ଫିଲ୍ମ ଫ୍ରାଇଡେ: ଏକ୍‌ ଲଡ୍‌କି…ଏ‌େସ୍କପ୍‌ ରୁମ୍‌…

ଭୁବନେଶ୍ବର: ଅପ୍ରତ୍ୟାଶିତ ରୋମାନ୍ସ ନେଇ ପରଦାକୁ ଆସୁଛି ‘ଏକ୍‌ ଲଡ୍‌କି କୋ ଦେଖା ତୋ ଐସା ଲଗା’। କମେ‌ଡି, ଡ୍ରାମା ଓ ରୋମାନ୍ସଭରା ଏହି ଏକମାତ୍ର ହିନ୍ଦୀ ଚଳଚ୍ଚିତ୍ର ଆସନ୍ତାକାଲି ମୁକ୍ତିଲାଭ କରିବ। ସବୁ ପ୍ରେମ କାହାଣୀ ସୁରୁଖୁରୁରେ ସମ୍ପନ୍ନ ହୁଏନି ତାହା ରହିଛି କଥାବସ୍ତୁ। ନିଜ ଝିଅର ବାହାଘର ପାଇଁ ପରିବାର ପକ୍ଷରୁ ଯୋଗ୍ୟ ବର ବଛା ଯାଉଥିଲେ ହେଁ ବର କିନ୍ତୁ ଝିଅର ପସନ୍ଦ ଆସେନି। ଝିଅଟି କେବଳ ଉକ୍ତ ଯୁବକଙ୍କୁ ବାହା ହେବାକୁ ମନା କରେନି, ବରଂ ମାଡ଼ ମଧ୍ୟ ମାରେ। ଏଣେ ଝିଅଟି ନିଜେ ଯାହାକୁ ଭଲ ପାଉଥାଏ, ତାକୁ କିନ୍ତୁ ତା’ ପରିବାର କି ସମାଜ ଗ୍ରହଣ କରେନି। ଏହିଭଳି ଏକ କଥାବସ୍ତୁ ଆଧାରିତ କାହାଣୀକୁ ଗଜଲ ଧାଲିୱାଲ୍‌ ରଚନା କରିଥିବା ‌ବେଳେ ନିର୍ଦେଶନା ଦେଇଛନ୍ତି ସେଲି ଚୋପ୍ରା। ବିଧୁ ବିନୋଦ ଚୋପ୍ରା ପ୍ରଯୋଜନା କରିଥିବା ବେଳେ ମୁଖ୍ୟ ଭୂମିକାରେ ଅଛନ୍ତି ସୋନମ କପୁର, ଅନିଲ କପୁର, ରାଜକୁମାର ରାଓ ଓ ଜୁହି ଚାୱଲା। ଏଥିସହ ମନସ୍ତାତ୍ତ୍ବିକ ଓ ରହସ୍ୟବୋଧ ଆଧାରିତ ହଲିଉଡ୍‌ ଚଳଚ୍ଚିତ୍ର ‘ଏସ୍କେପ୍‌ ରୁମ୍‌’ ମଧ୍ୟ ମୁକ୍ତିଲାଭ କରିବ। ୬ଜଣ ବ୍ୟକ୍ତି ଅଡ଼ୁଆରେ ଫସି କିଭଳି ସେଥିରୁ ମୁକୁଳିବାକୁ ଚେଷ୍ଟା କରିଛନ୍ତି; ସେହିଭଳି ଏକ କଥାବସ୍ତୁକୁ ନେଇ ପ୍ରସ୍ତୁତ ହୋଇଛି ଏସ୍କେପ୍‌ ରୁମ୍‌। ଆଡାମ୍‌ ରୋବିଟେଲ୍‌ଙ୍କ ନିର୍ଦେଶିତ ଓ ଅଭିନୀତ ଏହି ଚଳଚ୍ଚିତ୍ରରେ ଟେଲର ରସେଲ୍‌, ଲୋଗାନ୍‌ ମିଲର, ଜେ ଏଲିସ୍‌, ‌ଡି ଆନ୍ନ ପ୍ରମୁଖ ଅଭିନୟ କରିଛନ୍ତି। ଏହାର ଉଭୟ ହିନ୍ଦୀ ଓ ଇଂରାଜୀ ରୂପାନ୍ତର ମୁକ୍ତିଲାଭ କରୁଛି। ‌ତେବେ ଆସନ୍ତାକାଲି କୌଣସି ନୂଆ ଓଡ଼ିଆ ଫିଲ୍ମ ମୁକ୍ତିଲାଭ କରୁନାହିଁ।

ସମ୍ବନ୍ଧିତ ଖବର