ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦିବସ : ‘ମହିଳା ସଶକ୍ତୀକରଣ ଦ୍ବାରା ପ୍ରଗତି ସମ୍ଭବ’

ଭୁବନେଶ୍ବର : ମହିଳା ସଶକ୍ତୀକରଣ ମାଧ୍ୟମରେ ମାନବ ସଭ୍ୟତା ପ୍ରଗତିର ଉଚ୍ଚତର ସୋପାନକୁ ଯାଇପାରିବ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ କହିଛନ୍ତି। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ୪ର୍ଥ ପ୍ରତିଷ୍ଠା ଦିବସରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟପାଳ କହିଲେ, ନାରୀମାନେ ହିଁ ସଭ୍ୟତା ଓ ସଂସ୍କୃତିର ପ୍ରାଣକେନ୍ଦ୍ର। ଭାରତୀୟ ପରମ୍ପରା ହେଉଛି ମାତୃଶକ୍ତିର ଉପାସନା। ବିଜ୍ଞାନ ଓ ଆଧ୍ୟାତ୍ମିକତା ମଧ୍ୟରେ ସମନ୍ବୟ ଓ ସହାବସ୍ଥାନ ଏକାନ୍ତ ଆବଶ୍ୟକ। ପ୍ରତ୍ୟେକ ମଣିଷ ନିଜକୁ ପରମାତ୍ମାର ଅଂଶ ଭାବେ ଉପଲବ୍ଧି କରିବାକୁ ହେବ। ବିଶ୍ବବିଦ୍ୟାଳୟ ଓ ବ୍ରହ୍ମାଣ୍ଡ ମଧ୍ୟରେ ସମ୍ପର୍କ ରହିଛି। ବିଶ୍ବବିଦ୍ୟାଳୟ ମାନବିକ ଚେତନା ହୋଇଥିବା ବେଳେ ବ୍ରହ୍ମାଣ୍ଡ ହେଉଛି ଈଶ୍ବରୀୟ ଚେତନା। ଉଭୟଙ୍କ ମଧ୍ୟରେ ସମନ୍ବୟ ସ୍ଥାପନ ଉପରେ ରାଜ୍ୟପାଳ ଗୁରୁତ୍ବାରୋପ କରିଥିଲେ।

ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ପଦ୍ମଜା ମିଶ୍ର ଉତ୍ସବରେ ସଭାପତିତ୍ବ କରି କହିଲେ ତିନି ବର୍ଷ ମଧ୍ୟରେ ଶିକ୍ଷାନୁଷ୍ଠାନ ବହୁ ଉନ୍ନତି କରିଛି। ୧୧ଟି ପିଜି ବିଭାଗ ଖୋଲିଛି। ୩୪ ଜଣ ଅଧ୍ୟାପକ ଓ ଅଧ୍ୟାପିକା ନିଯୁକ୍ତ ହୋଇଛନ୍ତି। ସମସ୍ତ ଛାତ୍ରୀଙ୍କୁ କମ୍ପ୍ୟୁଟର ଶିକ୍ଷା ଯୋଗାଇ ଦେବାର ବ୍ୟବସ୍ଥା ହୋଇଛି। ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ଉନ୍ନତ ଭାରତ ଅଭିଯାନର ଦ୍ବିତୀୟ ପର୍ଯ୍ୟାୟରେ ବିଶ୍ବବିଦ୍ୟାଳୟ ସାମିଲ ହୋଇଛି। ଏହାଦ୍ବାରା ବିଶ୍ବବିଦ୍ୟାଳୟ ପୋଷ୍ୟ ଗ୍ରାମ ଗ୍ରହଣ କରାଯାଇପାରିବ। ଛାତ୍ରୀମା‌ନେ ଉକ୍ତ ଗ୍ରାମଗୁଡ଼ିକର ବିକାଶରେ ସାମିଲ ହେବେ। ଏଥିସହ ବିଶ୍ବବିଦ୍ୟାଳୟରେ ଦକ୍ଷତା ବିକାଶ କେନ୍ଦ୍ର, କ୍ରୀଡ଼ା କେନ୍ଦ୍ର ଓ ଶାରଳା ଦେବୀ ଜେଣ୍ଡର ରିସର୍ଚ୍ଚ ସେଣ୍ଟର ଖୋଲିବାକୁ ଉଚ୍ଚଶିକ୍ଷା ବିଭାଗକୁ ପ୍ରସ୍ତାବ ଦିଆଯାଇଛି। ଦ୍ବିତୀୟ କ୍ୟାମ୍ପସ ପାଇଁ ଆଲୋଚନା ଚାଲିଥିବା‌ କୁଳପତି ପ୍ରଫେସର ମିଶ୍ର ସୂଚନା ଦେଇଥିଲେ।

ଓଡ଼ିଶା ବିଜ୍ଞାନ ଏକାଡେମି ସଭାପତି ପ୍ରଫେସର ସଂଘମିତ୍ରା ମହାନ୍ତି, ମୁଖ୍ୟ ଡାକପାଳ ଜଳେଶ୍ବର କହଁର ସମ୍ମାନିତ ଅତିଥି ଭାବେ ଯୋଗଦେଇ ମହିଳା ସଶକ୍ତୀକରଣ, ସମାନତା ଓ ବିଜ୍ଞାନର ଭୂମିକା ଉପରେ ଆଲୋଚନା କରିଥିଲେ। ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଦୁର୍ଗା ଶଙ୍କର ଷଡ଼ଙ୍ଗୀ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ କୁଳସଚିବ ଇତିଶ୍ରୀ ଦାସ ଅତିଥିମାନଙ୍କୁ ସ୍ବାଗତ କରିଥିଲେ। ଉତ୍ସବର ସାଙ୍ଗଠନିକ ସମ୍ପାଦକ ସରିତା ସୁପକାର ସଭା ସଂଯୋଜନା କରିଥିଲେ। ଏହି ଅବସରରେ ଡାକ ବିଭାଗ ପକ୍ଷରୁ ବିଶ୍ବବିଦ୍ୟାଳୟର ସ୍ବତନ୍ତ୍ର କଭର, ଲୋଗୋ, ସମାଜ ଓ ବିଜ୍ଞାନଭିତ୍ତିକ ଗବେଷଣା ପତ୍ରିକା, ବିଶ୍ବବିଦ୍ୟାଳୟ ଅର୍ଥନୀତି ବିଭାଗ ଦ୍ବାରା ପ୍ରକାଶିତ ପୁସ୍ତକକୁ ରାଜ୍ୟପାଳ ଉନ୍ମୋଚନ କରିଥିଲେ।

ଓଡ଼ିଆରେ ଲେଖିବାକୁ ଲାଜ ଲାଗୁଛି

ଦୁଇ ସପ୍ତାହ ପୂର୍ବରୁ ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ଓଡ଼ିଆ ଭାଷାରେ ଶବ୍ଦଟିଏ ଲେଖାଯାଇ ନଥିବାରୁ ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ଜ୍ଞାନପୀଠ ବିଜୟିନୀ ସାହିତ୍ୟିକା ପ୍ରତିଭା ରାୟ ବିରକ୍ତି ପ୍ରକାଶ କରିଥିଲେ। ଯେଉଁଥିପାଇଁ ପିଜି କାଉନସିଲ୍‌ ଅଧ୍ୟକ୍ଷ ମଞ୍ଚରେ ତ୍ରୁଟିକୁ ସ୍ବୀକାର କରିଥିଲେ। ଆଉ ଆଜି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଥିଲା। ମଞ୍ଚରେ ଲାଗିଥିବା ବ୍ୟାନର୍‌ରେ ପଦୁଟିଏ ବି ଓଡ଼ିଆ ନ ଥିଲା। ସବୁଠି କେବଳ ଇଂରାଜୀରେ ଲେଖାଯାଇଥିଲା। ବ୍ୟାନର୍‌ଠାରୁ ଆରମ୍ଭ କରି ପୋଷ୍ଟର୍‌ ପର୍ଯ୍ୟନ୍ତ, କେଉଁଠି ବି ଓଡ଼ିଆର ଚିହ୍ନବର୍ଣ୍ଣ ନଥିଲା। ଲାଗୁଥିଲା ସତେ ଯେମିତି ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କୁ ଓଡ଼ିଆ ଲେଖିବାକୁ ଲାଜ ଲାଗୁଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା ‌ଯେ ଉତ୍କଳ ବିଶ୍ବବିଦ୍ୟାଳୟ ଉତ୍ସବରେ ମୁଖ୍ୟବକ୍ତା ଥିବା ଶ୍ରୀମତୀ ରାୟ ଏଠାରେ ମଞ୍ଚ ତଳେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର