ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଛାତ ଭୁଶୁଡ଼ିବା ଘଟଣାରେ ପୁଲିସ ଠିକାଦାର ସମେତ ୪ ଜଣଙ୍କୁ ଗିରଫ କରିଛି। ପୁଲିସ ଠିକାଦାର ଦିଲୀପ କନଷ୍ଟ୍ରସନ ମୁଖ୍ୟ ଦିଲୀପ ଖଟେଇ, ଏୟାରପୋର୍ଟ ଅଥରିଟି ଅପ୍ ଇଣ୍ଡିଆର ଏଜିଏମ୍ ଆଶିଷ ସରକାରଙ୍କୁ ଗିରଫ କରିଛି। ସେହିପରି ନିର୍ମାଣ କାମରେ ନିୟୋଜିତ ଦୁଇ ଜଣ ଇଞ୍ଜିନିୟର ଅଭିଳାଶ ସରକାର ଓ ଗୌତମ ରାୟଙ୍କୁ ମଧ୍ୟ ପୁଲିସ ଗିରଫ କରିଥିବା ଜଣାଯାଇଛି।
ସୂଚନାଯୋଗ୍ୟ ଗତକାଲି ରାତିରେ ବିମାନବନ୍ଦର ଟର୍ମିନାଲ-୧ରୁ ଟର୍ମିନାଲ-୨କୁ ସଂଯୋଗ କରୁଥିବା ଛାତ ଅଚାନକ ଭୁଶୁଡ଼ିପଡ଼ିଥିଲା। ଛାତ ଭୁଶୁଡ଼ିବା ପରେ ଭଗ୍ନାବଶେଷ ତଳେ ଚାପି ରହିଯାଇଥିଲେ ୨ ଜଣ ଶ୍ରମିକ। ଦୁର୍ଘଟଣା ସଂପର୍କରେ ଖବର ପାଇ ଓଡ୍ରାଫ, ଅଗ୍ନିଶମ, ଏନ୍ଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ।
ପ୍ରାୟ ୮୭ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ନିର୍ମାଣ କାର୍ଯ୍ୟ ଚାଲିଥିଲା। ତିନି ମାସ ହେବ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଗତକାଲି ରାତିରେ ମଧ୍ୟ ଏହା ଜାରି ରହିଥିଲା। ଏହି ସମୟରେ ଅଚାନକ ଛାତ ଭୁଶୁଡ଼ି ପଡ଼ିବାରୁ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିଲେ। ତେବେ ଦୁର୍ଘଟଣା ପରେ ମୁହଁଫୁଟାଣି ଦେଖାଇଥିଲେ ଦିଲୀପ। ସବୁ ଦୋଷ ଶ୍ରମିକଙ୍କର ବୋଲି ସେ କହିଥିଲେ। ଅନ୍ୟପଟେ ତଦନ୍ତ ପରେ କେଉଁ ପରିସ୍ଥିତିରେ ଏତେ ବଡ଼ ଅଘଟଣ ଘଟିଲା ତାହା ଜଣାପଡ଼ିବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିସନର କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/air1-1.jpg)