ଗୁରୁଙ୍କ ସ୍ଥାନ ନେଇପାରିବନି ‘ଗୁଗଲ୍‌’: ଉପରାଷ୍ଟ୍ରପତି

ମା’, ମାତୃଭୂମି, ମାତୃଭାଷାକୁ ନ ଭୁଲିବାକୁ ପରାମର୍ଶ, ପାରମ୍ପରିକ ଶିକ୍ଷାକୁ ପାଠ୍ୟକ୍ରମରେ ରଖାଯାଉ

0

ଭୁବନେଶ୍ବର : ଅନ୍‌ଲାଇନ୍‌ରେ ପାଠ୍ୟକ୍ରମ ଉପଲବ୍ଧ ହେଉଛି। ସ୍ମାର୍ଟ ଫୋନ୍‌ରେ ପାଠ୍ୟ ସାମଗ୍ରୀ ମିଳିଯାଉଛି। ‘ଗୁଗଲ୍‌’ରେ ଗୋଟିଏ କ୍ଲିକ୍‌ କଲେ ହାତ ମୁଠାରେ ପହଞ୍ଚିଯାଉଛି ସାରା ବିଶ୍ବ। ତା’ ବୋଲି ଆମେ ଗୁରୁଙ୍କୁ ଅସମ୍ମାନ କରିପାରିବା ନାହିଁ। ଜ୍ଞାନ କୌଶଳର ଯେତେ ବିକାଶ ହେଲେ ମଧ୍ୟ ଗୁରୁ ସବୁବେଳେ ପୂଜନୀୟ। ‘ଗୁଗଲ୍’ କେବେ ଗୁରୁଙ୍କ ସ୍ଥାନ ନେଇପାରିବ ନାହିଁ। କାରଣ ‘ଗୁଗଲ୍‌’ ସଜାଡ଼ିବା ପାଇଁ ଜଣେ ଗୁରୁଙ୍କର ଆବଶ୍ୟକତା ପଡେ଼। ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ୧୦ମ ପ୍ରତିଷ୍ଠା ଦିବସରେ ବକ୍ତୃତା ପ୍ରଦାନ କରି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଛାତ୍ରଛାତ୍ରୀଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି।

ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସେ କହିଲେ ମା’, ମାତୃଭୂମି, ମାତୃଭାଷାଙ୍କୁ କେବେ ଭୁଲିବନି। ପିତାମାତାଙ୍କୁ ସମ୍ମାନ କରିବ। ନିଜ ଜନ୍ମଭୂମିକୁ ମନେରଖିବ ଓ ଭଲପାଇବ। ଆଗକୁ ବଢ଼ିବା ଲାଗି ସବୁ ଭାଷା ଶିଖିବାର ଆବଶ୍ୟକତା ରହିଛି। ତେବେ ଯେତେ ଭାଷା ଶିଖିଲେ ମଧ୍ୟ ମାତୃଭାଷାକୁ ‌କେବେ ବି ଭୁଲିବ ନାହିଁ। ଯେଉଁଠି ରହୁଛ ସେଠାରେ ମାତୃଭାଷାରେ କଥା ହୁଅ। ତେବେ ଯାଇ ସଫଳତାର ଶୀର୍ଷରେ ପହଞ୍ଚିପାରିବ।

ଭାରତୀୟ ସ୍କୁଲ ପଦ୍ଧତି ଶିକ୍ଷା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରି କହିଲେ, ସ୍କୁଲ କେବଳ ଶିକ୍ଷାର ମନ୍ଦିର ନୁହେଁ। ବର˚ ଏଠାରୁ ଦେଶର ଭବିଷ୍ୟତ ସୃଷ୍ଟି ହୋଇଥାନ୍ତି। ପିଲାଙ୍କ ଭିତ୍ତିଭୂମି ଏଠାରେ ପଡ଼ିଥାଏ। ଭବିଷ୍ୟତର ଶିକ୍ଷକ, ଚିକିତ୍ସକ, ବୈଜ୍ଞାନିକ, ଆଇନଜୀବୀ, ଚାଟାର୍ଡ ଆକାଉଣ୍ଟାଣ୍ଟ୍‌, ରାଜନେତା ଏଠାରୁ ହିଁ ସୃଷ୍ଟି ହୋଇଥାନ୍ତି। ସେହିପରି ଶିକ୍ଷା କେବଳ ନିଯୁକ୍ତି ପାଇଁ ନୁହେଁ, ବରଂ ଏହା ଜ୍ଞାନ ଓ ବୁଦ୍ଧିମତା ଜରିଆରେ ଜଣେ ବ୍ୟକ୍ତିର ସଶକ୍ତୀକରଣ ଲାଗି ଉଦ୍ଦିଷ୍ଟ। ଶିକ୍ଷାଦାନର ନୂଆ ପଦ୍ଧତି ସହ ତାଳ ଦେଇ ଚାଲିବା ସହ ବିଦ୍ୟାଳୟଗୁଡ଼ିକ ଛାତ୍ରଛାତ୍ରୀଙ୍କୁ ଆମର ପ୍ରାଚୀନ ସଭ୍ୟତା, ସଂସ୍କୃତି, ପରମ୍ପରା, ଐତିହ୍ୟ ଓ ଇତିହାସ ସମ୍ପର୍କରେ ପରିଚିତ କରାଇବା ଉଚିତ। ପାରମ୍ପରିକ ଶିକ୍ଷାକୁ ଆମ ପାଠ୍ୟକ୍ରମରେ ସ୍ଥାନିତ କରିବା ଦରକାର। ଫଳରେ ଆମେ ଭବିଷ୍ୟତ ଆଡ଼କୁ ବଢ଼ିପାରିବା। କୌଣସି ବି ରାଷ୍ଟ୍ର, ସଭ୍ୟତା ଓ ଜାତି ଯଦି ତାହାର ଅତୀତ ମନେ ରଖିବନି ତେବେ ଆଗକୁ ବଢ଼ିପାରିବ ନାହିଁ। ଏଦିଗରେ କେନ୍ଦ୍ର, ରାଜ୍ୟ ସରକାରଙ୍କ ସମେତ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଗୁରୁତ୍ବ ଦେବାକୁ ଉପରାଷ୍ଟ୍ରପତି ପରାମର୍ଶ ଦେଇଥିଲେ।

ସ୍କୁଲଗୁଡ଼ିକୁ ପରାମର୍ଶ ଦେଇ ସେ କହିଲେ, ପ୍ରଯୁକ୍ତିବିଦ୍ୟାର ଦ୍ରୁତ ବିକାଶ ସହିତ ତାଳ ଦେଇ ଚାଲିବାକୁ ହେବ। ଶିକ୍ଷାକୁ ସମାଜ ଉପଯୋଗୀ ତଥା ସାଂସ୍କୃତିକ ମୂଲ୍ୟବୋଧ ଆଧାରିତ କରିବା ଲାଗି ଯୁବ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ବୟଂସେବୀ ଭାବନା ଜାଗ୍ରତ କରାଯିବା ଆବଶ୍ୟକ। ଛାତ୍ରଛାତ୍ରୀ ଏନସିସି, ଏନ୍‌ଏସ୍‌ଏସ୍‌, ସ୍କାଉଟ୍ସ ଆଣ୍ଡ ଗାଇଡ୍‌ସ ଭଳି ସଂଗଠନ ସହ ଯୋଡ଼ି ହୁଅନ୍ତୁ। ବିଦ୍ୟାଳୟ ଓ ପାରିପାର୍ଶ୍ୱିକ ଗୋଷ୍ଠୀଗୁଡ଼ିକ ମଧ୍ୟରେ ବ୍ୟାପକ ଯୋଗସୂତ୍ର ରହିବା ଉଚିତ। ଛାତ୍ରଛାତ୍ରୀ ସଂଘବଦ୍ଧ ଭାବେ କାର୍ଯ୍ୟ କରିବା, ସ୍ବେଚ୍ଛାକୃତ ଭାବେ ପାରିପାର୍ଶ୍ୱିକ ଗୋଷ୍ଠୀ ଓ ନିକଟବର୍ତୀ ଗ୍ରାମରେ କାମ କରିବା ଦରକାର। ସ୍ଥାନୀୟ ପ୍ରସଙ୍ଗରେ ପ୍ରଶାସନ ସହିତ ବାର୍ତାଳାପ କରିବା ତଥା ଗୋଷ୍ଠୀ ଓ ଗ୍ରାମୀଣ ବିକାଶ ପାଇଁ ଅଭିନବ ସମାଧାନ ସୂତ୍ର ବାହାର କରିବା ଆବଶ୍ୟକ।

ଯୁବଗୋଷ୍ଠୀଙ୍କ ଉଦ୍ଦେଶ୍ୟରେ ଉପରାଷ୍ଟ୍ରପତି କହିଲେ, ଆଶା କରୁଛି ଆପଣମାନେ ଆମ ପୂର୍ବସ୍ଥିତିକୁ ଫେରାଇ ଆଣିପାରିବେ। ଆମେ ପୁଣିଥରେ ବିଶ୍ୱ ଗୁରୁ ହୋଇପାରିବା। ତେଣୁ ଆମେ ଆମର ନୈତିକ ସାଧନକୁ ନ ହରାଇ ଶ୍ରେଷ୍ଠ ଶିକ୍ଷାପଦ୍ଧତି, ବିଶ୍ୱର ଶ୍ରେଷ୍ଠ ଶିକ୍ଷାଦାନ ପ୍ରଣାଳୀ ଓ କୌଶଳକୁ ଆପଣାଇବା ଉଚିତ। ଇଣ୍ଟରନେଟ୍‌ ମାଧ୍ୟମରେ ଆମେ ବିଶ୍ୱର ସବୁ ସୂଚନା ସବୁ ସ୍ଥାନରେ ପାଇପାରୁଛୁ। ସାରା ବିଶ୍ବ ଏକ ଗ୍ରାମରେ ପରିଣତ ହୋଇଛି। ଡିଜିଟାଲ ଯୁଗରେ ସ୍କୁଲଗୁଡ଼ିକୁ ଘୋଷା ପଦ୍ଧତିରେ ଶିକ୍ଷାଦାନକୁ ତ୍ୟାଗ କରି ଅଭିନବ ଓ ସୃଜନଶୀଳ ବିଚାରକୁ ପ୍ରୋତ୍ସାହିତ କରିବା ଆବଶ୍ୟକ। ସବୁବେଳେ ନୂଆକଥା ଜାଣିବା ଲାଗି ଆଗ୍ରହୀ ରହିବା ଓ ଉପଯୁକ୍ତ ବିଚାର ସହିତ ଆଗକୁ ଆସିବା ଲାଗି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜିଜ୍ଞାସା ସୃଷ୍ଟି କରିବାକୁ ହେବ।

ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ସମ୍ପର୍କରେ ଉପରାଷ୍ଟ୍ରପତି କହିଲେ, ଆଗରୁ ପୂର୍ବ ଭାରତକୁ ପଛୁଆ ଅଞ୍ଚଳ କୁହାଯାଉଥିଲା। ସେଠାରେ ଏବେ ଏଭଳି ଏକ ସ୍କୁଲ ପ୍ରତିଷ୍ଠା ହୋଇଥିବାରୁ ଖୁସି ଲାଗୁଛି। ଏଠାକାର ପିଲାମାନେ ଶିକ୍ଷା, କ୍ରୀଡ଼ା, ନୃତ୍ୟ, ସଙ୍ଗୀତ, କ୍ଷେତ୍ରରେ ଭଲ ପ୍ରଦର୍ଶନ କରୁଛନ୍ତି। ଦେଶକୁ ଏଭଳି ସ୍କୁଲର ଆବଶ୍ୟକତା ରହିଛି। ଦେଶର ପ୍ରତି ରାଜ୍ୟ ଓ ଜିଲ୍ଲାରେ ଏମିତି ସ୍କୁଲ ପ୍ରତିଷ୍ଠା ହେବା ଆବଶ୍ୟକ।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ନିଜେ ହସିବା ସହ ଚାରିପାଖର ଲୋକଙ୍କୁ ଖୁସି ରଖିବାକୁ ଅଭ୍ୟାସ କର। ଏଥିସହ ପ୍ରକୃତିର ସୁନ୍ଦରତାକୁ ଉପଭୋଗ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ସାଇ ଇଣ୍ଟରନ୍ୟାସନାଲ୍ ଗ୍ରୁପ୍‌ର ଚେୟାରମ୍ୟାନ୍ ଡ ବିଜୟ କୁମାର ସାହୁ ସ୍ବାଗତ ଭାଷଣ ଦେବା ସହ ଶିକ୍ଷା କ୍ଷେତ୍ରରେ କିଭଳି ଉନ୍ନତି ହେଉଛି ତାହାକୁ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ। ଏହି ଅବସରରେ ୨୦୧୮-୧୯ ବର୍ଷର ୪ ଜଣ ଶ୍ରେଷ୍ଠ କୃତୀ ଛାତ୍ରଛାତ୍ରୀ ସମୀର ପାତ୍ରଙ୍କୁ ଷ୍ଟେଲର ଆଚିଭର ପୁରସ୍କାର, ଶିବାଶିଷ ନାୟକଙ୍କୁ ପ୍ରୋଡିଜିୟୋସ ପୁରସ୍କାର, ପ୍ରଣବ ମାଣିଙ୍କୁ ଗ୍ଲୋବାଲ୍ ସାୟୋନିୟର୍ ପୁରସ୍କାର ଓ ଶିବାଙ୍ଗୀ ଶର୍ମାଙ୍କୁ ଗ୍ଲୋବାଲ୍ ଏଣ୍ଟରପ୍ରେନର୍ ପୁରସ୍କା‌ରରେ ସମ୍ମାନିତ କରାଯାଇଥିଲା। ସ୍କୁଲର ପ୍ରିନ୍ସପାଲ୍ ହରିଶ୍ ସାନ୍ଦୁଜା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍କୁଲର ଭାଇସ୍ ଚେୟାରମ୍ୟାନ୍‌ ଡ. ଶିଳ୍ପୀ ସାହୁ ଏହି ଉତ୍ସବରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଶ୍ରୀହର୍ଷ ମୂକ ବଧିର ସ୍କୁଲ ଓ ସୈନିକ ସ୍କୁଲର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ଓଡ଼ିଆରେ କହିଲେ, ଶୁଭେଚ୍ଛା ଜଣାଇଲେ
ଉତ୍ସବ ଅବସରରେ ଉପରାଷ୍ଟ୍ରପତି ଓଡ଼ିଆରେ ବକ୍ତବ୍ୟ ଦେବା ସହ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଥିଲେ। କହିଥିଲେ, ‘ସମସ୍ତଙ୍କୁ ନମସ୍କାର। ଆଜି ପବିତ୍ର ଉତ୍କଳ ଦିବସ ଅବସରରେ ସମସ୍ତ ଓଡ଼ିଶାବାସୀ ଏବ˚ ବିଶ୍ବରେ ଅନ୍ୟ ସ୍ଥାନରେ ଥିବା ଓଡ଼ିଆମାନଙ୍କୁ ଅଭିନନ୍ଦନ ଓ ଆନ୍ତରିକ ଶୁଭେଚ୍ଛା ଜଣାଉଛି। ବନ୍ଦେ ଉତ୍କଳ ଜନନୀ। ଭାରତମାତା କୀ ଜୟ ହୋ। ଏହି ଶୁଭ ଅବସରରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ବକ୍ତୃତା ସମାରୋହରେ ଯୋଗଦେଇ ମୁଁ ଅତ୍ୟନ୍ତ ଆନନ୍ଦିତ ଅନୁଭବ କରୁଛି। ଏହି ସ୍କୁଲର ସମସ୍ତ ପିଲାମାନଙ୍କ ଉଜ୍ଜ୍ବ ଭବିଷ୍ୟତ ପାଇଁ ଅନେକ ଅନେକ ଶୁଭେଚ୍ଛା’।

ସମ୍ବନ୍ଧିତ ଖବର

Leave A Reply

Your email address will not be published.