‘ଅଜିତ୍‌’ର ପ୍ରତିଷ୍ଠା ଉତ୍ସବ : ‘ବୁଢ଼ା ଶଙ୍ଖାରୀ’ରେ ଅସହାୟ ବାପାର କଥା

ଭୁବନେଶ୍ୱର : ଝିଅ ସେବି ଆଉ ପାଗଳା ଭଜୁକୁ ନେଇ ସ୍ନେହକାଙ୍ଗାଳ ବୁଢ଼ା ଶଙ୍ଖାରୀର ହସଖୁସିର ସଂସାର। ହେଲେ ହଠାତ ଯେମିତି ବୁଢ଼ା ଶଙ୍ଖାରୀର ସଂସାର ଆକାଶରେ କଳା ବାଦଲ ଘୋଟିଗଲା। ସେବି ଚାଲିଗଲା ଆରପାରିକୁ। ବୟସ ବୋଝ ସହ ଦଇବ ବୁଢ଼ାଶଙ୍ଖାରୀ ଉପରେ ଏ ଅସହ୍ୟ ଦଃଖ ଲଦି ଦେଲା। ଶଙ୍ଖା ତ ନୁହେଁ ବୁଢ଼ା ଶଙ୍ଖାରୀ ବ୍ୟର୍ଥ ପିତୃତ୍ୱକୁ ବୋହି ଗାଁ କୁ ଗାଁ ଘୂରି ବୁଲିଲା। ଏପରି ସ୍ଥିତିରେ ଜମିଦାର ଘରର ବୋହୂ ଭିତରେ ବୁଢ଼ା ତା’ ଝିଅକୁ ପାଇଛି। ହେଲେ ନିୟତିର ନିୟମ କିଛି ଭିନ୍ନ ଥିଲା। ବୁଢ଼ା ଜମିଦାର ବୋହୂକୁ ବି ଉସ୍‌ମାନତାରା ଶଙ୍ଖା ପିନ୍ଧାଇ ପାରିନି।

ଏପରି ଏକ ଅସହାୟ ବାପାର କରୁଣ କାହାଣୀ ଦେଖିବାକୁ ମିଳିଥିଲା ଭଞ୍ଜକଳା ମଣ୍ଡପରେ ମଞ୍ଚସ୍ଥ ନାଟକ ‘ବୁଢ଼ା ଶଙ୍ଖାରୀ’ରେ। ଅବସର ଥିଲା ଅଭିନୟ ଜାଗୃତି ଇନ୍‌ଷ୍ଟିଚ୍ୟୁଟ ଅଫ ଥିଏଟର(ଅଜିତ୍‌)ର ପ୍ରତିଷ୍ଠା ଦିବସ ତଥା ଅନୁଷ୍ଠାନର ମୁଖ୍ୟ ବିଶିଷ୍ଟ ଅଭିନେତା, ନିର୍ଦେଶକ ଅଜିତ୍‌ ଦାସଙ୍କ ଜନ୍ମ ଦିବସ। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ଏହି କାହାଣୀର ନାଟ୍ୟ ପରିକଳ୍ପନା କରିଥିଲେ ବିଶ୍ୱଜିତ୍‌ ଦାସ। ନିର୍ଦେଶନା ଦେଇଥିଲେ ଅଜିତ୍‌ ଦାସ। ଏଥିରେ ଅତିଥି ଭାବେ ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ର, ସଂସ୍କାର ଭାରତୀର ରାଜ୍ୟ ସାଂଗଠନିକ ସମ୍ପାଦକ ନିରଞ୍ଜନ ପଣ୍ଡା ଓ ପ୍ରଫେସର ସଂଘମିତ୍ରା ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଅନୁଷ୍ଠାନର ସମ୍ପାଦକ ସ୍ୱର୍ଗତ ରାଜେଶ ମହାନ୍ତିଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା।

ସମ୍ବନ୍ଧିତ ଖବର