ମନ୍ଥନର ପ୍ରତିଷ୍ଠା ଦିବସ : ସ୍ୱପ୍ନ ବାଣ୍ଟିବା ନେତା ରାଷ୍ଟ୍ରର ଶତ୍ରୁ

ଭୁବନେଶ୍ୱର : ଆଜି ପୂର୍ବାହ୍ନରେ ସ୍ଥାନୀୟ ଜୟଦେବ ଭବନ ପରିସରରେ ଦୈନିକ ସମ୍ବାଦପତ୍ର ମନ୍ଥନର ତ୍ରୟବିଂଶତି ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ଏହି ଅବସରରେ ‘ବିକାଶର ସ୍ୱପ୍ନ: କେବଳ ନିର୍ବାଚନ ସର୍ବସ୍ୱ କି’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନାଚକ୍ରକୁ ମୁଖ୍ୟ ଅତିଥି ଭାବେ ପୂର୍ବତନ ଆଡ୍‍ଭୋକେଟ ଜେନେରାଲ ଜୟନ୍ତ ଦାସ ଉଦ୍‌ଘାଟନ କରିଥିବା ବେଳେ ମୁଖ୍ୟବକ୍ତା ଭାବରେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ଯୋଗ ଦେଇଥିଲେ। ଏହି ଅବସରରେ ସେ କହିଥିଲେ, ବିକାଶ ପାଇଁ ନିର୍ବାଚନ ସର୍ବସ୍ୱ ନୁହେଁ, ବିକାଶ ପାଇଁ ଚିନ୍ତାଧାରା ଭିନ୍ନ ହେବା ଜରୁରୀ। କିନ୍ତୁ ନେତାମାନେ ବିକାଶ ପାଇଁ କେବଳ ସ୍ୱପ୍ନ ଦେଖାଉଛନ୍ତି। ସ୍ୱପ୍ନ ବାଣ୍ଟିବା ନେତା ରାଷ୍ଟ୍ରର ଶତ୍ରୁ ବୋଲି ସେ କହିଥିଲେ। ଏହି ଅବସରରେ ଯୁବ ସାମ୍ବାଦିକ ଚୌଧୁରୀ ଅମିତାଭ ଦାସ, ଫଟୋ ସାମ୍ବାଦିକ ସନ୍ତୋଷ ପଣ୍ଡା, ଶ୍ରୀଗୋବିନ୍ଦ ଓ ଯୁବ ସାହିତ୍ୟିକା ତନ୍ମୟୀ ରଥଙ୍କୁ ସମ୍ବର୍ଧିତ କରାଯାଇଥିଲା। ଯୁବ ପ୍ରଶାସକ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ଅବସରରେ ତାଙ୍କର ଅନୁଭୂତିକୁ ନେଇ ଆଜିର ବିକାଶ ଓ ନେତାଙ୍କ କର୍ତ୍ତବ୍ୟକୁ ନେଇ ଏକ ତୁଳନାତ୍ମକ ଉପସ୍ଥାପନ କରିଥିଲେ। ରାଜ୍ୟରେ ଗରିବ ରହିଲେ ହିଁ ରାଜନୀତି କରିହେବ। ଗରିବ ହଟିଗଲେ ରାଜନୀତିରେ ସ୍ୱାର୍ଥନେ୍ଵଷୀ ନେତା ତିଷ୍ଠି ପାରିବେ ନାହିଁ। ଏଣୁ ପରୋକ୍ଷରେ ବିକାଶ କରିବାକୁ ରାଜନେତାମାନେ ଚାହୁ ନଥିବା ମତ ପ୍ରକାଶ ପାଇଛି। କଂଗ୍ରେସ ନେତା ସୁର ରାଉତରାୟ, ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ, କଂଗ୍ରେସ ମହିଳା ସଭାନେତ୍ରୀ ଇଂ ସସ୍ମିତା ବେହେରା, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି, ପ୍ରଦ୍ୟୁମ୍ନ ଶତପଥୀ, ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ନରେନ୍ଦ୍ର ମିଶ୍ର ପ୍ରମୁଖ ଯୋଗଦେଇ ନିର୍ବାଚନ ଓ ବିକାଶକୁ ନେଇ ତୁଳନାତ୍ମକ ଉପସ୍ଥାପନ କରିଥିଲେ। ମନ୍ଥନର ସମ୍ପାଦକ ତଥା ପ୍ରତିଷ୍ଠାତା ଶରତ ଚନ୍ଦ୍ର ରାଉତ ସ୍ୱାଗତ ଭାଷଣ ଦେଇଥିଲେ।

ସମ୍ବନ୍ଧିତ ଖବର