ଆଖି ସାମ୍ନାରେ ଗ୍ୟାସ୍‌ ଚୋରି: ଡେଲିଭରି ଗାଡ଼ି ହିଁ ମୁଖ୍ୟ କାର୍ପଟଦାର

ବାଇଫେସିଆଲ ପାଇପ୍‌ ଲଗାଇ ସିଲିଣ୍ଡରରୁ କାଢ଼ି ନେଉଛନ୍ତି ଗ୍ୟାସ୍‌

ଭୁବନେଶ୍ୱର: ଆଖି ସାମ୍ନାରେ ଗ୍ୟାସ୍‌ ସିଲିଣ୍ଡର୍‌ରୁ କାଢ଼ି ନିଆଯାଉଛି ଗ୍ୟାସ୍‌। ଘରୋଇ ସିଲିଣ୍ଡର୍‌ର ଜରିଲଗା ସିଲ୍‌ ଖୋଲି ପାଇପ୍‌ ଜରିଆରେ ଗ୍ୟାସ୍‌ କାଢ଼ି ପୁଣି ଥରେ ସିଲ୍‌ କରି ଦେଉଛନ୍ତି। ହିତାଧିକାରୀ ଏ ବିଷୟରେ ଜାଣିବା ମୁସ୍କିଲ୍‌। ଗ୍ୟାସ୍‌ ସିଲିଣ୍ଡର ଡେଲିଭରି ଦେଉଥିବା ଗାଡ଼ି ହିଁ ଏହାର ମୁଖ୍ୟ କାର୍ପଟଦାର। ରାଜଧାନୀର ବିଭିନ୍ନ ଅଞ୍ଚଳରେ ପାଇପ ଲଗାଇ ଗ୍ୟାସ୍‌ ଚୋରି ହେଉଥିବା ଘଟଣା ନଜରକୁ ଆସିଛି।

