ଦିବ୍ୟାଙ୍ଗଙ୍କୁ ଦେଉଛନ୍ତି ମାଗଣା ସେବା

ଭୁବନେଶ୍ୱର: ରବିବାର ସାରା ବିଶ୍ୱରେ ପାଳିତ ହୋଇଥିଲା ବିଶ୍ୱ ଦିବ୍ୟାଙ୍ଗ ଦିବସ। ଦିବ୍ୟାଙ୍ଗଙ୍କ ଉନ୍ନତି, ବିକାଶ ସହିତ ସେମାନେ ଯେପରି ସମାଜରେ ସମ୍ମାନର ସହିତ ବଞ୍ଚି ପାରିବେ ସେ ନେଇ କେତେ କ’ଣ ଯୋଜନା ହେଉଛି। ସେହି ଦିବ୍ୟାଙ୍ଗମାନଙ୍କ ପାଇଁ ଜଣେ ଅଟୋ ଚାଳକଙ୍କ ମହତ ଚିନ୍ତା ଆଜି ଚର୍ଚାର ବିଷୟ ହୋଇଛି। ଅଟୋ ଚାଳକ ଜଣକ ସବୁ ପ୍ରକାର ଦିବ୍ୟାଙ୍ଗଙ୍କ ଯାତାୟାତ ପାଇଁ ମାଗଣା ସେବା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ଅଟୋ ପଛରେ ଲେଖା ଯାଇଛି ‘ସେବା ହିଁ ସ୍ୱର୍ଗ’। ଯାହା ଆଜି ଅନ୍ୟମାନଙ୍କ ପାଇଁ ପ୍ରେରଣା ଓ ଦୃଷ୍ଟାନ୍ତର କାରଣ ପାଲଟିଛି। ଏତଦ୍‌ବ୍ୟତୀତ ଦୁର୍ଘଟଣା ଜନିତ ସେବା ମଧ୍ୟ ମାଗଣାରେ ପ୍ରଦାନ କରାଯିବ ବୋଲି ସେ ଘୋଷଣା କରିଛନ୍ତି। ସେ ହେଲେ ନିଆଳି ଅପୂଜା ଗାଁର ପ୍ରଭାତ ପ୍ରଧାନ(୪୮)। ଅଟୋ ଚଳାଇ ୮ ପ୍ରାଣୀ କୁଟୁମ୍ବ ଚାଳଉଥିଲେ ମଧ୍ୟ ତାଙ୍କର ଏହି ମହତ ଚିନ୍ତା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।

ପ୍ରଭାତଙ୍କ ବାପା ଓ ବଡ଼ ଭାଇଙ୍କ ପରଲୋକ ହୋଇଯାଇଛି। ଘରେ ତାଙ୍କ ବିଧବା ମା’, ଭାଉଜ ଦୁଇ ପୁତୁରା, ପତ୍ନୀ ଓ ଦୁଇ ପୁଅ। ଏମାନଙ୍କୁ ନେଇ ତାଙ୍କର ସୁଖ ଦୁଃଖର ସଂସାର। ଅଟୋ ଚଳାଇ ଦିନକରେ ଯତିକି ରୋଜଗାର କରନ୍ତି ସେତିକି ଯଥେଷ୍ଟ ହେଉ ନଥିଲେ ମଧ୍ୟ ସେ କେବେ ହାରି ଯାଇ ନାହାନ୍ତି। ପାଠ କମ୍‌ ପଢ଼ିଥିବାରୁ ଦୀର୍ଘ ୨୦ବର୍ଷ ହେଲା ସେ ରାଜଧାନୀରେ ଅଟୋ ଚଳାଉଛନ୍ତି। ଅଟୋ ଚଳାଇ ଯେତିକି ରୋଜଗାର କରନ୍ତି ସେଥିରେ ପରିବାର ଚଳାଇବା ସହ ଦୁଇ ପୁତରା ଓ ନିଜ ପିଲାଙ୍କୁ ପାଠ ପଢ଼ାଇ ମଣିଷ କରିବାକୁ ଉଦ୍ୟମ କରୁଛନ୍ତି। ପ୍ରଭାତଙ୍କ ମାନବିକତା ଆଗରେ ତାଙ୍କ ମହତ ଉଦ୍ଦେଶ୍ୟ ହାର ମାନିଛି। ଅଭାବରେ ଥିଲେ ମଧ୍ୟ ସେ ତାଙ୍କ ସେବା ମନୋଭାବରୁ କେବେ ଓହରି ନାହାନ୍ତି। ଧନ ନାହିଁ ହେଲେ ମନ ଅଛି। ସେଥିପାଇଁ ସାମର୍ଥ୍ୟ ଅନୁସାରେ ଗରିବ, ଦୁଃଖୀ, ଭିନ୍ନକ୍ଷମ, ଦୁର୍ଘଟଣାରେ ଆହତ ଓ ଅସହାୟ ଲୋକଙ୍କୁ ଅଟୋରେ ବସାଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇ ଦେଉଛନ୍ତି। ଏ ନେଇ ପ୍ରଭାତଙ୍କୁ ପଚାରିବାରୁ ସେ କୁହନ୍ତି, ଏହି ଛୋଟ ସାହାଯ୍ୟ ବଦଳରେ ଆଉ କିଛି ନମିଳିଲେ ମଧ୍ୟ ମିଳୁଛି କିଛି ଆଶୀର୍ବାଦ। ଯାହା ମତେ ଆତ୍ମ ସନ୍ତୋଷ ପ୍ରଦାନ କରୁଛି। ଏହି ଆତ୍ମସନ୍ତୋଷ ଓ ଆଶୀର୍ବାଦ ମୋ ପାଇଁ ସୁନା, ରୁପା ଟଙ୍କା ପଇସାଠାରୁ ବି ମୂଲ୍ୟବାନ। ଆଜିର ଏହି ସ୍ୱାର୍ଥପର ସମାଜରେ ସେ ଭିନ୍ନ ଏକ ଉଦାହରଣ ସୃଷ୍ଟି କରିପାରୁଛନ୍ତି।

ସମ୍ବନ୍ଧିତ ଖବର