ଓଡ଼ିଶା ଭର୍ଚୁଆଲ୍‌ ଏକାଡେମିରେ ୨୧ଟି ଜନଜାତି ଭାଷାର ଅଭିଧାନ

ସିସି ଲାଇସେନ୍‌ସ ପରେ ମାଗଣାରେ ବ୍ୟବହାରର ସୁବିଧା

ଭୁବନେଶ୍ବର: ଏଣିକି ଜନଜାତି ଭାଷାର ଭାବାର୍ଥ ଜାଣିବା ପାଇଁ କେବଳ ଅଭିଧାନ ଏକ ବିକଳ୍ପ ହୋଇ ରହିବ ନାହିଁ। ସମ୍ପୃକ୍ତ ବହି ଯଦି ନିକଟରେ ଉପଲବ୍ଧ ହେଉନାହିଁ, ଜଣେ ଇଣ୍ଟରନେଟ୍‌ରେ ମଧ୍ୟ ଏହି ଅଭିଧାନକୁ ଅନୁକରଣ କରି ଭାଷା ସମ୍ବନ୍ଧରେ ଜ୍ଞାନ ହାସଲ କରିପାରିବ। ରାଜ୍ୟ ସରକାରଙ୍କ ‘ଓଡ଼ିଶା ଭର୍ଚୁଆଲ୍‌ ଏକାଡେମି’ର ପୋର୍ଟାଲ୍‌ରେ ଏଣିକି ୨୧ଟି ଜନଜାତି ତଥା ଦେଶୀୟ ଭାଷାର ଅଭିଧାନ ତଥା ଭାଷା ଶିକ୍ଷଣ ପେଟିକାରୁ ଜ୍ଞାନ ଆହରଣର ସୁଯୋଗ ମିଳିବ। ଅକ୍ଟୋବର ୧୭ ତାରିଖରେ କ୍ରିଏଟିଭ୍‌ କମନ୍‌ସ ଆଟ୍ରିବ୍ୟୁସନ୍‌ ୪.୦ ଇଣ୍ଟରନାସ୍‌ନାଲ୍‌ ତଥା ସିସି ଲାଇସେନ୍‌ସ ଅଧୀନରେ ଓଡ଼ିଶା ଭର୍ଚୁଆଲ୍‌ ଏକାଡେମି ଏହି ଲାଇସେନ୍‌ସପ୍ରାପ୍ତ ହୋଇଛି। ଫଳରେ ବିଶ୍ବର ଯେକୌଣସି କୋଣରେ ଥାଇ ମଧ୍ୟ ଜଣେ ଏହାର ସହାୟତା ନେଇପାରିବ। ଯଦି କୌଣସି ନିର୍ଦିଷ୍ଟ ଜନଜାତି ଉପରେ ଗବେଷଣା କରିବାକୁ କେହି ଇଚ୍ଛା କରେ, ତେବେ ସେ ଏହାର ସହଯୋଗ ନେଇ ଭାଷା ଜ୍ଞାନ ଆହରଣ ପରେ ଗବେଷଣା‌ ପାଇଁ ବାଟ ସୁଗମ କରିପାରିବ। କେବଳ ସେତିକି ନୁହେଁ, ସମ୍ପୃକ୍ତ ଅଞ୍ଚଳର ଦେଶୀୟ ଭାଷା ସମ୍ବନ୍ଧରେ ଜ୍ଞାନ ଆହରଣ ପାଇଁ ଉତ୍ସୁକ ବ୍ୟକ୍ତିବିଶେଷ ମଧ୍ୟ ଏହି ଅଭିଧାନର ସହାୟତା ନେଇପାରିବେ।