ସୂଚନା ଅନୁଯାୟୀ, ଡାଲା ଅଟୋ ଓ ଅନ୍ୟ ଛୋଟ ଗାଡ଼ିରେ ଗ୍ୟାସ୍‌ ସିଲିଣ୍ଡରର ଡେଲିଭରି ଦିଆଯାଉଛି। ନୂଆ ସିଲିଣ୍ଡର୍‌ର ମୁହଁରେ ଜରିର ଏକ ସିଲ୍‌ ଲାଗିଥାଏ। ତେବେ ଏହି ସିଲିଣ୍ଡର ଲୋକଙ୍କ ପାଖରେ ପହଞ୍ଚିବା ପୂର୍ବରୁ ସିଲିଣ୍ଡରରୁ ଗ୍ୟାସ୍‌ କାଢ଼ି ନିଆଯାଉଛି। ରାଜଧାନୀରେ ଛୋଟ ଛୋଟ ସିଲିଣ୍ଡରକୁ ଭରିବା ପାଇଁ ଅନେକ ଖୁଚୁରା ଗ୍ୟାସ୍‌ ଦୋକାନ ଗଢ଼ି ଉଠିଛି। ଏହି ଦୋକାନରେ ହଷ୍ଟେଲ୍‌ ଓ ମେସ୍‌ରେ ରହୁଥିବା ଛାତ୍ରଛାତ୍ରୀମାନେ ଅଧିକ ନିର୍ଭର କରିଥାନ୍ତି। ଏସବୁ ଦୋକାନୀମାନଙ୍କୁ ସିଲିଣ୍ଡରରୁ ଚୋରି ହେଉଥିବା ଗ୍ୟାସ୍‌ ଦିଆଯାଉଥିବା ଅଭିଯୋଗ ଉଠିଛି। ଡେଲିଭରି ଦେଉଥିବା ଗାଡ଼ି ସହିତ ଏସବୁ ଖୁଚୁରା ଦୋକାନୀମାନଙ୍କ ଉତ୍ତମ ସଂପର୍କ ରହିଛି। ସିଲିଣ୍ଡର୍‌ରୁ ଗ୍ୟାସ୍‌ କାଢ଼ିବା ପାଇଁ ସେମାନେ ବାଇଫେସିଆଲ ଏଲପିଜି ଟ୍ରାନ୍ସଫର୍‌ ପାଇପ୍‌ ବ୍ୟବହାର କରୁଛନ୍ତି। ଏଥିରେ ଗୋଟିଏ ସିଲିଣ୍ଡର୍‌ରୁ ଆଉ ଏକ ସିଲିଣ୍ଡର୍‌କୁ ଗ୍ୟାସ୍‌ କାଢ଼ିବା ସହଜ ହୋଇଥାଏ। ଗ୍ରାହକଙ୍କୁ ଚୋରି ସଂପର୍କରେ ସନ୍ଦେହ ନ ହେବା ପାଇଁ ସେମାନେ ସିଲିଣ୍ଡରରୁ ଅତି ବେଶିରେ ଅଧ କେଜିରୁ ୧ କେଜି ପର୍ଯ୍ୟନ୍ତ ଗ୍ୟାସ୍‌ କାଢ଼ୁଛନ୍ତି। ଗୋଟିଏ ପରେ ଗୋଟିଏ ସବୁ ସିଲିଣ୍ଡର୍‌ରୁ ଏଭଳି ଗ୍ୟାସ୍‌ କାଢ଼ି ନିଆଯାଉଛି। ସପ୍ତାହର କିଛି ନିର୍ଦ୍ଦିଷ୍ଟ ଦିନରେ ଡେଲିଭରି ଗାଡ଼ି ଏସବୁ ଖୁଚୁରା ଦୋକାନରେ ଲାଗୁଛି। ଖୁଚୁରା ଦୋକାନୀ ୧କେଜି ଗ୍ୟାସ୍‌ ବଦଳରେ ୪୦/୬୦ଟଙ୍କା ପର୍ଯ୍ୟନ୍ତ ଡେଲଭରି ଗାଡ଼ିକୁ ଦେଉଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଗ୍ୟାସ୍‌ ଡେଲିଭରି ଦେବା ସମୟରେ ସିଲିଣ୍ଡର୍‌କୁ ଓଜନ କରିଦେବାର ନିୟମ ରହିଥିଲେ ହେଁ ଅଧିକାଂଶ ଏହାକୁ ପାଳନ କରୁନାହାନ୍ତି। ଉପଭୋକ୍ତା ମଧ୍ୟ ନିଜ ଗ୍ୟାସ୍‌ର ଓଜନ ପାଇଁ ଦାବି କରୁନାହାନ୍ତି। ଫଳରେ ଉପଭୋକ୍ତାଙ୍କ ସିଲିଣ୍ଡର୍‌ରୁ ଗ୍ୟାସ୍‌ କାଢ଼ି ବାହାର ଖୁଚୁରା ଦୋକାନରେ ବିକ୍ରି କରି ଦିଆଯାଉଛି। ଯୋଗାଣ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଜଧାନୀରେ ପୂର୍ବରୁ ମଧ୍ୟ ଏଭଳି ଗ୍ୟାସ୍‌ ଚୋରି ହେଉଥିବା ଅଭିଯୋଗ ହୋଇଥିଲା। ବାଇଫେସିଆଲ ପାଇପ୍‌ ଲଗାଇ ଏଭଳି ଗ୍ୟାସ୍‌ ଚୋରି କରାଯାଉଛି। ତେଣୁ ନିୟମିତ ଭାବେ ଚଢ଼ଉ କରାଯିବା ଫଳରେ ଏସବୁ ଚୋରି ବନ୍ଦ ହୋଇଯାଇଥିଲା। ଏସବୁ ଚୋରି ରୋକିବାକୁ ହେଲେ ନିୟମିତ ଚଢ଼ଉର ଆବଶ୍ୟକତା ରହିଛି ବୋଲି ଅଧିକାରୀଜଣଙ୍କ ସୂଚନା ଦେଇଛନ୍ତି। ଏସିଏସ୍‌ଓ ବସନ୍ତ ପଣ୍ଡା କହିଛନ୍ତି, ଡେଲିଭରି ପଏଣ୍ଟରେ ଏଭଳି ଗ୍ୟାସ୍‌ ଚୋରି ହେଉଥିବା ସଂପର୍କରେ ତାଙ୍କ ନିକଟରେ କୌଣସି ଖବର ନାହିଁ। ଗ୍ୟାସ୍‌ ଡେଲିଭରି ଦେବା ସମୟରେ ଏହାକୁ ଓଜନ କରିଦେବାର ନିୟମ ରହିଛି। ମାତ୍ର ଅଧିକାଂଶ ଉପଭୋକ୍ତା ଏହାକୁ ଦାବି କରୁନାହାନ୍ତି। ଏଭଳି ଚୋରି ରୋକିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯିବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର