାନୀବାସୀ ଏକାଠି ହେଲେ। କିଏ ପୁରୁଣା ବନ୍ଧୁଙ୍କ ସହ ଖଟି କରିବାକୁ ଏକାଠି ହେଲେ ତ କିଏ ବ୍ୟାୟାମ କରିବାକୁ, କିଏ ପ୍ରାତଃ ଭ୍ରମଣରେ ଆସିଲେ ତ କିଏ ଦୁଇ ମଞ୍ଚରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ। ରାଜଧାନୀବାସୀଙ୍କ ପାଇଁ ରବିବାର ସକାଳର ଠିକଣା ପାଲଟି ଯାଇଥିଲା ଜନପଥ। ତେବେ ମୌସୁମି ପ୍ରବେଶ କରିବା ପରେ ବର୍ଷା ଯୋଗୁଁ ଲୋକଙ୍କ ସଂଖ୍ୟା କମିଲା। ଏହାପରେ ସାମୟିକ ଭାବେ ପଥୋତ୍ସବକୁ ସ୍ଥଗିତ ରଖାଗଲା, କାଳୀ ପୂଜା ପରେ ପୁଣି ଆରମ୍ଭ ହେବ ବୋଲି ମେୟର ଅନନ୍ତ ନାରାୟଣ ଜେନା ଘୋଷଣା କଲେ। କିନ୍ତୁ କାଳୀ ପୂଜା ଶେଷ ହୋଇଥିଲେ ହେଁ ପଥୋତ୍ସବ ପୁଣି କେବେ ଆରମ୍ଭ ହେବ କେହି ଜାଣି ନାହାନ୍ତି। ପ୍ରସ୍ତୁତି ବି ଏଯାଏ କିଛି ନାହିଁ। ପଚାରିଲେ କହୁଛନ୍ତି କେବେ ଆରମ୍ଭ ହେବ ସେନେଇ କିଛି ନିଷ୍ପତ୍ତି ହୋଇନି। ଏପଟେ ପଥୋତ୍ସବ କେବେ ଆରମ୍ଭ ହେବ ସେନେଇ ବିଭିନ୍ନ ସ୍ୱେଚ୍ଛାସେବୀ ସଂସ୍ଥାମାନେ ବିଏମ୍‌ସିକୁ ଚିଠି ଲେଖି ପଚାରିଲେଣି। ପଥୋତ୍ସବ ଆରମ୍ଭ ହେଲେ ସେମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ଅନୁମତି ଦେବାକୁ ୫ରୁ ଅଧିକ ସଂସ୍ଥା ବିଏମ୍‌ସିକୁ ଚିଠି ଲେଖିଥିବା ଜଣାପଡ଼ିଛି।

ପଥୋତ୍ସବ ପୁଣି ଆରମ୍ଭ ହେବା ନେଇ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଗତବର୍ଷ ନଭେମ୍ବର ୨୭ରେ ପଥୋତ୍ସବ ଆରମ୍ଭ ହୋଇଥିଲା। ତେଣୁ ଏଥର ନଭେମ୍ବର ଦ୍ୱିତୀୟ ସପ୍ତାହ ବେଳକୁ ଆରମ୍ଭ କରିବାକୁ ଯୋଜନା ହେଉଛି। ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ଖୁବ୍‌ ଶୀଘ୍ର ନିଷ୍ପତ୍ତି ନିଆଯିବ। ଆୟୋଜନ ପାଇଁ ଆମର ସମସ୍ତ ଭିତ୍ତିଭୂମି ପ୍ରସ୍ତୁତ ଥିବାରୁ ତାରିଖ ଘୋଷଣା ହେଲେ ଆମେ ସପ୍ତାହକ ମଧ୍ୟରେ ପଥୋତ୍ସବ ଆରମ୍ଭ କରିପାରିବୁ।

ଏପଟେ ମେୟର ଅନନ୍ତ ନାରାୟଣ ଜେନା କହିଛନ୍ତି ଯେ, ବର୍ଷା ଯୋଗୁଁ ପଥୋତ୍ସବ ବନ୍ଦ ହୋଇଥିଲା। କାଳୀ ପୂଜା ସମୟରେ ବର୍ଷା ହେବାରୁ କେବେ ପଥୋତ୍ସବ ପୁଣି ଆରମ୍ଭ ହେବ ସେନେଇ ବୈଠକ ହୋଇପାରିନି। ବର୍ଷା କମିଲେ, ଶୀତ ପଡ଼ିଲେ ଆମେ ପୁଣି ଆରମ୍ଭ କରିବୁ।

ବିଏମ୍‌ସି କମିସନର୍‌ କ୍ରିଷନ କୁମାରଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ପଥୋତ୍ସବ ନେଇ ଏଯାଏଁ କିଛି ନିଷ୍ପତ୍ତି ହୋଇନି। ଆସନ୍ତା ଏକ ମାସ ମଧ୍ୟରେ ଆରମ୍ଭ କରିବାକୁ ଯୋଜନା ଅଛି।
ସୂଚନାଯୋଗ୍ୟ ଯେ, ଜାନୁଆରି ୧୭, ୨୦୧୬ରେ ରାହଗିରି ଆରମ୍ଭ ହେବାର ୨୭ଟି ସଂସ୍କରଣ ପରେ ଜୁଲାଇ ୧୭ରେ ଏହା ବନ୍ଦ ହୋଇଯାଇଥିଲା। ଏହାପରେ ନଭେମ୍ବର ୨୭, ୨୦୧୬ରେ ଏହା ପୁଣି ପଥୋତ୍ସବ ନାମରେ ଆରମ୍ଭ ହୋଇଥିଲା। ୩୫ଟି ସଂସ୍କରଣ ପରେ ବର୍ଷାଋତୁ ଯୋଗୁଁ ଗତ ଜୁଲାଇ ୨୩ତାରିଖରୁ ଏହା ବନ୍ଦ ଅଛି।

ସମ୍ବନ୍ଧିତ ଖବର