ଭୁବନେଶ୍ବର: ଶୁକ୍ରବାର ପରଦାକୁ ଆସୁଛି ‘ନାୟକର ନାଁ ଦେବଦାସ’। ଅନେକ ଦିନ ପରେ ଅନୁ ଚୌଧୁରୀ ଏହି ଚଳଚ୍ଚିତ୍ରରେ ଚନ୍ଦ୍ରମୁଖୀ ଭୂମିକାରେ ଦେଖିବାକୁ ମିଳିବେ। ପାରୋ ଭୂମିକାରେ ଭୂମିକାଙ୍କୁ ଦେଖିବାକୁ ମିଳିବ। ଏଥିସହ ଦେବଦାସ ଭୂମିକାରେ ନବାଗତ ଅସିତ୍ଙ୍କୁ ଦର୍ଶକ ଦେଖିବେ। ୫୪ଟି ସିନେମା ହଲ୍ରେ ଏହା ମୁକ୍ତିଲାଭ କରିବ। ସେହିପରି ଦେବ ଓ ତମନ୍ନା ଅଭିନୀତ ‘ପ୍ରେମ ତୋର ନଟି ନଟି’ ଓଡ଼ିଆ ଚଳଚ୍ଚିତ୍ର ମଧ୍ୟ ମୁକ୍ତିଲାଭ କରିବ।
ଫିଲ୍ମ ଶୁକ୍ରବାର ସବୁଠୁ ଚର୍ଚାରେ ରହିବ ସିଦ୍ଧାର୍ଥ ମଲହୋତ୍ରା ଓ ପରିଣିତି ଚୋପ୍ରାଙ୍କ ଅଭିନୀତ ‘ଜବାରିୟା ଯୋଡ଼ି’। ଯୌତୁକ ପ୍ରଥାକୁ ଏଡ଼ାଇବା ପାଇଁ ବରକୁ ଅପହରଣ କରିବା ଭଳି ନାଟକୀୟ କଥାବସ୍ତୁ ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ। ଏକ୍ତା କପୁରଙ୍କ ପ୍ରଯୋଜିତ ଓ ପ୍ରଶାନ୍ତ ସିଂହଙ୍କ ନିର୍ଦେଶିତ ଏହି ଚଳଚ୍ଚିତ୍ରରେ ଜାଭେଦ୍ ଜାଫ୍ରି, ସଂଜୟ ମିଶ୍ରଙ୍କୁ ମଧ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ। କୋର୍ଟ ରୁମ୍ ଡ୍ରାମା ଆଧାରରେ ମୁକ୍ତିଲାଭ କରିବାକୁ ଯାଉଛି ‘ଚିକେନ୍ କରି ଲ’। ଆଶୁତୋଷ ରାଣା, ମାର୍କଣ୍ଡ ଦେଶପାଣ୍ଡେ, ନିବେଦିତା ଭଟ୍ଟାଚାର୍ଯ୍ୟ, ଜାକିର ହୁସେନ୍, ଅମନ ବର୍ମାଙ୍କୁ ବିଭିନ୍ନ ଭୂମିକାରେ ଦେଖିବାକୁ ମିଳିବ। ସେହିଭଳି ନିଜ ବାପାଙ୍କ ସ୍ବପ୍ନକୁ ପୂରଣ କରି ଆଇଏଏସ୍ ହୋଇଥିବା ଜଣେ ବ୍ୟକ୍ତି କିଭଳି ପରିସ୍ଥିତି ଚକ୍ରରେ ଜଣେ ଗ୍ୟାଙ୍ଗ୍ଷ୍ଟାର୍ ପାଲଟୁଛି ସେଭଳି କଥାବସ୍ତୁକୁ ନେଇ ପରଦାକୁ ଆସୁଛି ‘ପ୍ରଣାମ’। ରାଜୀବ ଖଣ୍ଡେଲ୍ୱାଲ୍, ବିକ୍ରମ ଗୋଖ୍ଲେ, ଅତୁଲ କୁଲକର୍ଣ୍ଣୀ, ଅପୂର୍ବା ଆରୋରା, ସମୀକ୍ଷା ସିଂହଙ୍କୁ ବିଭିନ୍ନ ଭୂମିକାରେ ଦେଖିବାକୁ ମିଳିବ। ଏଥିସହ ରଜନୀଶ ଦୁଗ୍ଗଲ୍, କୁନାଲ ରୟ କପୁର, ନାଜିଆ ହୁସେନ୍, ପୂଜା ବିଷ୍ଟଙ୍କ ଅଭିନୀତ ‘ମୁସ୍କିଲ୍’ ମଧ୍ୟ ଆସନ୍ତାକାଲି ପରଦାକୁ ଆସିବ।