ଜମିଲା ଦୋଳ ମେଳଣ, ଫ୍ରି ସେଲ୍ ଅପେରା

ଚନ୍ଦ୍ରଶେଖରପୁର: ଦୋଳ ମେଳଣ ଅବସରରେ ରାଜଧାନୀ ଉପକଣ୍ଠ ଚଳଚଞ୍ଚଳ ହୋଇଉଠିଛି। ଦୋଳ ଯାତ୍ରା ଓ ଲଉଡ଼ି ନାଟ ସହ ଗ୍ରାମବାସୀମାନେ ବିଭିନ୍ନ ପ୍ରକାର ଫ୍ରି ସେଲ୍ ଅପେରା ଦେଖିବାର ମଜା ଉଠାଉଛନ୍ତି। ରାଜଧାନୀ ଉପକଣ୍ଠ ରଙ୍ଗମାଟିଆ, ଗାଡ଼କଣ, ଡମଣା, ପଟିଆ, ଚକେଇସିଆଣି, ମଞ୍ଚେଶ୍ବର, ବରିମୁଣ୍ଡ, କଳାରାହାଙ୍ଗ, ଚନ୍ଦକା, ଅନ୍ଧାରୁଆ ଓ ଦାରୁଠେଙ୍ଗ ଆଦି ଗ୍ରାମରେ ଜମୁଛି ଦୋଳ ମେଳଣ ଓ ଫ୍ରି ସେଲ୍ ଅପେରା। ଗ୍ରାମ କମିଟି ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ‌ରେ ବହୁ ପ୍ରତିଷ୍ଠିତ ଅପେରା ପାର୍ଟି ଏଠାରେ ଯାତ୍ରା ପରିବେଷଣ କରୁଛନ୍ତି। ଏହି ସମୟରେ ସର୍ବସାଧାରଣଙ୍କ ମନୋରଂଜନ ପାଇଁ ପାର୍ଟିର କାର୍ଯ୍ୟକ୍ରମକୁ ଫ୍ରି ସେଲ୍ କରିଦିଆଯାଇଥାଏ। ଫଳରେ ପ୍ରତିଟି ଯାତ୍ରା ପଡ଼ିଆରେ ହଜାର ହଜାର ଦର୍ଶକଙ୍କ ସମାଗମ ହେଉଛି। ଏସବୁ ଅଞ୍ଚଳରେ ଆଜିଠାରୁ ଯାତ୍ରା ରଙ୍ଗମହଲ, ସ୍ବର୍ଣ୍ଣମହଲ, କୋଣାର୍କ, ଗୌରୀ ଓ ପାର୍ବତୀ ଗଣନାଟ୍ୟ ଆଦି ଅପେରା ପାର୍ଟି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରୁଥିବା ବେଳେ ବିଭିନ୍ନ ସ୍ଥାନରେ ଦୋଳ ପର୍ବ ପରେ ଚନ୍ଦନ ପାଇଁ ଅପେରାଗୁଡ଼ିକୁ ଆଗୁଆ ବଇନା ଦିଆଯାଇଛି। ଅନ୍ୟପକ୍ଷରେ ଗ୍ରାମାଞ୍ଚଳର ଗଣପର୍ବ ଦୋଳଯାତ୍ରାକୁ ଆଖି ଆଗରେ ରଖି ଭୁବନେଶ୍ବର କମିସନରେଟ୍ ପୁଲିସ୍ ଆଇନ ଶୃଙ୍ଖଳା ରକ୍ଷା କରିବା ନେଇ ତତ୍ପର ହୋଇଉଠିଛି। ଅସାମାଜିକ ଯୁବକଙ୍କ ଉପରେ ନଜର ରଖିବା ଓ ଗୋଷ୍ଠୀ ସଂଘର୍ଷକୁ ରୋକିବା ନେଇ ପୁଲିସ୍ ପ୍ରତିଟି ଯାତ୍ରା ପଡ଼ିଆରେ ୩ ରୁ ୪ପ୍ଲାଟୁନ୍ ଫୋର୍ସ ମୁତୟନ କରିଛି। ଏହାବ୍ୟତୀତ ପୁଲିସ ବିଭିନ୍ନ ଗ୍ରାମ ଭିତରେ ପାଟ୍ରୋଲିଂ କରିବ ବୋଲି ଜୋନ୍ ଏସିପି ତରୁଣକାନ୍ତ ଦାସ ପ୍ରକାଶ କରିଛନ୍ତି। ଏହାସହ ଗ୍ରାମାଞ୍ଚଳ ଅଧୀନ ଥାନା ମଞ୍ଚେଶ୍ବର, ଚନ୍ଦ୍ରଶେଖରପୁର, ଚନ୍ଦକା, ନନ୍ଦନକାନନ ଥାନା ଆଇଆଇସିମାନେ ଗ୍ରାମ କମିଟି ଓ ଯୁବକ ସଂଘ ସହ ଆଲୋଚନା କରି ଅଘଟଣ ରୋକିବା ପାଇଁ ସହାୟତା ଲୋଡ଼ିଛନ୍ତି।

ସମ୍ବନ୍ଧିତ ଖବର