ସରକାରଙ୍କ ମାଗଣା ସ୍ୱାସ୍ଥ୍ୟ ଯୋଜନାର ଦୁଃଖ : ଯୋଜନା ଆସିନି, ଟଙ୍କା ବନ୍ଦ କରିଦେଲେ ସରକାର

0 6

ଭୁବନେଶ୍ୱର : ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ‘ନିର୍ମଳ’ ଯୋଜନା ଆରମ୍ଭ କରି ନାହାନ୍ତି। ଅଗଷ୍ଟ ମାସରେ ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି କୁହାଯାଉଛି। ମାତ୍ର ଏହି ଯୋଜନାରେ ବିଭିନ୍ନ କ୍ଷେତ୍ରରେ ଆସିବାକୁ ଥିବା ଅର୍ଥକୁ ସରକାର ବନ୍ଦ କରି ଦେଇଛନ୍ତି। ମାସ ମାସ ଧରି ଠିକା କର୍ମଚାରୀଙ୍କ ଦରମା ମିଳିନାହିଁ। ଗତ ୬ ମାସ ହେଲାଣି ସରକାରୀ ଡାକ୍ତରଖାନାଗୁଡ଼ିକରେ ଏଭଳି ବିଚିତ୍ର ପରିସ୍ଥିତି ଦେଖିବାକୁ ମିଳିଛି।

ଚଳିତ ମାସ ଜାନୁଆରି ପହିଲାରୁ ରାଜ୍ୟ ସରକାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ୪ଟି ନୂଆ ଯୋଜନା ଆଣିଛନ୍ତି। ଏହି ଯୋଜନାରେ ରୋଗୀଙ୍କୁ ମାଗଣା ପରୀକ୍ଷାଠାରୁ ଡାଏଲିସିସ୍‌ ଭଳି ସୁବିଧା ଦିଆଯାଉଛି। ମାତ୍ର ରାଜ୍ୟ ସରକାରଙ୍କ ଏହି ମାଗଣା ସ୍ୱାସ୍ଥ୍ୟ ଯୋଜନା ଯୋଗୁଁ ୟୁଜର୍ସ ଫି’ ବାବଦରେ ରୋଗୀ କଲ୍ୟାଣ ସମିତିକୁ ଆସୁଥିବା ଅର୍ଥ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି।

କ୍ୟାପିଟାଲ ହସ୍ପିଟାଲରେ ସରକାରୀ କର୍ମଚାରୀଙ୍କୁ ବାଦ୍‌ ଦେଲେ ଶତାଧିକ କର୍ମଚାରୀଙ୍କୁ ଠିକାରେ ନିଯୁକ୍ତି ଦିଆଯାଇଛି। ସୁରକ୍ଷା କର୍ମୀ, ସଫେଇ କର୍ମଚାରୀ ଓ ଲଣ୍ଡ୍ରି ଭଳି ଅନେକ କ୍ଷେତ୍ରରେ ଟେଣ୍ଡର୍‌ କରାଯାଇ ଠିକା କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ଏମାନଙ୍କ ପିଛା ପ୍ରତି ମାସରେ ଲକ୍ଷାଧିକ ଟଙ୍କା ହସ୍ପିଟାଲ କର୍ତୃପକ୍ଷ ଖର୍ଚ କରୁଛନ୍ତି। ହସ୍ପିଟାଲରେ ଏବେ ୧୦୨ଜଣ ସୁରକ୍ଷା କର୍ମୀ ରହିଥିବା ବେଳେ ସେମାନଙ୍କ ପାଇଁ ମାସକୁ ୧୯ଲକ୍ଷ, ୭୪ଜଣ ଆଟେଣ୍ଡାଣ୍ଟଙ୍କ ପାଇଁ ୯.୩୬ଲକ୍ଷ, ଲଣ୍ଡ୍ରି ପାଇଁ ୧ଲକ୍ଷ ଟଙ୍କା ଓ ସଫେଇ କର୍ମଚାରୀଙ୍କ ପାଇଁ ୧୩.୬୩ ଲକ୍ଷ ଟଙ୍କା ଖର୍ଚ ହେଉଛି। ଏହାସହ ରୋଗୀ କଲ୍ୟାଣ ସମିତି ଜରିଆରେ ମଧ୍ୟ ୧୧ଜଣ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି।

ଅପରପକ୍ଷରେ ବର୍ଷକୁ ବର୍ଷ ହସ୍ପିଟାଲରେ ଥିବା ଯନ୍ତ୍ରପାତିର ବାର୍ଷିକ ରକ୍ଷାଣାବେକ୍ଷଣ ଖର୍ଚ ମଧ୍ୟ ବଢ଼ିବାରେ ଲାଗିଛି। କ୍ୟାଥ୍‌ ଲ୍ୟାବ୍‌ ପାଇଁ ବାର୍ଷିକ ୩୦ଲକ୍ଷ ଟଙ୍କା, ଲିଫ୍‌ଟ ପାଇଁ ୪ ଲକ୍ଷ ଓ ଅନ୍ୟାନ୍ୟ ଅତ୍ୟାଧୁନିକ ଯନ୍ତ୍ରପାତିର ରକ୍ଷଣାବେକ୍ଷଣ ଖର୍ଚ ହିସାବରେ ହସ୍ପିଟାଲ କର୍ତୃପକ୍ଷଙ୍କୁ ୫୫ ଲକ୍ଷ ଟଙ୍କା ଖର୍ଚ କରିବାକୁ ପଡ଼ୁଛି। ମାତ୍ର ରାଜ୍ୟ ସରକାର ଗତ ୬ ମାସ ହେବ ଏସବୁ ବାବଦରେ ଦେବାକୁ ଥିବା ଖର୍ଚକୁ ବନ୍ଦ କରି ଦେଇଛନ୍ତି। ‘ନିର୍ମଳ’ ଯୋଜନା ଅଧୀନରେ ରାଜ୍ୟ ସରକାର ସଫେଇ କର୍ମଚାରୀ, ସୁରକ୍ଷାକର୍ମୀ ଓ ଆଟେଣ୍ଡାଣ୍ଟଙ୍କ ବାବଦ ଦେବାକୁ ଥିବା ଟଙ୍କା ପ୍ରଦାନ କରିବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ମାତ୍ର ଏହି ଯୋଜନାର ଏ ପର୍ଯ୍ୟନ୍ତ କୌଣସି ରୂପରେଖ ପ୍ରସ୍ତୁତ ହୋଇନାହିଁ କି ହସ୍ପିଟାଲ କର୍ତୃପକ୍ଷଙ୍କୁ ସିଧାସଳଖ କୌଣସି ନିର୍ଦେଶନାମା ଜାରି କରାଯାଇନାହିଁ।

କ୍ୟାପିଟାଲ ହସ୍ପିଟାଲକୁ କର୍ମଚାରୀଙ୍କ ଦରମା, ରକ୍ଷଣାବେକ୍ଷଣା ଖର୍ଚ, ଔଷଧ କିଣା ଓ ଅନ୍ୟାନ୍ୟ ଖର୍ଚକୁ ମିଶାଇ ବାର୍ଷିକ ୬କୋଟି ଟଙ୍କା ଆବଶ୍ୟକ। ୟୁଜର୍ସ ଫି’କୁ ମିଶାଇ ଅନ୍ୟାନ୍ୟ କ୍ଷେତ୍ରରୁ ହସ୍ପିଟାଲକୁ ବାର୍ଷିକ ୫ କୋଟି ୩୦ ଲକ୍ଷ ଟଙ୍କା ଆଦାୟ ହୋଇଥାଏ। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣାରେ ସ୍ୱାସ୍ଥ୍ୟସେବା ଆରମ୍ଭ ହେବା ପରଠାରୁ ହସ୍ପିଟାଲର ରୋଗୀ କଲ୍ୟାଣ ସମିତି ବା ଆରକେଏସ୍‌କୁ ଆଦାୟ ହେଉଥିବା ଅର୍ଥ ମଧ୍ୟ ବନ୍ଦ ହୋଇଯାଇଛି।

ସରକାର ଟଙ୍କା ଦେଲେ ସମସ୍ୟାର ସମାଧାନ ହେବ: ହସ୍ପିଟାଲ କର୍ତୃପକ୍ଷ

ହସ୍ପିଟାଲର ଜନୈକ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଯନ୍ତ୍ରପାତିର ରକ୍ଷଣାବେକ୍ଷଣ ଖର୍ଚ ବର୍ଷକୁ ବର୍ଷ ବଢ଼ିବାରେ ଲାଗିଛି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ଯୋଜନା ଆରମ୍ଭ ହେବା ପରେ ୟୁଜର୍ସ ଫି’ରୁ ଆଦାୟ ହେଉଥିବା ଅର୍ଥ ଆଉ ଆଦାୟ ହେଉନାହିଁ। ଏଥିପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ସରକାରଙ୍କ ମାଗଣା ଯୋଜନା କାର୍ଯ୍ୟକାରୀ ହେବା ପରେ ଏବେ ପରୀକ୍ଷା ସଂଖ୍ୟା ଦୁଇ ଗୁଣ ବଢ଼ି ଯାଇଛି। ତେବେ ପୂର୍ବରୁ ଯେତିକି ସଂଖ୍ୟକ ଏଲ୍‌ଟି ରହିଥିଲେ, ସେମାନଙ୍କ ଜରିଆରେ ଏହି ପରୀକ୍ଷା ହେଉଛି। ତେଣୁ କର୍ମଚାରୀଙ୍କ ଉପରେ ପ୍ରବଳ ଚାପ ପଡ଼ୁଛି ବୋଲି ସେ କହିଛନ୍ତି।

କର୍ମଚାରୀ ଅଭାବ, ପରୀକ୍ଷା ଦୁଇ ଗୁଣ

ଚଳିତବର୍ଷ ଜାନୁଆରି ମାସରୁ ରାଜ୍ୟ ସରକାର ମାଗଣା ରୋଗ ନିରୂପଣ ସେବା ‘ନିଦାନ’ ଯୋଜନା ଆରମ୍ଭ କରିଛନ୍ତି। ସମସ୍ତ ସରକାରୀ ଡାକ୍ତରଖାନାରେ ରୋଗୀମାନଙ୍କୁ ଏହି ସେବା ଦିଆଯାଉଛି। ତେବେ ଏହି ଯୋଜନା ଆରମ୍ଭ ହେବା ପରେ ଡାକ୍ତରଖାନାଗୁଡ଼ିକରେ ପୂର୍ବରୁ ଯେତିକି ସଂଖ୍ୟକ ପରୀକ୍ଷା ହେଉଥିଲା, ତାହା ଏବେ ଦ୍ୱିଗୁଣିତ ହୋଇଛି। ମାତ୍ର କର୍ମଚାରୀଙ୍କ ସଂଖ୍ୟା ପୂର୍ବରୁ ଯାହା ଥିଲା ସେୟା। ଯାହାକୁ ନେଇ କର୍ମଚାରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, କ୍ୟାପିଟାଲ ହସ୍ପିଟାଲରେ ଏବେ ୫୦ ପ୍ରକାରର ସାଧାରଣ ପରୀକ୍ଷା ବା ଇନ୍‌ଭେଷ୍ଟିଗେସନ୍‌ ହେଉଛି। ସକାଳ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ ପରୀକ୍ଷା କେନ୍ଦ୍ର ଖୋଲୁଛି। ରାଜ୍ୟ ସରକାର ‘ନିଦାନ’ ଯୋଜନା ଆରମ୍ଭ କରିବା ପରେ ଏଥିରେ ପିପିପି ମୋଡରେ ଆହୁରି ୨୦ଟି ହାଇଏଣ୍ଡ ବା ଅତ୍ୟାଧୁନିକ ପରୀକ୍ଷା ହେଉଛି। ତେବେ ଏହି ଯୋଜନା ଲାଗୁ ହେବା ପୂର୍ବରୁ ହସ୍ପିଟାଲରେ ଦିନକୁ ପ୍ରାୟ ୨ଶହ ସାଧାରଣ ପରୀକ୍ଷା ହେଉଥିଲା। ମାତ୍ର ଏବେ ୪ଶହ ଟପିଗଲାଣି। ପରୀକ୍ଷା କେନ୍ଦ୍ରରେ ଅସମ୍ଭାଳ ଭିଡ଼ ହେଉଛି। ମାତ୍ର ପୂର୍ବରୁ ଯେତିକି ସଂଖ୍ୟକ କର୍ମଚାରୀ ଏହି ପରୀକ୍ଷା କରୁଥିଲେ ସେହି କର୍ମଚାରୀ ଦୁଇ ଗୁଣ ପର୍ଯ୍ୟନ୍ତ ବଢ଼ିଥିବା ପରୀକ୍ଷା କରିବାକୁ ବାଧ୍ୟ ହେଉଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ନିଦାନ କେନ୍ଦ୍ରରେ ୧୦ଜଣ ଲାବୋରେଟାରି ଟେ୍‌କନିସିଆନ୍‌ ବା ଏଲ୍‌ଟି ରହିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ରାଜ୍ୟପାଳଙ୍କ ବାସଭବନରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଛନ୍ତି। ଫଳରେ ୯ଜଣ ଏଲ୍‌ଟିଙ୍କ ସହାୟତାରେ ହସ୍ପିଟାଲରେ ବିଭିନ୍ନ ପରୀକ୍ଷା ହେଉଛି। ପ୍ରବଳ ଚାପରେ କାର୍ଯ୍ୟ କରିବା ଯୋଗୁଁ ପରୀକ୍ଷା ରିପୋର୍ଟ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ଅଧିକ ସଂଖ୍ୟକ ଏଲ୍‌ଟି ନିଯୁକ୍ତ କରିବା ପାଇଁ ହସ୍ପିଟାଲ କର୍ତୃପକ୍ଷ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଥିଲେ ହେଁ, ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଅପରପକ୍ଷରେ ହାଇଏଣ୍ଡ ପରୀକ୍ଷାଗୁଡ଼ିକ ୨୪ଘଣ୍ଟିଆ ହେଉଥିବା ବେଳେ ଅନ୍ୟ ପରୀକ୍ଷା ମାତ୍ର ୮ଘଣ୍ଟା ପର୍ଯ୍ୟନ୍ତ ହେଉଛି। ସଂଧ୍ୟା କିମ୍ବା ବିଳମ୍ବିତ ରାତିରେ ଯେଉଁ ରୋଗୀ ଆସୁଛନ୍ତି ସେମାନଙ୍କ ପାଇଁ ଏହି ପରୀକ୍ଷା ସମ୍ଭବ ହେଉନାହିଁ। ସାଧାରଣ ପରୀକ୍ଷାଗୁଡ଼ିକୁ ୨୪ଘଣ୍ଟିଆ କରିବା ପାଇଁ ଦୀର୍ଘଦିନରୁ ଦାବି ହେଉଥିଲେ ହେଁ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.