ଫ୍ରାଇଡେ’ ରିଲିଜ୍‌: ‘ଉରି’ରେ ଲଢ଼େଇ, ବାପାଙ୍କ ଦୁଷ୍ଟାମି

ଭୁବନେଶ୍ବର: ପରଦାକୁ ଆସିବ ୨୦୧୬ରେ ଉରିରେ ଭାରତୀୟ ସେନାଙ୍କ ଦ୍ବାରା ହୋଇଥିବା ସର୍ଜିକାଲ୍‌ ଷ୍ଟ୍ରାଇକ୍‌ର ବାସ୍ତବ କାହାଣୀ। ଆଦିତ୍ୟ ଧରଙ୍କ ନିର୍ଦେଶିତ ସିନେମା ‘ଉରି: ଦି ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ ଆସନ୍ତାକାଲି ମୁକ୍ତିଲାଭ କରିବ। ଭୁବନେଶ୍ବରର ଏସ୍‌ପ୍ଲାନେଡ୍‌, ଆଇନକ୍ସ ସମେତ ୫ଟି ହଲ୍‌ରେ ଏହି ଚଳଚ୍ଚିତ୍ର ଦେଖିବାର ସୁଯୋଗ ମିଳିବ। ବିକି କୌଶଲ୍‌, ପରେଶ ରାୱଲ ଏବଂ ୟାମି ଗୌତମଙ୍କ ଅଭିନୀତ ଏହି ଚଳଚ୍ଚିତ୍ରକୁ ନେଇ ପୂର୍ବରୁ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଲାଣି। ଏଥିସହ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଜୀବନୀ ସମ୍ବଳିତ କଥାବସ୍ତୁକୁ ଆଧାର କରି ମୁକ୍ତିଲାଭ କରିବାକୁ ଯାଉଛି ‘ଦି ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର୍‌’। ଏଥିରେ ଅନୁପମ ଖେର୍‌ ମନମୋହନ ସିଂହଙ୍କ ଭୂମିକାରେ ଦେ‌ଖାଦେବେ। ଏଥିସହ ଅକ୍ଷୟ ଖାନ୍ନା, ସୁଜାନେ ବର୍ଣ୍ଣେଟ୍‌, ଆହାନାଙ୍କୁ ବିଶେଷ ଭୂମିକାରେ ଦେଖିବାକୁ ମିଳିବ। ବହୁ ରୋଚକ ଅକୁହା କଥା ଏହି ଚଳଚ୍ଚିତ୍ରରେ ଥିବାରୁ ଏହାକୁ ନେଇ ଅନେକ ବିବାଦ ମୁଣ୍ଡ ଟେକିଥିବା ବେଳେ ଏହାକୁ ନେଇ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି। ଗତକାଲିଠାରୁ ମୁକ୍ତିଲାଭ କରିସାରିଥିବା ରଜନୀକାନ୍ତଙ୍କ ଅଭିନୀତ ‌‘ପେଟ୍ଟା’ ମଧ୍ୟ ୫ଟି ସିନେମା ହଲ୍‌ରେ ଦେଖିବାକୁ ମିଳିବ। ‘ସିଦ୍ଧାର୍ଥ ଟିଭି’ ବ୍ୟାନର୍‌ରେ ନିର୍ମିତ ଟି ଗଣେଶଙ୍କ ନିର୍ଦେଶିତ ଏକ ନିଆରା ଓଡ଼ିଆ ଚଳଚ୍ଚିତ୍ର ‘ବାପା ତମେ ଭାରି ଦୁଷ୍ଟ’ ମଧ୍ୟ ଆସନ୍ତାକାଲି ମୁକ୍ତିଲାଭ କରିବ। ବାପ ପୁଅ ମଧ୍ୟରେ ତିକ୍ତ ସମ୍ପର୍କ ଏବଂ ଏହାର ସମାଧାନ ପାଇଁ ବାପାଙ୍କ ନୂଆ ଅବତାରକୁ ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ। ଧାରାବାହିକ ‘ମାନିନୀ’ରେ ଦେଖାଦେଇଥିବା ଜୟଜିତ୍‌ ଓ ସମିତାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ବାପା ରୂପରେ ପ୍ରଦ୍ୟୁମ୍ନ ଲେଙ୍କାଙ୍କ ନୂଆ ଅବତାର ଦେଖିବାକୁ ମିଳିବ। ଏକାମ୍ର ଓ ରବି ଟକିଜ୍‌ରେ ଏହି ଚଳଚ୍ଚିତ୍ର ଦେଖିବାର ସୁଯୋଗ ମିଳିବ। ‘ତରଙ୍ଗ’ ବ୍ୟାନର୍‌ରେ ମୁକ୍ତିଲାଭ କରିବ ‘ଚାଲ୍‌ ଟିକେ ଦୁଷ୍ଟ ହେବା’। ତାପସ ସରଘରିଆଙ୍କ ନିର୍ଦେଶିତ ଏହି ଚଳଚ୍ଚିତ୍ରରେ ମହିମା ଓ ରିଷନ୍‌ଙ୍କ ଭଳି ଦୁଇ ନୂଆ ମୁହଁଙ୍କୁ ଦେଖିବାକୁ ମିଳିବ। ସ୍ବାତୀ‌ରେ ୪ଟି ସୋ’ରେ ଏହାକୁ ଦେଖିବାର ସୁଯୋଗ ମିଳିବ।

ସମ୍ବନ୍ଧିତ ଖବର