ସରକାରଙ୍କ ମାଗଣା ସ୍ୱାସ୍ଥ୍ୟ ଯୋଜନାର ଦୁଃଖ : ଡାଏଲିସିସ୍‌ ରୋଗୀଙ୍କୁ ହେପାଟାଇଟିସ୍‌ ଇଞ୍ଜେକସନ୍‌ କିଏ ଦେବ?

ଭୁବନେଶ୍ୱର : ସରକାରୀ ଡାକ୍ତରଖାନାରେ ଡାଏଲିସିସ୍‌ କରୁଥିବା ରୋଗୀଙ୍କୁ ହେପାଟାଇଟିସ୍‌-ବି ଇଞ୍ଜେକସନ୍‌ କିଏ ଦେବ। ଏହାକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଛକାପଞ୍ଝା ଆରମ୍ଭ ହୋଇଛି। ‘ନିରାମୟ’ ଯୋଜନାରେ ହସ୍ପିଟାଲକୁ ହେପାଟାଇଟିସ୍‌ ଇଞ୍ଜେକସନ୍‌ ଯୋଗାଣ ନ ଥିବାରୁ ହସ୍ପିଟାଲରେ ଡାଏଲିସିସ୍‌ କରୁଥିବା ରୋଗୀମାନଙ୍କୁ ଏହା ଦିଆଯାଉନାହିଁ। ଅପରପକ୍ଷେ ମିସନ୍‌ ଇନ୍ଦ୍ରଧନୁଷରେ ହେପାଟାଇଟିସ୍‌ ଇଞ୍ଜେକସନ୍‌ ଯୋଗାଣ ରହିଥିଲେ ହେଁ ତାହା ଏହି ସେବାରେ ଅନ୍ତର୍ଭୁକ୍ତ ନ ଥିବାରୁ ଏହି ଯୋଜନାରୁ ଇଞ୍ଜେକସନ୍‌ ଆଣି ରୋଗୀଙ୍କୁ ଦେବା ସମ୍ଭବ ହେଉନାହିଁ।

ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ପକ୍ଷରୁ ‘ସହାୟ’ ଯୋଜନାରେ ମାଗଣାରେ କିଡ୍‌ନି ରୋଗୀଙ୍କୁ ଡାଏଲିସିସ୍‌ ସୁବିଧା ଦିଆଯାଉଛି। ପିପିପି ମୋଡ୍‌ରେ ଏହି ସେବା ହସ୍ପିଟାଲରେ ଆରମ୍ଭ ହୋଇଛି। ଗତ ଏପ୍ରିଲ ମାସରୁ କ୍ୟାପିଟାଲ୍‌ ହସ୍ପିଟାଲରେ ଏହି ସେବା ଆରମ୍ଭ ହେବା ପରେ ୩ଟି ସିଫ୍‌ଟରେ ୨୪ଜଣ କିଡ୍‌ନି ରୋଗୀଙ୍କୁ ଡାଏଲିସିସ୍‌ କରାଯାଉଛି। ପୂର୍ବରୁ ହସ୍ପିଟାଲରେ ଯେତିକି ରୋଗୀଙ୍କ ଡାଏଲିସିସ୍‌ କରାଯାଉଥିଲା, ସେହି ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ଘଟିଛି। ତେବେ ଡାଏଲିସିସ୍‌ କରୁଥିବା ରୋଗୀମାନଙ୍କୁ ହେପାଟାଇଟିସ୍‌-ବି ଇଞ୍ଜେକସନ୍‌ ଦିଆଯିବାକୁ ନିୟମ ରହିଛି।

ପିପିପି ମୋଡ୍‌ରେ ଡାଏଲିସିସ୍‌ କରୁଥିବା ସଂସ୍ଥା ପକ୍ଷରୁ ଏହି ଇଞ୍ଜେକସନ୍‌ ଦିଆଯାଉ ନାହିଁ। କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷ ଡାଏଲିସିସ୍‌ କରୁଥିବା ରୋଗୀମାନଙ୍କୁ ୨ଟି ଗୁରୁତ୍ୱପୂର୍ଣ୍ଣ ଇଞ୍ଜେକସନ୍‌ ଦେଉଛନ୍ତି। ମିସନ୍‌ ଇନ୍ଦ୍ରଧନୁଷ ଜରିଆରେ ସରକାରଙ୍କ ପକ୍ଷରୁ ଟିକାକରଣ କେନ୍ଦ୍ରକୁ ହେପାଟାଇଟିସ୍‌-ବି ଇଞ୍ଜେକସନ୍‌ ଦିଆଯାଉଛି। ମାତ୍ର ‘ନିରାମୟ’ ଯୋଜନାରେ ହେପାଟାଇଟିସ୍‌-ବି ଇଞ୍ଜେକସନ୍‌ ଯୋଗାଣ ନାହିଁ। ତେଣୁ ମିସନ୍‌ ଇନ୍ଦ୍ରଧନୁଷରେ ହେପାଟାଇଟିସ୍‌ -ବି ଇଞ୍ଜେକସନ୍‌ ରହିଥିଲେ ହେଁ ଏହି ସେବା ପାଇଁ ତାହା ଉଦ୍ଦିଷ୍ଟ ନ ଥିବାରୁ ହସ୍ପିଟାଲ କର୍ତୃପକ୍ଷ କିମ୍ବା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ହାତ ବାନ୍ଧି ବସିଛନ୍ତି। କିଛିଦିନ ପୂର୍ବରୁ ହସ୍ପିଟାଲ କର୍ତୃପକ୍ଷ ଟିକାକରଣ ଦାୟିତ୍ୱରେ ଥିବା ଅଧିକାରୀଙ୍କ ସଂପର୍କରେ ଏ ସଂପର୍କରେ ଆଲୋଚନା କରିଥିଲେ ହେଁ ଏଥିରେ ବିଶେଷ ସୁଫଳ ମିଳିପାରି ନ ଥିଲା। ପିପିପି ମୋଡ୍‌ରେ ନେଇଥିବା ସଂସ୍ଥା ସହ ହେପାଟାଇଟିସ୍‌ ଇଞ୍ଜେକସନ୍‌ ଦେବାକୁ ନେଇ ରାଜ୍ୟ ସରକାରଙ୍କ ଚୁକ୍ତି ହୋଇଛି କି ନାହିଁ, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ।

ଅପରପକ୍ଷେ କ୍ୟାପିଟାଲ ହସ୍ପିଟାଲରେ ‘ସହାୟ’ ଯୋଜନା ଆରମ୍ଭ ହେବା ପରେ ହସ୍ପିଟାଲର ନିଜସ୍ୱ ଡାଏଲିସିସ୍‌ ମେସିନ୍‌ ଏବେ ବନ୍ଦ ହୋଇ ପଡ଼ିଛି। ଏଥିପାଇଁ ନିଯୁକ୍ତ ହୋଇଥିବା ଡାକ୍ତର ସହାୟ ଯୋଜନାରେ କାର୍ଯ୍ୟ କରୁଛନ୍ତି। ତେବେ ଏହି ମେସିନ୍‌ର ଭାଗ୍ୟ ଆଗାମୀ ଦିନରେ କ’ଣ ହେବ, ତାହାକୁ ନେଇ ଚର୍ଚା ହେଉଛି। କ୍ୟାପିଟାଲ ହସ୍ପିଟାଲର ଏଭଳି ଅନେକ ମେସିନ୍‌ ଅଚଳ ହୋଇ ପଡ଼ି ରହିଥିବା ବେଳେ ଡାଏଲିସିସ୍‌ ମେସିନ୍‌ ମଧ୍ୟ ଏହି ତାଲିକାରେ ଏବେ ସାମିଲ ହୋଇଛି। ପିପିପି ମୋଡ୍‌ରେ ଯେତିକି ସଂଖ୍ୟକ ରୋଗୀ ଡାଏଲିସିସ୍‌ କରୁଛନ୍ତି, ତା’ଠାରୁ ଯଥେଷ୍ଟ ଅଧିକ ରୋଗୀ ଅପେକ୍ଷା ରହିଛନ୍ତି। ୩ଟି ସିଫ୍‌ଟରେ ରୋଗୀଙ୍କ ଡାଏଲିସିସ୍‌ କରାଯାଉଥିବାରୁ ନୂତନ ରୋଗୀଙ୍କୁ ଏଥିରେ ସାମିଲ କରିବାକୁ ନେଇ ସମସ୍ୟା ଉପୁଜୁଛି।

ତେବେ ହସ୍ପିଟାଲରେ ପୂର୍ବରୁ ରହିଥିବା ପିପିପି ମୋଡ୍‌ରେ ଡାଏଲିସିସ୍‌ ଚଳାଉଥିବା ସଂସ୍ଥାକୁ ଏହି ମେସିନ୍‌ ଦିଆଯିବ କି ସରକାର ଏହାକୁ ଫେରାଇନେବେ, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ହସ୍ପିଟାଲ କର୍ତୃପକ୍ଷ ମଧ୍ୟ ତାଙ୍କ ଆଡ଼ୁ ପିପିପି ମୋଡ୍‌ରେ ଚଳାଉଥିବା ସଂସ୍ଥାକୁ ଡାଏଲିସିସ୍‌ ମେସିନ୍‌ ଦେଇ ପାରୁନାହାନ୍ତି। ଫଳରେ ଏହି ଦାମୀ ଓ ଅତ୍ୟାଧୁନିକ ମେସିନ୍‌ ଏବେ ଦୀର୍ଘ ଦିନ ହେବ ଅଚଳ ହୋଇ ପଡ଼ି ରହିଛି।

କ୍ୟାପିଟାଲ ହସ୍ପିଟାଲର ଅଧୀକ୍ଷକ ଡା.ଏନ୍‌ ମିଶ୍ରଙ୍କ କହିବାନୁଯାୟୀ, ପିପିପି ମୋଡ୍‌ରେ ହସ୍ପିଟାଲରେ ଡାଏଲିସିସ୍‌ ସେବା ଆରମ୍ଭ ହେବା ପରେ ହସ୍ପିଟାଲରେ ପୂର୍ବରୁ ଥିବା ଡାଏଲିିସିସ୍‌ ମେସିନ୍‌ ବନ୍ଦ ରହିଛି। ତେବେ ଏହାକୁ କିଭଳି ବ୍ୟବହାର କରାଯିବ, ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ପ୍ରସ୍ତାବ ଆସିନାହିଁ। ଫଳରେ ଏହି ମେସିନ୍‌କୁ ନେଇ କିଛି ନିଷ୍ପତ୍ତି ନେବା ସମ୍ଭବ ହେଉନାହିଁ। ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ନିଷ୍ପତ୍ତି ଆସିବା ପରେ ପରବର୍ତୀ ପଦକ୍ଷେପ ନିଆଯିବ ବୋଲି ଡା. ମିଶ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର