ବିଦେଶୀ ମଡେଲଙ୍କ ଦେହରେ ଓଡ଼ିଶା ହସ୍ତତନ୍ତ ପୋଷାକ

ଭୁବନେଶ୍ୱର: ମଞ୍ଚରେ ଥିଲା ଅତ୍ୟାଧୁନିକ ଆଲୋକସଜ୍ଜା, ଧୀର ସଂଗୀତ ଓ ପ୍ରେକ୍ଷାଳୟରେ ଫ୍ୟାସନ ସହ ଅତି ନିକଟରୁ ଜଡ଼ିତ ଦର୍ଶକ। ନିଜର ଆକର୍ଷଣୀୟ ମୁଖଭଙ୍ଗୀ, ମନଲୋଭା ଚାଲିକୁ ଅଳଙ୍କାର କରି ତଥା ଓଡ଼ିଶାର ହସ୍ତକଳାକୁ ନେଇ ପ୍ରସ୍ତୁତ ଭିନ୍ନ ଭିନ୍ନ ପୋଷାକ ପରିଧାନ କରି ଧୂଅାଁଳିଆ ପରିବେଶ ଭିତରୁ ବାହାରି ଆସୁଥିଲେ ସୁନ୍ଦର ସୁନ୍ଦର ମଡେଲମାନେ। ସମ୍ବଲପୁରୀ, ଇକ୍କତ, ପଟ୍ଟଚିତ୍ର ଓ ବାନ୍ଧ ଆଦି ଓଡ଼ିଶାର ହସ୍ତତନ୍ତକୁ ପରିଧାନ କରିଥାନ୍ତି ବିଦେଶୀ ମଡେଲ୍‌। ପାରମ୍ପରିକ ପୋଷାକରେ ଅତ୍ୟାଧୁନିକତାର ଛାପ ଦର୍ଶକଙ୍କୁ କରତାଳିର ବର୍ଷା କରିବାକୁ ବାଧ୍ୟ କରିଥିଲା। ଫ୍ୟାସନ ଦୁନିଆର ମହାରଥୀ ତଥା ଡିଜାଇନର୍‌ମାନ ବେଳକୁ ବେଳ ପାରମ୍ପରିକ ପୋଷାକ ଓ ହସ୍ତତନ୍ତକୁ ନେଇ ପରୀକ୍ଷଣ କରି ଚାଲିଥିବା ବେଳେ ଫ୍ୟାସନ୍‌ ଡିଜାଇନର୍‌ ରିମ୍‌ଲି ମହାନ୍ତି ଏଭଳି ଏକ ନିଆରା ଭେଟି ନେଇ ଆସିଥିଲେ ‘ଆଫ୍ରିନ୍‌ ୧୮’ ମାଧ୍ୟମରେ। ଆଜି ହୋଟେଲ ମେ’ ଫେୟାରଠାରେ ‘ରିମ୍‌ଲି ଡିଜାଇନ୍‌ ଷ୍ଟୁଡିଓ’ ପକ୍ଷରୁ ଆୟୋଜିତ ଏହି ଫ୍ୟାସନ୍‌ ସୋ’ରେ ପ୍ରଥମେ ଓଡ଼ିଆ ହସ୍ତତନ୍ତ ଓ ପାରମ୍ପରିକ ପୋଷାକ ଯଥା ଲେହେଙ୍ଗା, ଶାଢ଼ି, ଅନାରକଲି ଓ ସାଲ୍‌ଓ୍ଵାର୍‌ ଆଦି ସହ ବିଭିନ୍ନ ଅତ୍ୟାଧୁନିକ ପୋଷାକର ଫ୍ୟୁଜନ୍‌ ବେଶ୍‌ ଆକର୍ଷଣୀୟ ହୋଇଥିଲା। ଏହାସହ ଦ୍ୱିତୀୟ ପର୍ଯ୍ୟାୟରେ ଖରାକୁ ନଜରରେ ରଖି ବିଭିନ୍ନ ହାଲ୍‌କା ବିବାହ ପୋଷାକ ପ୍ରଦର୍ଶିତ ହୋଇଥିବା ବେଳେ ତୃତୀୟ ପର୍ଯ୍ୟାୟରେ ଅତ୍ୟାଧୁନିକ ପୋଷାକକୁ ନେଇ କକ୍‌ଟେଲ୍‌ ପୋଷାକ ପରିଧାନ କରି ମଡେଲ୍‌ମାନେ ର‍୍ୟାମ୍ପରେ ଚାଲିଥିଲେ। ପୁନେର ମ୍ୟୁଜିକ୍‌ ବ୍ୟାଣ୍ଡ୍‌ ‘ନଟି ହେଲ୍ଲା’ ସଙ୍ଗୀତ ସଂଯୋଜନା କରିଥିଲେ। ଏହି ଅବସରରେ ୧୬ ଜଣ ମଡେଲ୍‌ ର‍୍ୟାମ୍ପରେ ଚାଲିଥିଲେ।

ସମ୍ବନ୍ଧିତ ଖବର