ମୁଖ୍ୟତଃ ସଉରା, ସାନ୍ତାଳି, ସାଦ୍ରୀ, ଓରାଓଁ, ମୁଣ୍ଡା, କୁଭି, କୁଇ, କୋୟା, କିସାନ, ଖଡ଼ିଆ, ଜୁଆଙ୍ଗ, ହୋ, ଗୋଣ୍ଡି, ଗଦବା, ଡିଡାୟୀ, ବଣ୍ଡା, ବିନ୍‌ଝାଲ୍‌, ଭୁଞ୍ଜିଆ, ଭୂମିଜ, ଭୂୟାଁ, ଭତ୍‌ରୀ-ଦେଶିଆ ଭାଷାର ତ୍ରିଭାଷୀ ଅଭିଧାନରୁ ଭାଷା ସଂକ୍ରାନ୍ତୀୟ ଜ୍ଞାନ ଆହରଣର ସୁଯୋଗ ମିଳିବ। ୨୦୧୮ ମସିହାରେ ଯୋଜନ ଓ ସଂଯୋଜନ ବିଭାଗ ପକ୍ଷରୁ ଗଜପତି, ମୟୂରଭଂଜ, ସୁନ୍ଦରଗଡ଼, ରାୟଗଡ଼ା, କନ୍ଧମାଳ, ମାଲକାନଗିରି, କେନ୍ଦୁଝର, ନବରଙ୍ଗପୁର, କୋରାପୁଟ ଜିଲ୍ଲାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଏହି ୨୧ଟି ଅଭିଧାନ ପ୍ରକାଶ ପାଇଥିଲା। ସ୍ଥାନୀୟ ଅଞ୍ଚଳର ବ୍ୟକ୍ତିବିଶେଷଙ୍କ ସହାୟତା ନେଇ ଏହା ପ୍ରସ୍ତୁତ ହୋଇଥିଲା। ଦେଶୀୟ ଭାଷାକୁ ଇଂରାଜୀ ଓ ଓଡ଼ିଆ ଭଳି ତ୍ରିଭାଷୀରେ ପ୍ରସ୍ତୁତ କରାଯାଇଥିଲା। ଜନଜାତି ଭାଷା ଓ ସଂସ୍କୃତି ଏକାଡେମି (ଏଟିଏଲ୍‌ସି), ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ତାଲିମ ପ୍ରତିଷ୍ଠାନ (ଏସ୍‌ସିଏସ୍‌ଟିଆର୍‌ଟିଆଇ) ଏବଂ ସ୍ବତନ୍ତ୍ର ଉନ୍ନୟନ ପରିଷଦ (ଏସ୍‌ଡିସି)ର ମିଳିତ ସହଯୋଗରେ ଏହା ପ୍ରସ୍ତୁତ ହୋଇଥିଲା। ମୁଖ୍ୟତଃ ବହୁଭାଷୀ ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ଉଦ୍ଦେଶ୍ୟରେ ଏହା ପ୍ରକାଶ ପାଇଥିଲା।

ଦେଶରେ ଗତ ୫୦ ବର୍ଷରେ ପାଖାପାଖି ୨୫୦ ଭାଷା ମରି ଯାଇଥିବା ବେଳେ ଦେଶୀୟ ଭାଷାକୁ ଅଭିଧାନ କରି ପ୍ରଚାରପ୍ରସାର କରିବା ଏବଂ ତା’ର ଡକ୍ୟୁମେଣ୍ଟେସନ୍‌ କରିବା ଭଳି ପଦକ୍ଷେପ ଓଡ଼ିଶା ସରକାର ଗ୍ରହଣ କରିଛନ୍ତି। ଅନ୍‌ଲାଇନ୍‌ରେ ଓଡ଼ିଶା ସରକାରଙ୍କ ‌ୱେବ୍‌ସାଇଟ୍‌କୁ ଆହୁରି ଚଳଚଞ୍ଚଳ କରିବା ଲାଗି ୟୁନିକୋଡ୍‌ ପରିସରଭୁକ୍ତ କରିବା ପାଇଁ ‌ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ବିଭାଗର ମନୋଜ କୁମାର ମିଶ୍ର ମଧ୍ୟ ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି। ଯଦି ଏପରି ହୁଏ ତେବେ ଯେ କେହି ବି ୱେବ୍‌ସାଇଟ୍‌ରେ ସର୍ଚ କରି ଏହାର ସରଳ ବ୍ୟବହାର କରିପାରିବ।

ସମ୍ବନ୍ଧିତ ଖବର