ବିଦେଶୀ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିପାରୁନି ଓଡ଼ିଶା, ଜାତୀୟସ୍ତରରେ ରାଜ୍ୟର ଭାଗ ୧.୧୩%

୧୫ରୁ ୧୬କୁ ଖସିଲା, କଲେଜ ସଂଖ୍ୟା କମୁଛି, ୮ ବର୍ଷରେ ପ୍ରତିଷ୍ଠା ହୋଇଛି ୯ ବିଶ୍ବବିଦ୍ୟାଳୟ

ଭୁବନେଶ୍ବର: ରାଜ୍ୟରେ ୨୮ଟି ବିଶ୍ବବିଦ୍ୟାଳୟ ତଥା ଉଚ୍ଚ ଶିକ୍ଷାନୁଷ୍ଠାନ। ଗୋଟିଏ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ସମେତ ୫ଟି ଜାତୀୟସ୍ତରୀୟ ଶିକ୍ଷାନୁଷ୍ଠାନ, ୧୫ଟି ସରକାରୀ ବିଶ୍ବବିଦ୍ୟାଳୟ, ଗୋଟିଏ ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ, ୪ଟି ଘରୋଇ ବିଶ୍ବବିଦ୍ୟାଳୟ ଓ ଦୁଇଟି ଡିମଡ୍‌ ବିଶ୍ବବିଦ୍ୟାଳୟରେ ପିଏଚ୍‌ଡି, ଏମ୍‌.ଫିଲ୍‌, ପିଜି ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ପଢ଼ିବା ଲାଗି ସୁଯୋଗ ରହିଛି। ଯେଉଁଥିପାଇଁ ପ୍ରତିବର୍ଷ ସିଟ୍‌ ବଢ଼ୁଛି। ତଥାପି ବିଦେଶୀ ଛାତ୍ରଛାତ୍ରୀ ଆସୁନାହାନ୍ତି। ଦେଶରେ ପଢ଼ିବାକୁ ଆସୁଥିବା ବିଦେଶୀ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତ୍ର ୧.୧୩ ପ୍ରତିଶତ ଓଡ଼ିଶାକୁ ଆସୁଛନ୍ତି। ସ୍ନାତକୋତ୍ତର ପାଠ୍ୟକ୍ରମଗୁଡ଼ିକରେ ଶିକ୍ଷାଗ୍ରହଣ କରିବାକୁ ଛାତ୍ରଛାତ୍ରୀଙ୍କ ଆଗ୍ରହ ଅଧିକ ରହୁଥିବା ଦେଖିବାକୁ ମିଳିଛି। ପିଏଚ୍‌ଡି ଓ ଏମ୍‌.ଫିଲ୍‌ ପାଠ୍ୟକ୍ରମରେ ବି କିଛି ପିଲା ପଢ଼ୁଛନ୍ତି। ତେବେ ପିଜି ଡିପ୍ଲୋମା, ଡିପ୍ଲୋମା, ସାର୍ଟିଫିକେଟ୍‌ ଓ ଇଣ୍ଟିଗ୍ରେଟେଡ୍‌ ପାଠ୍ୟକ୍ରମରେ କେହି ବି ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁନାହାନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ଅଲ୍‌ ଇଣ୍ଡିଆ ସର୍ଭେ ଅନ୍‌ ହାୟର ଏଜୁକେସନ(ଏଆଇଏସ୍‌ଏଚ୍‌ଇ) ରିପୋର୍ଟରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି।

ଆଶ୍ବସ୍ତିକର ବିଷୟ ହେଉଛି ଯେ ୨୦୧୬-୧୭ ତୁଳନାରେ ୨୦୧୮-୧୯ରେ ଓଡ଼ିଶାରେ ବିଦେଶୀ ଛାତ୍ରଛାତ୍ରୀ ବଢ଼ିଛନ୍ତି। ୨୦୧୬-୧୭ରେ ୩୦୯ ଜଣ ବିଦେଶୀ ଛାତ୍ରଛାତ୍ରୀ ପଢ଼ୁଥିଲେ। ୨୦୧୮-୧୯ରେ ଏହି ସଂଖ୍ୟା ୫୩୬ରେ ପହଞ୍ଚିଛି। ଏଥିରେ ୪୦୭ ଜଣ ଛାତ୍ର ଓ ୧୦୯ ଜଣ ଛାତ୍ରୀ ରହିଛନ୍ତି। ୫୪ ଜଣ ପିଏଚ୍‌ଡି କରୁଥିବା ବେଳେ ଏମ୍‌.ଫିଲ୍‌ରେ କେହି ନାହାନ୍ତି। ସ୍ନାତକୋତ୍ତରରେ ୬୯ ଜଣ ରହିଥିବା ବେଳେ ସ୍ନାତକୋରେ ୩୯୩ ଜଣ ପଢ଼ୁଛନ୍ତି। ଭୁବନେଶ୍ବରରେ ଥିବା ଘରୋଇ ଓ ଡିମ୍‌ଡ ବିଶ୍ବବିଦ୍ୟାଳୟରେ ବିଦେଶୀ ଛାତ୍ରଛାତ୍ରୀ ପଢ଼ୁଛନ୍ତି। କୌଣସି ସରକାରୀ ବିଶ୍ବବିଦ୍ୟାଳୟରେ ବିଦେଶୀ ଛାତ୍ରଛାତ୍ରୀ ନାହାନ୍ତି। ଜାତୀୟ ଶିକ୍ଷାନୁଷ୍ଠାନରେ ଅଳ୍ପ କିଛି ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଥିବା ଜଣାପଡ଼ିଛି।

ଓଡ଼ିଶା ବିଦେଶୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଦୃଷ୍ଟିରୁ ଓଡ଼ିଶା ଗୋଟିଏ ସ୍ଥାନ ତଳକୁ ଖସିଛି। ୨୦୧୬-୧୭ ସର୍ଭେରେ ଓଡ଼ିଶାର ସ୍ଥାନରେ ୧୫ ଥିଲା। ଏଥର ୧୬କୁ ଖସିଛି। କର୍ଣ୍ଣାଟକରେ ସର୍ବାଧିକ ୧୦ ହଜାର ୨୩ ଜଣ ବିଦେଶୀ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ଏହା ତଳକୁ ମହାରାଷ୍ଟ୍ରରେ ୫୦୦୩, ପଞ୍ଜାବରେ ୪୫୩୩, ଉତ୍ତର ପ୍ରଦେଶରେ ୪୫୧୪, ତାମିଲନାଡ଼ୁରେ ୪୧୦୧, ହରିୟାନାରେ ୨୮୭୨, ଦିଲ୍ଲୀରେ ୨୧୪୧, ଗୁଜୁରାଟରେ ୨୦୬୮, ତେଲେଙ୍ଗାନାରେ ୨୦୨୦, ଆନ୍ଧ୍ରପ୍ରଦେଶରେ ୧୯୮୨, ଉତ୍ତରାଖଣ୍ଡରେ ୧୪୨୯, ରାଜସ୍ଥାନରେ ୧୩୪୯, ପଶ୍ଚିମବଙ୍ଗରେ ୧୦୮୪, ହିମାଞ୍ଚଳପ୍ରଦେଶରେ ୧୦୩୮, ମଧ୍ୟପ୍ରଦେଶରେ ୬୬୨ ଜଣ ବିଦେଶୀ ପଢ଼ୁଛନ୍ତି।

ଭାରତରେ ୧୬୪ଟି ଦେଶର ୪୭ ହଜାର ୪୨୭ ଜଣ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି। ସେମାନଙ୍କ ମଧ୍ୟରେ ୩୨ ହଜାର ୩୯୮ ଜଣ ଛାତ୍ର ଓ ୧୫ ହଜାର ୨୯ ଜଣ ଛାତ୍ରୀ ରହିଛନ୍ତି। ନେପାଳର ସବୁଠାରୁ ଅଧିକ ୧୨ ହଜାର ୭୪୭ ଜଣ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ଏହା ତଳକୁ ଆଫଗାନିସ୍ତାନର ୪ ହଜାର ୬୫୭, ବାଲାଂଦେଶର ୨ ହଜାର ୭୫ ଜଣ ପଢ଼ୁଛନ୍ତି। ୧୫୭୦ ଜଣ ପିଏଚ୍‌ଡି କରୁଥିବା ବେଳେ ଏମ୍‌ଫିଲ୍‌ରେ ୬୬, ସ୍ନାତକୋତ୍ତର ପାଠ୍ୟକ୍ରମରେ ୭ ହଜାର ୬୬୧, ସ୍ନାତକୋରେ ୩୪ ହଜାର ୮୩୦, ପିଜି ଡି‌ପ୍ଲୋମାରେ ୭, ଡିପ୍ଲୋମାରେ ୨ ହଜାର ୧୧୫, ସାର୍ଟିଫିକେଟ୍‌ରେ ୪୯୩ ଓ ଇଣ୍ଟିଗ୍ରେଟେଡ୍‌ ପାଠ୍ୟକ୍ରମରେ ୬୧୯ ଜଣ ପଢ଼ୁଛନ୍ତି।

ଗତ ୮ ବର୍ଷ ମଧ୍ୟରେ ଓଡ଼ିଶାରେ ବିଶ୍ବବିଦ୍ୟାଳୟ ସଂଖ୍ୟା ବଢ଼ିଛି। ୨୦୧୧-୧୨ରେ ଏଠାରେ ୧୯ଟି ବିଶ୍ବବିଦ୍ୟାଳୟ ରହିଥିଲା। ୨୦୧୮-୧୯ରେ ଏହି ସଂଖ୍ୟା ୨୮ରେ ପହଞ୍ଚିଛି। ‌କେବଳ ଗତ ଏକ ବର୍ଷ ମଧ୍ୟରେ ୩ଟି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହୋଇଛି। ଏହି ସମୟ ମଧ୍ୟରେ ୩ଟି ଜାତୀୟସ୍ତରୀୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରାଯାଇଛି। ତେବେ କଲେଜ ସଂଖ୍ୟା କମୁଛି। ୨୦୧୧-୧୨ରେ ୧୦୯୦ କଲେଜ ଥିବା ବେଳେ ୨୦୧୮-୧୯ରେ ଏହି ସଂଖ୍ୟା ୧୦୬୨କୁ ଖସି ଆସିଛି। ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ୨୩ଟି କଲେଜ ରହିଛି। ଉଚ୍ଚ ଶିକ୍ଷାନୁଷ୍ଠାନର ସମସ୍ତ ପାଠ୍ୟକ୍ରମକୁ ବିଚାରକୁ ନେଇ ଓଡ଼ିଶାରେ ୨୫ ଜଣ ପିଲାଙ୍କ ଲାଗି ଜଣେ ଲେଖାଏ ଶିକ୍ଷକ ରହିଛନ୍ତି। ‌ତେବେ ବିଶ୍ବବିଦ୍ୟାଳୟ ଓ କଲେଜ ପାଇଁ ପ୍ରତି ୩୨ ଜଣ ପିଲାଙ୍କ ପାଇଁ ଜଣେ ଶିକ୍ଷକ ରହିଛନ୍ତି। ଛାତ୍ରଛାତ୍ରୀଙ୍କ ରହିବା ଲାଗି ଓଡ଼ିଶାରେ ୨୨୩୦ ହଷ୍ଟେଲ ରହିଛି। ଯେଉଁଠାରେ ୨ ଲକ୍ଷ ୬୮ ହଜାର ୮୬୫ ଛାତ୍ରଛାତ୍ରୀ ରହୁଛନ୍ତି। ୨ ଲକ୍ଷ ୪ ହଜାର ୭୮୮ ଜଣ ଛାତ୍ରଛାତ୍ରୀ ଘରେ ରହି ଉଚ୍ଚଶିକ୍ଷା ଗ୍ରହଣ କରୁଛନ୍ତି। ଏହି ସର୍ଭେରେ ଓଡ଼ିଶାରେ ଥିବା ୧୪୬୨ଟି ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟରୁ ୧୪୪୯ଟି ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର