ଘରୋଇ ନର୍ସିଂ ସ୍କୁଲ ଓ କଲେଜ୍‌ ଉଦ୍ୟୋଗୀ ସଂଘ ପ୍ରତିଷ୍ଠା ଦିବସ : ନର୍ସିଂ ବୃତ୍ତି ନୁହେଁ, ସେବା

ଭୁବନେଶ୍ୱର : ଓଡ଼ିଶା ଘରୋଇ ନର୍ସିଂ ସ୍କୁଲ ଓ କଲେଜ୍‌ ଉଦ୍ୟୋଗୀ ସଂଘ ପ୍ରତିଷ୍ଠା ଦିବସ ଅବସରରେ ସ୍ଥାନୀୟ ଜୟଦେବ ଭବନ ପରିସରରେ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ନର୍ସିଂ ଏକ ବୃତ୍ତି ନୁହେଁ, ସେବା ବୋଲି ଅଭିହିତ କରିଛନ୍ତି। ସର୍ବଭାରତୀୟସ୍ତରରେ କିଭଳି ଗୁଣାତ୍ମକ ନର୍ସିଂଶିକ୍ଷା ପ୍ରଦାନ କରାଯାଇ ପାରିବ ସେ ନେଇ ଏହି ଉଦ୍ୟୋଗୀମାନେ ତତ୍ପର ହେବାକୁ ସେ ଆହ୍ଵାନ ଦେଇଛନ୍ତି। ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ପ୍ରଭାତ ତ୍ରିପାଠୀ, ବିଧାୟକ ସୁରେନ୍ଦ୍ର ସେଠୀ, ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଯୋଗଦେଇ ଅନ୍ତର୍ଜାତୀୟସ୍ତରରେ ମହିଳାମାନଙ୍କର ନିଯୁକ୍ତି କ୍ଷେତ୍ରରେ ନର୍ସିଂ ଟ୍ରେନିଂର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସଂଘର ସଭାପତି ସୁନୀଲ ରାଉତ ଏଥିରେ ଅଧ୍ୟକ୍ଷତା କରିଥିଲେ। ସମ୍ପାଦକ ପ୍ରଶାନ୍ତ ସାମନ୍ତରାୟ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ଓମ୍‌ପ୍ରକାଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ଏକ ସ୍ୱଛାକୃତ ରକ୍ତଦାନ ଶିବିରରେ ୧୫୦ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିଲା। ରାଜ୍ୟସ୍ତରୀୟ ମେଧାବୀ ନର୍ସିଂ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ରାଜ୍ୟର ୨ଶହରୁ ଊର୍ଧ୍ୱ ନର୍ସିଂ ସ୍କୁଲରୁ କର୍ମକର୍ତା, ନର୍ସିଂ ସେବା ଅଧିକାରୀ, ଟିଏନ୍‌ଏଆଇ ସଭାପତି ସ୍ୱାସ୍ଥ୍ୟସେବା ଅଧିକାରୀ, ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ସୁରଜିତ ଦାସ, ଡିଏମ୍‌ଇଟି ନର୍ସିଂ ନିର୍ଦେଶକ ଡ. କାଜଲ ରକ୍ଷିତ୍‌, ପ୍ରବନ୍ଧକ ଲକ୍ଷ୍ମୀମଣି ଟୁଡୁ, ଡିନ୍‌ ପ୍ରଦ୍ମାବତୀ ଓ ଯୁଗ୍ମ ଡିଏମ୍‌ିଟି ଡା. ଉମାକାନ୍ତ ଶତପଥି ପ୍ରମୁଖ ଯୋଗଦେଇଥିଲେ। ଦିବ୍ୟଲୋଚନ ନାୟକ, ଡା. ଶାରଦା ପ୍ରସାଦ ପରିଡ଼ା, ଡା. ସରୋଜ ଲେଙ୍କା, ପୁରୀର ବାବୁଲା ବେହେରା, ସୁଶାନ୍ତ ବିଶ୍ୱାଳ, ବୈଷ୍ଣବ ସାହୁ, ସଂଗ୍ରାମ ବିଶ୍ୱାଳ, ଶକ୍ତିମୟ ବିଶ୍ୱାଳ,  ପରିଚାଳନାରେ ସହଯୋଗ କରିଥିବା ବେଳେ ବିଭିନ୍ନ ନର୍ସିଂ ସ୍କୁଲରୁ ଯୋଗଦେଇଥିବା ଛାତ୍ରୀ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ।

ଦ୍ୱିତୀୟ ଅଧିବେଶନରେ ନର୍ସିଂ ଶିକ୍ଷାକୁ ଉନ୍ନତ ଓ ମଜବୁତ କରିବା ପାଇଁ କର୍ମଶାଳା ଆୟୋଜିତ ହୋଇଥିଲା। ବିଶେଷତଃ ଏଥିରେ ୩ଟି ପ୍ରମୁଖ ସମସ୍ୟା ଉପରେ ଆଲୋକପାତ କରାଯାଇଥିଲା। ନର୍ସିଂ ନାମଲେଖା ନେଇ ବିଳମ୍ବରେ ବିଜ୍ଞପ୍ତି ପ୍ରକାଶ ହେଉଥିବାରୁ ଅନେକ ଛାତ୍ରୀ ଅପେକ୍ଷା ନ କରି ଅନ୍ୟ ରାସ୍ତା ଧରୁଛନ୍ତି। ଫଳରେ ବିଦ୍ୟାଳୟଗୁଡ଼ିକରେ ସିଟ୍‌ ଖାଲି ପଡୁଛି। ସେହିଭଳି ପରୀକ୍ଷା ମଧ୍ୟ ବିଳମ୍ବରେ ହେଉଥିବାରୁ ଛାତ୍ରଛାତ୍ରୀମାନେ ପ୍ରଭାବିତ ହେଉଛନ୍ତି। ଏହି ତିନୋଟି ପ୍ରସଙ୍ଗ ସହ ଛାତ୍ରଛାତ୍ରୀଙ୍କ କ୍ୟାରିୟର ନିର୍ଭର କରୁଥିବାରୁ ଏହାର ସମାଧାନ ପାଇଁ ସରକାରଙ୍କ ନିକଟରେ ଦୃଢ଼ ଦାବି ହେବ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର